ଭଞ୍ଜନଗର ବସଷ୍ଟାଣ୍ଡ କାର୍ଯ୍ୟକ୍ଷମ ଆଶା ଉଜ୍ବଳ, ରଥଯାତ୍ରା ପରେ ହୋଇପାରେ ଆରମ୍ଭ

ଭଞ୍ଜନଗର: ଦୀର୍ଘ ଦିନର ଅବସାନ ପରେ ଭଞ୍ଜନଗର ବସଷ୍ଟାଣ୍ଡ୍ କାର୍ଯ୍ୟକ୍ଷମ ହେବା ନେଇ ଆଶା ଉଜ୍ବଳ ହୋଇଛି। ଘରୋଇ ବସ୍ ମାଲିକ ସଂଘ କର୍ମକର୍ତ୍ତା ସ୍ଥାନୀୟ ବିଧାୟକ ତଥା ରାଜ୍ୟ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କୁ ସୌଜନ୍ୟମୂଳକ ସାକ୍ଷାତ ସମୟରେ ବସଷ୍ଟାଣ୍ଡ କାର୍ଯ୍ୟକ୍ଷମ ନେଇ ଆଲୋଚନା ହୋଇଥିବା ଜଣାପଡିଛି। ଦୀର୍ଘଦିନରୁ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲେ ମଧ୍ୟ ବିଭିନ୍ନ କାରଣରୁ ଭଞ୍ଜନଗର ବସଷ୍ଟାଣ୍ଡ କାର୍ଯ୍ୟକ୍ଷମ ହୋଇପାରିନାହିଁ। ଆଗାମୀ ରଥଯାତ୍ରାର ଦିନେ ଦୁଇଦିନ ପରେ ବସଷ୍ଟାଣ୍ଡ କାର୍ଯ୍ୟକ୍ଷମ ହେବା ନେଇ ଆଲୋଚନା ହୋଇଛି।

ବସଷ୍ଟାଣ୍ଡ ପରିସରରେ ଥିବା ଏକ୍ ଗୃହକୁ ଘରୋଇ ବସ୍ ମାଲିକ ସଂଘର କାର୍ଯ୍ୟାଳୟ କରିବା ପାଇଁ ସଂଘକୁ ହସ୍ତାନ୍ତର ମଧ୍ୟ କରାଯାଇଛି। ଏଥିସହ କୋଭିଡକୁ ଦୃଷ୍ଟିରେ ରଖି ଟିକଟ କାଉଣ୍ଟର ସମ୍ମୁଖରେ କାଚ ବଖରା କରିବା ସହ ବସଷ୍ଟାଣ୍ଡରେ ସଫେଇ କାର୍ଯ୍ୟ, ବିଦ୍ୟୁତ୍ ଉପକରଣ ମରାମତି, ରଙ୍ଗଦିଆ କାର୍ଯ୍ୟ, ଆନୁଷଙ୍ଗିକ ବ୍ୟବସ୍ଥା ତ୍ବରାନ୍ବିତ କରିବା ନେଇ ମନ୍ତ୍ରୀ କହିଛନ୍ତି। ରାଜ୍ୟ ସରକାର ବସ୍ ଚଳାଚଳକୁ ଅନୁମତି ଦେଲେ ଘରୋଇ ବସ୍ ସହ ସରକାରୀ ବସ୍ ଗୁଡ଼ିକ ଏହି ନୂତନ ବସଷ୍ଟାଣ୍ଡରୁ ଯାତାୟତ କରିବ ବୋଲି ଜଣାପଡିଛି।

