ଏଚ୍‌ଡିଏଫ୍‌ସି ଏଜେଣ୍ଟ ବିଷ୍ଣୁ ହତ୍ୟା ମାମଲା : ଡାକ୍ତରଙ୍କ ବ୍ୟାଙ୍କ ଆକାଉଣ୍ଟ୍‌ ସିଲ୍‌

ପାଞ୍ଚଟି ଅସମାହିତ ପ୍ରଶ୍ନ, ଉତ୍ତର ଖୋଜୁଛି ପୁଲିସ

ବ୍ରହ୍ମପୁର :ବ୍ରହ୍ମପୁରରେ ସଂଘଟିତ ହାଇ-ପ୍ରୋଫାଇଲ୍‌ ଏଚ୍‌ଡିଏଫ୍‌ସି ବ୍ୟାଙ୍କ ଏଜେଣ୍ଟ ବିଷ୍ଣୁପ୍ରସାଦ ଗୌଡ଼ ହତ୍ୟା ମାମଲା ପର୍ଦ୍ଦାଫାସ୍‌ ହେବା ପରେ ବର୍ତ୍ତମାନ ନାନା ପ୍ରଶ୍ନ ସୃଷ୍ଟି ହୋଇଛି। ଏହି ହତ୍ୟାକାଣ୍ଡ ସହିତ ଡାକ୍ତରଙ୍କ ସହ କେଉଁମାନେ ଜଡ଼ିତ ଅଛନ୍ତି ତାହା ଅଦ୍ୟାବଧି ସ୍ପଷ୍ଟ ହୋଇ ପାରିନାହିଁ। ହତ୍ୟା ପୂର୍ବଦିନ ଅଗଷ୍ଟ ୧୮ ଅପରାହ୍ନରୁ ରାତି ୧୦ଟା ପର୍ଯ୍ୟନ୍ତ ବିଷ୍ଣୁ କେଉଁ କାରଣରୁ ନୂଆ ବସ୍‌ଷ୍ଟାଣ୍ଡ ରୋଡ଼ ଗାୟତ୍ରୀ କ୍ଲିନିକ୍‌ରେ ଥିଲେ ଓ କ’ଣ କରୁଥିଲେ। କ୍ଲିନିକ୍‌ରୁ ବାହାରିବା ପରେ ରାତି ୧୦ଟାରେ ସେ ସଂପୃକ୍ତ ନର୍ସଙ୍କ ପାଖକୁ ଯାଇଥିଲେ କ’ଣ ପାଇଁ। ୧୮ ତାରିଖ ରାତିରେ ସେ ନିଜ ଗାଁ ଖଲ୍ଲିକୋଟ ଥାନା ଅନ୍ତର୍ଗତ ବାଣିଆ ଫେରି ନଥିଲେ, ତେବେ ରାତିରେ ସେ କେଉଁଠି ରହିଥିଲେ। ପର ଦିନ ଅର୍ଥାତ ଅଗଷ୍ଟ ୧୯ରେ ଯେଉଁଦିନ ହତ୍ୟାକାଣ୍ଡ ଘଟିଥିଲା, ବିଷ୍ଣୁଙ୍କୁ ପୁଣି କ୍ଲିନିକ୍‌କୁ କିଏ ଡାକିଥିଲା। ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ି ନାହିଁ। ଯେହେତୁ ବିଷ୍ଣୁ ବହୁ ପୂର୍ବରୁ ଗାୟତ୍ରୀ କ୍ଲିନିକ୍‌ରେ ଚାକିରି ଛାଡ଼ି ସାରିଥିଲେ ଏବଂ ନର୍ସଙ୍କ ସହ ସଂପର୍କକୁ ନେଇ ଡାକ୍ତରଙ୍କ ସହ ମତାନ୍ତର ଥିଲା, ତଥାପି ସେ ସେଠାକୁ କାହିଁକି ବାରମ୍ବାର ଯାଇଥିଲେ, ଏମିତି ପାଞ୍ଚଟି ପ୍ରଶ୍ନ ତଥ୍ୟାଭିଜ୍ଞ ମହଲରେ ଭ୍ରୁକୁଞ୍ଚନ ସୃଷ୍ଟି କରିଛି। ଏ ପାଞ୍ଚଟି ଦିଗକୁ ନେଇ ପୁଲିସ ଗୁରୁତ୍ୱର ସହ ଅନୁସନ୍ଧାନ ଚଳାଇଛି। ଏଣେ ଗିରଫଦାରୀ ଏଡ଼ାଇବାକୁ ଆତ୍ମଗୋପନ କରିଥିବା ହତ୍ୟା ଅଭିଯୁକ୍ତ ଡା. ହୃଷିକେଶ ତ୍ରିପାଠୀ ପୁଲିସ ସହ ଲୁଚକାଳି ଖେଳୁଥିବା ବେଳେ ତାଙ୍କ ସମସ୍ତ ବ୍ୟାଙ୍କ ଆକାଉଣ୍ଟକୁ ପୁଲିସ ସିଲ୍‌ କରିଛି।

