୧୦ ଫୌଜଦାରୀ ମାମଲା ଥିବା ବିଜେଡି ପ୍ରାର୍ଥୀଙ୍କ ଟି‌କେଟ୍ କଟିଲା!

ସୋନମ୍‌ଙ୍କୁ ପ୍ରସ୍ତୁତ ରହିବାକୁ କହିଲେ ବିଧାୟିକା ସୂର୍ଯ୍ୟମଣି

ଛତ୍ରପୁର : ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ୍ ଅଧୀନ ୧୧ ନମ୍ବର ଜିଲ୍ଲା ପରିଷଦ ଜୋନ୍‌ରୁ ସଦସ୍ୟ ପଦ ପାଇଁ ଗତକାଲି ବିଜେଡି ପ୍ରାର୍ଥୀ ସୁଲୁ ସ୍ବାଇଁ ନାମାଙ୍କନ ଦାଖଲ କରିଥିଲେ। ତାଙ୍କ ନାଁରେ ୧୦ଟି ଫୌଜଦାରୀ ମାମଲା କୋର୍ଟରେ ବିଚାରାଧୀନ ଥିବାବେଳେ ଦଳ ପକ୍ଷରୁ ତାଙ୍କୁ ଏହି ଗୁରୁତ୍ବପୂର୍ଣ୍ଣ ପଦବି ପାଇଁ ଟିକଟ୍ ଦିଆଯିବା ନିଷ୍ପତ୍ତି ବିଭିନ୍ନ ମହଲରେ ଆଲୋଡ଼ନ ସୃଷ୍ଟି କରିଥିଲା। ଏପରିକି ରାଜନୈତିକ ବିଶେଷଜ୍ଞଙ୍କ ମହଲରେ ତୀବ୍ର ପ୍ରତିକ୍ରିୟା ବି ପ୍ରକାଶ ପାଇଥିଲା। ଯାହାକି ହାଇକମାଣ୍ଡଙ୍କ ମୁଣ୍ଡବିନ୍ଧା ବଢ଼ାଇଥିଲା। କାରଣ ଏହି ଜୋନ୍‌ରୁ ବର୍ତ୍ତମାନର ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୋନମ୍ ପଲେଇ ଆଶାୟୀ ଥିବା ବେଳେ ଶେଷ ସମୟରେ ତାଙ୍କୁ ବାଦ୍ ଦିଆଯାଇଥିଲା।

ତେବେ ସୁଲୁଙ୍କ ନାମାଙ୍କନ ଦାଖଲର ୨୪ ଘଣ୍ଟା ପରେ ଦଳ ନିଷ୍ପତ୍ତି ବଦଳାଇବାକୁ ମାନସିକସ୍ତ‌ରରେ ପ୍ରସ୍ତୁତ ହୋଇଥିବା ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି। ସୁଲୁଙ୍କ ବଦଳରେ ସୋନମଙ୍କୁ ପ୍ରାର୍ଥୀ କରିବାକୁ ଦଳ ନିଷ୍ପତ୍ତି ନେଇଛି। ସୋନମ୍ ବିଜେଡି ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିବା ଲାଗି ପ୍ରସ୍ତୁତ ରହିବାକୁ ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ ଆଲୋଚନା କରିଥିବା ଜଣାପଡ଼ିଛି। ଏନେଇ ସୋନମ୍ ସୂଚନା ଦେଇଛନ୍ତି। ସୂଚନା ଥାଉକି, ଗତ ନିର୍ବାଚନରେ ବି ‌ସୋନମ୍ ୧୧ ନମ୍ବର ଜୋନ୍‌ରୁ ନିର୍ବାଚନ ଲଢ଼ିଥିଲେ। ଆସନ୍ତାକାଲି ନାମାଙ୍କନ ଦାଖଲର ଶେଷ ଦିନ ଥିବାରୁ କିଭଳି ଦୃଶ୍ୟପଟ୍ଟ ଦେଖିବାକୁ ମିଳିବ, ଏହାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି।

ସମ୍ବନ୍ଧିତ ଖବର