ବସ୍‌ ଭିତରେ ୪ ରାଉଣ୍ଡ୍‌ ଗୁଳି : ବିଜେଡି ନେତାଙ୍କୁ ହତ୍ୟା

ଆସିକା : ଗଞ୍ଜାମ ଜିଲ୍ଲା ଆସିକାର ଜଣେ ଜଣାଶୁଣା ବିଜେଡି ନେତା ପ୍ରତାପ ଚନ୍ଦ୍ର ପଲେଇଙ୍କୁ ଦୁର୍ବୃତ୍ତମାନେ ରାତିରେ ଗୁଳି କରି ହତ୍ୟା କରିଛନ୍ତି।  ରାତି ପ୍ରାୟ ସାଢେ ୮ଟାରେ ସେ ଏକ ଘରୋଇ ବସ୍‌ରେ ଆସିକାରୁ ବ୍ରହ୍ମପୁର ଆସୁଥିବା ବେଳେ ଆସିକା ଥାନା କରଞ୍ଜେଇ ଛକ ନିକଟରେ ଦୁଇ ଜଣ ଯୁବକ ତାଙ୍କୁ ୪ ରାଉଣ୍ଡ୍‌ ଗୁଳି କରିଥିଲେ। ସଂଗେ ସଂଗେ ତାଙ୍କୁ ଆସିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ଼ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପ୍ରତାପ ହେଉଛନ୍ତି ଆସିକା ଏନ୍‌ଏସି କାଉନସିଲର୍‌ ବବିତା ପଲେଇଙ୍କ ସ୍ୱାମୀ।  ତାଙ୍କ ଘର ପାକଲାପଲ୍ଲୀ ଅଞ୍ଚଳରେ।  ମଦ ବ୍ୟବସାୟକୁ କେନ୍ଦ୍ର କରି ପ୍ରତାପଙ୍କୁ ହତ୍ୟା କରାଯାଇଥିବା ପୁଲିସ ଅନୁମାନ କରୁଛି।

ମିଳିଥିବା ସୂଚନାନୁସାରେ, ପ୍ରତାପ ଆସିକା ବସ୍‌ଷ୍ଟାଣ୍ଡରେ ଥିବା ଏକ ବିଦେଶୀ ମଦ ଦୋକାନର ପାର୍ଟନର୍‌ ଥିଲେ। ଏହାସହ ପତ୍ନୀ ବବିତା ଜଣେ କାଉନସିଲର୍‌ ହୋଇଥିବାରୁ ବିଜେଡିର ଜଣେ ସକ୍ରିୟ ସଦସ୍ୟ ମଧ୍ୟ ଥିଲେ। ଦଳର ବିଭିନ୍ନ କାର୍ଯ୍ୟକ୍ରମରେ ନିଜକୁ ସାମିଲ କରୁଥିଲେ। ତେବେ ମଦ ବେପାରକୁ କେନ୍ଦ୍ର କରି ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ସହ ତାଙ୍କର ଗତ କିଛି ମାସ ତଳେ ବିବାଦ ଆରମ୍ଭ ହୋଇଥିଲା। ଏଥିପାଇଁ ତାଙ୍କ ଉପରେ ପାକଲାପଲ୍ଳୀ ଗ୍ରାମରେ ବହୁବାର ଆକ୍ରମଣ ଉଦ୍ୟମ ବି ହୋଇଥିଲା। ଜୀବନ ପ୍ରତି ବିପଦ ଥିବା ଜାଣିବା ପରେ ପ୍ରତାପ ବ୍ରହ୍ମପୁରରେ ଆସି ଗତ କିଛି ମାସ ହେଲା ରହୁଥିଲେ। ତେବେ ପ୍ରତିଦିନ ସେ ଆସିକା ଆସୁଥିଲେ। କେବେ ବ୍ୟକ୍ତିଗତ କାର୍‌ ତ ଆଉ କେବେ ବସ୍‌ରେ ଯିବା ଆସିବା କରୁଥିଲେ।

ସବୁଦିନ ଭଳି ଆଜି ମଧ୍ୟ ସନ୍ଧ୍ୟା ପ୍ରାୟ ସାଢେ ୭ଟା ବେଳେ ଆସିକାରୁ କାମ ସାରି ସେ ଫୁଲବାଣୀରୁ ଆସୁଥିବା ଏକ ଘରୋଇ ବସ୍‌ରେ ବ୍ରହ୍ମପୁର ଅଭିମୁଖେ ଆସୁଥିଲେ। ବସ୍‌ରେ ଯାତ୍ରୀଙ୍କ ଭିଡ଼ ଥିଲା। ଖଡ଼ଭାଗ ଛକରେ ଦୁଇଜଣ ଯୁବକ ବସ୍‌ରେ ଚଢ଼ିଥିଲେ। ରାତି ପ୍ରାୟ ସାଢେ ୮ଟା ବେଳେ ବସ୍‌ କରଞ୍ଜେଇ ଛକ ପାଖରେ ପହଞ୍ଚିବା କ୍ଷଣି ହଠାତ୍‌ ଉକ୍ତ ଦୁଇଜଣ ଯୁବକ ପ୍ରତାପଙ୍କ ସିଟ୍‌ ପାଖକୁ ଯାଇ ଅତର୍କିତ ଗୁଳି ମାଡ଼ କରିଥିଲେ। ଡାହାଣ ପଟ କାନ୍ଧ, ମୁଣ୍ଡ, ଛାତି ନିକଟକୁ ଚାରି ରାଉଣ୍ଡ ଗୁଳି କରିବା ସହ ଯାତ୍ରୀଙ୍କୁ ଆତଙ୍କିତ କରିଥିଲେ। ଏହାପରେ ସେଠାରେ ବସ୍‌ ଅଟକାଇ ପଛରେ ଆସୁଥିବା ସହଯୋଗୀଙ୍କ ସହ ବାଇକ୍‌ରେ ଫେରାର୍‌ ହୋଇଯାଇଥିଲେ। ଘଟଣାସ୍ଥଳରେ ପୁଲିସ ପହଞ୍ଚି ଗୁରୁତର ଅବସ୍ଥାରେ ପ୍ରତାପଙ୍କୁ ଆସିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଆଣିଥିଲା। ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ଼ମେଡିକାଲକୁ ସ୍ଥାନାନ୍ତର ବେଳେ ରାସ୍ତାରେ ପ୍ରତାପଙ୍କ ମୃତ୍ୟୁ ହୋଇଥିଲା। ଘଟଣାସ୍ଥଳରୁ ପୁଲିସ ବସ୍‌କୁ ଜବତ କରିଥିବା ବେଳେ ଅପରାଧୀଙ୍କୁ ଧରିବା ପାଇଁ ବ୍ଲକିଂ ଜାରି ରହିଛି।

ସମ୍ବନ୍ଧିତ ଖବର