ଗମନାଗମନ ଦୃଷ୍ଟି କୋଣରୁ ଭଞ୍ଜନଗର ବସଷ୍ଟାଣ୍ଡ ବହୁତ ଗୁରୁତ୍ବପୂର୍ଣ୍ଣ ବହନ କରୁଛି। ଜନସାଧାରଣଙ୍କ ଆବଶ୍ୟକତାକୁ ନଜରରେ ରଖି ୨୦୧୯ ମସିହାରେ ଏଠାରେ ନୂତନ ବସଷ୍ଟାଣ୍ଡ ଉଦଘାଟନ କରାଯାଇଥିଲା। କିନ୍ତୁ ଅଦ୍ୟବଧି ତାହା ଆରମ୍ଭ ହୋଇପାରି ନଥିବା ବେଳେ ସହରରେ ଆରଏମସି କାର୍ଯ୍ୟାଳୟ ସମ୍ମୁଖରେ ଭୂବନେଶ୍ବର, କଟକ ଓ ପୁରୀ ବସ, ସ୍ଥାନୀୟ ଜଳସେଚନ ବିଭାଗ କାର୍ଯ୍ୟାଳୟ ସମ୍ପୁଖରେ ବ୍ରହ୍ମପୁର,ଫୁଲବାଣୀ,ରାଇକିଆ, ବାଲିଗୁଡା ଆଦି ବସ୍ ଓ ପୁଲିସ କ୍ୱାର୍ଟର ପଛପଟେ ସମ୍ବଲପୁର,ରାଉଲକେଲା, ଭବନୀପାଟଣା,ଝାରୁସୁଗୁଡ଼ା,ବୌଦ୍ଧ ଓ ଜୟପୁର ଆଦି ରୁଟର ବସ ଅସ୍ଥାୟୀ ଭାବେ ରହୁଥିଲା। ଏହି ୩ଟି ବସଷ୍ଟାଣ୍ଡ ନିକଟରେ ବସିବା ପାଇଁ ସ୍ଥାନ ନଥିବା ବେଳେ ଯାତ୍ରୀମାନେକ ରାସ୍ତା ମଝିରେ ଥିବା ଡିଭାଇଡର ଉପରେ ହିଁ ଧାଡି ହୋଇ ବସି ବହୁ ସମସ୍ୟାର ସମ୍ମୁଖିନ ହେଉଥିଲେ। ବସଷ୍ଟାଣ୍ଡ କାର୍ଯ୍ୟକ୍ଷମ ପରେ ଏହି ସମସ୍ୟା ସମାଧାନ ହୋଇପାରିବ ବୋଲି ଆଶା ଦେଖାଦେଇଛି।

ଗତ ୨୦୧୬ ମସିହାରେ ପ୍ରାୟ ସାଢ଼େ ୨ ଏକର ଜମିରେ ଏହି ବସଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ଯାତ୍ରୀ ବସିବା ପାଇଁ ସୁବିଧା ହୋଇଥିବା ବେଳେ ପଙ୍ଖା ସହିତ ଅଲୋକିକରଣ ପାଇଁ ଲାଇଟ ବ୍ୟବସ୍ଥା କରାଯାଇଥିଲ। ଯାତ୍ରୀବିଶ୍ରାମାଗର ଉପରେ ଖାଇବା ପାଇଁ ରେଷ୍ଟୁରାଣ୍ଟ ଗୃହ ମଧ୍ୟ ନିର୍ମାଣ କରାଯାଇଛି। ପରିସ୍ରାଗାର ଠାରୁ ଆରମ୍ଭ କରି ଶୌଚାଳୟ ମଧ୍ୟ ନିର୍ମାଣ ହୋଇଛି। ଏଥିସହ ସରକାରୀ ବସଷ୍ଟାଣ୍ଡ ପାଇଁ ଟିକେଟ କାଉଣ୍ଟର ଠାରୁ ଆରମ୍ଭ କରି ଗ୍ୟାରେଜ ଓ କାର୍ଯ୍ୟାଳୟ ମଧ୍ୟ ଆରମ୍ଭ ହୋଇଥିଲା। ବସ୍ ରହିବା ପାଇଁ ସୁବିଧା ହୋଇଥିବା ବେଳେ ସମ୍ମୁଖରେ ବଜାର ପାଇଁ ନୂତନ ଗୃହ ମଧ୍ୟ ନିର୍ମାଣ ହୋଇଛି। ସାଢ଼େ ୫ କୋ୍ଟି ଟଙ୍କା ବ୍ୟୟରେ ଏହି ବସଷ୍ଟାଣ୍ଡ ଦୁଇ ବର୍ଷରେ ସମାପ୍ତି ହୋଇଥିଲା। ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୧୯ ଫେବୃୟାରୀ ମାସରେ ଭଞ୍ଜନଗର ଗସ୍ତରେ ଆସି ବହୁ ଉନ୍ନୟନ କାର୍ଯ୍ୟର ଉଦ୍ଘାଟନ ଓ ଶିଳାନ୍ୟାସ କରିବା ସହ ଏହାକୁ ଉଦଘାଟନ କରିଥିଲେ।

ସମ୍ବନ୍ଧିତ ଖବର