ଭଞ୍ଜନଗର: ପୁଲିସ ଏନ୍‌କାଉଣ୍ଟର୍‌ରେ କୁଖ୍ୟାତ ଅପରାଧୀ ଆହତ

ଭଞ୍ଜନଗର: ଶୁକ୍ରବାର ପ୍ରତ୍ୟୁଷରେ ଭଞ୍ଜନଗର-ଫୁଲବାଣୀ ରାସ୍ତାର ସୋରଦେଈ ମନ୍ଦିର ନିକଟବର୍ତ୍ତୀ ଗଣ୍ଡିଶୂଳା ଠାରେ ପୁଲିସ ସହ ଏନ୍‌କାଉଣ୍ଟର୍‌ ଯୋଗୁଁ ଜଣେ ଅପରାଧୀ ଆହତ ହୋଇଛନ୍ତି।

ଆହତ ଅପରାଧୀ ହେଉଛନ୍ତି ମହମଦ୍‌ ଇମ୍ରାନ୍‌ ଓରଫ ଇମୁ। ସେ ଗତ ରାତିରେ ଭଞ୍ଜନଗର ଫେରୁଛନ୍ତି ବୋଲି ବିଶେଷସୂତ୍ରରୁ ଖବର ପାଇ ପୁଲିସ ସୋରଦେଈ ମନ୍ଦିର ପାଖରେ ଜଗିଥିଲା। ସକାଳ ପ୍ରାୟ ୬: ୨୦ରେ ଇମୁ ତା’ର ଜଣେ ସହଯୋଗୀଙ୍କ ମଟରସାଇକେଲ୍‌ ବସି ଆସୁଥିବା ଦେଖି ପୁଲିସ ଅଟକାଇବାକୁ ଉଦ୍ୟମ କରିଥିଲା। ଫଳରେ ସେମାନେ ପୁଲିସ ଉପରକୁ ଗୋଟିଏ ବୋମା ଫିଙ୍ଗିବା ସହ ପିସ୍ତଲରୁ ଗୁଳିଟିଏ ଫୁଟାଇ ଥିଲେ। ଏହାର ଜବାରେ ପୁଲିସ ପାଲଟା ଗୁଳି ଚାଳନା କରିବାରୁ ଇମୁର ଦୁଇ ଗୋଡ଼ରେ ଦୁଇଟି ଗୁଳି ବାଜିଲା। ଗୁଳିକାଣ୍ଡରେ ମଟରସାଇକେଲ୍‌ ପଡ଼ିଯିବାରୁ ଆହତ ଇମୁକୁ ଛାଡ଼ି ସହଯୋଗୀ ଘଟନାସ୍ଥଳରୁ ଖସି ପଳାଇଯାଇଥିଲା।

ଚିକିତ୍ସା ନିମନ୍ତେ ଇମୁକୁ ପ୍ରଥମେ ଭଞ୍ଜନଗର ଡାକ୍ତରଖାନା ଓ ପରେ ବ୍ରହ୍ମପୁର ବଡ଼ ମେଡିକାଲ୍‌କୁ ପଠାଇ ଦିଆଯାଇଛି।

ଫେବ୍ରୁଆରି ୭ ତାରିଖରେ ଭଞ୍ଜନଗର ସହରରେ ହୋଇଥିବା ସିରିଜ୍‌ ବୋମା (୫ଟି) ବିସ୍ଫୋରଣର ମୁଖ୍ୟ ଷଡ଼ଯନ୍ତ୍ରକାରୀ ଥିଲା ଇମୁ।

ସମ୍ବନ୍ଧିତ ଖବର