ସୂଚନାଯୋଗ୍ୟ, ବିଷ୍ଣୁ ଗତ ଅଗଷ୍ଟ ୧୯ ତାରିଖରେ ରହସ୍ୟଜନକ ଭାବେ ନିଖୋଜ ହୋଇ ଯାଇଥିଲେ। ଚଳିତ ମାସ ୧୨ ତାରିଖରେ ବୈଦ୍ୟନାଥପୁର ଥାନା ପୁଲିସ ଗୋପାଳପୁର ଥାନା ବଡ଼ଗୁମୁଳାସ୍ଥିତ ଏକ ପରିତ୍ୟକ୍ତ କୂଅରୁ ବିଷ୍ଣୁଙ୍କ ଖଣ୍ଡବିଖଣ୍ଡିତ ଶବ ଜବତ କରିଥିଲା। ଶବ ପୋତିବାରେ ଡା. ତ୍ରିପାଠୀଙ୍କୁ ସହଯୋଗ କରିଥିବା ମାଳି ଗଙ୍ଗା ବେହେରାକୁ ପୁଲିସ ଗିରଫ କରିଥିଲା। ଡା.ହୃଷିକେଶ ତ୍ରିପାଠୀ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଓ ସେ ହିଁ ବିଷ୍ଣୁଙ୍କୁ ହତ୍ୟା କରିଛନ୍ତି ବୋଲି ପୁଲିସ ସିଦ୍ଧାନ୍ତରେ ପହଞ୍ଚିଲା। ଡା. ତ୍ରିପାଠୀ ଫେରାର୍‌ ରହିଥିବା ବେଳେ ତାଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରହିଥିବା ଏସ୍‌ପି ପିନାକ ମିଶ୍ର ସୂଚନା ଦେଇଛନ୍ତି। ଡାକ୍ତର ବାହାରେ ଲୁଚି ରହୁଥିବା ବେଳେ ତାଙ୍କୁ ଧରିବା ପାଇଁ ପୁଲିସ ପ୍ରଥମେ ତାଙ୍କର ଆର୍ଥିକ କାରବାର ବନ୍ଦ କରିବା ଦିଗରେ ଉଦ୍ୟମ ଆରମ୍ଭ କରିଛି। ଡା. ତ୍ରିପାଠୀଙ୍କ ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍‌ କରି ଦିଆଗଲେ ଡାକ୍ତର ଆକାଉଣ୍ଟରୁ ଟଙ୍କା ବାହାର କରିପାରିବେ ନାହିଁ। ଫଳରେ ସେ ନିଶ୍ଚିତ ରୂପେ ଧରା ପଡ଼ିବେ ବୋଲି ପୁଲିସ ଆଶା ରଖିଛି।

ସମ୍ବନ୍ଧିତ ଖବର