ଭଞ୍ଜନଗର: ରାସ୍ତାକଡ଼ରେ ପ୍ରସବ କଲେ ମହିଳା, ଆମ୍ବୁଲାନ୍‌ସ୍‌ ନ ମିଳିବାରୁ ରିକ୍ସାରେ ଗଲେ ଡାକ୍ତରଖାନା

ଭଞ୍ଜନଗର: ଶନିବାର ସକାଳ ପ୍ରାୟ ନଅଟା ବେଳେ ଭଞ୍ଜନଗର-ଦଶପଲ୍ଲା ରାସ୍ତା ବାଗଦେବୀ ମନ୍ଦିର ନିକଟବର୍ତ୍ତୀ ଅରମାରେ ଜଣେ ମହିଳା ଶିଶୁପୁତ୍ରଟିଏ ପ୍ରସବ କରିଛନ୍ତି।

ଉକ୍ତ ମହିଳା ଓ ତାଙ୍କ ସ୍ୱାମୀ କିଛି ଦିନ ହେବ କେଉଁଆଡୁ ଆସି ଏଠାରେ ଥିବା ଗୋଟାଏ ପରିତ୍ୟକ୍ତ ଘରେ ରହୁଥିଲେ। ତାଙ୍କ ସ୍ୱାମୀ ଶ୍ରମିକ ହୋଇଥିବାରୁ ବଡ଼ି ସକାଳୁ କାମ କରିବାକୁ ଚାଲି ଯାଇ ରାତିରେ ଫେରନ୍ତି; ତେଣୁ ସେ ଆଜି ଘରେ ନ ଥିଲେ। କୁହାଯାଉଛି ସେ ସ୍ତ୍ରୀଲୋକଟିର ସାମାନ୍ୟ ମସ୍ତିଷ୍କ ବିକୃତି ଅଛି। ଜନ୍ମିତ ପିଲାଟିକୁ ସେ ଫୋପାଡ଼ି ଦେବାକୁ ଯାଉଥିବା ବେଳେ ସ୍ଥାନୀୟ ଲୋକେ ଦେଖି ଉଭୟଙ୍କୁ ପ୍ରାୟ ୪୦୦ ମିଟର ଦୂରରେ ଥିବା ଡାକ୍ତରଖାନାକୁ ନେବାକୁ ଉଦ୍ୟମ କରିଥିଲେ। ୧୦୨ ଓ ୧୦୮ ଆମ୍ବୁଲାନ୍‌ସ୍‌ ଡକାଇଥିଲେ ବି ତାହା ୨୫ ଓ ୩୬ କିଲୋମିଟର ଦୂରରେ ଥିବାରୁ ଆସିବା ସମ୍ଭବ ହୋଇ ପାରି ନ ଥିଲା। ଲୋକେ ରିକ୍ସାଯୋଗେ ଉଭୟଙ୍କୁ ସ୍ଥାନୀୟ ଡାକ୍ତରଖାନାକୁ ନେଇଥିଲେ।

ଉଭୟ ମାଆ ଓ ପୁଅଙ୍କ ସ୍ୱାସ୍ଥ୍ୟାବସ୍ଥା ନିରାପଦ ଥିବା କଥା ଡାକ୍ତରଖାନା ତରଫରୁ ପ୍ରକାଶ।

ସମ୍ବନ୍ଧିତ ଖବର