ବିଜେଡି ନେତାଙ୍କୁ ଗୁଳି କରି ହତ୍ୟା

ଆସିକା : ନୂଆବର୍ଷ ପୂର୍ବ ରାତି। ଜିରୋ ନାଇଟ୍ ପାଇଁ ଚଳଚଞ୍ଚଳ ଥିଲା ରାସ୍ତାଘାଟ। ଅପରାଧର ଅମରାବତୀ ଆସିକା ସହରରେ ଅପରାଧୀ ଚଳାଇଲେ ଗୁଳି। ରକ୍ତର˚ଜିତ ହୋଇଛି ଗଞ୍ଜାମ ଜିଲ୍ଲାର କ୍ରାଇମସିଟି ଦୁର୍ନାମ ମୁଣ୍ତାଇଥିବା ଆସିକା ସହର। ଆଜି ରାତି ପ୍ରାୟ ସାଢେ ୧୦ଟାରେ ସହର ମୁଖ୍ୟ ରାସ୍ତା କଲେଜ ଛକ ଡି’ପଲ୍‌ ସ୍କୁଲ ନିକଟରେ ବିଜେଡି ନେତା ସଦାନନ୍ଦ ଲେଙ୍କା(୫୦)ଓରଫ୍‌ ବାହାନଙ୍କୁ ଗୁଳି କରି ନିର୍ମମ ହତ୍ୟା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ସଦାନନ୍ଦ ହେଉଛନ୍ତି ଖାରିଆ ପଞ୍ଚାୟତ ସରପଞ୍ଚ ଅରବିନ୍ଦ ଲେଙ୍କାଙ୍କ ବଡ଼ଭାଇ ଓ ବରିଷ୍ଠ ବିଜେଡି ନେତା। ପୂର୍ବବିବାଦରୁ ଏହି ହତ୍ୟାକାଣ୍ତ ସ˚ଘଟିତ ହୋଇଥିବା ଅନୁମାନ କରାଯାଉଥିବା ବେଳେ ଆସିକା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଆଜି ରାତି ପ୍ରାୟ ସାଢେ ୧୦ଟା ବେଳେ ସଦାନନ୍ଦ କଲେଜ ଛକ ସ୍ଥିତ ନିଜ ଘରକୁ ବାଇକରେ ନିଜର ଜଣେ ସହଯୋଗୀଙ୍କ ସହ ‌ଯାଉଥିଲେ। ସଦାନନ୍ଦ ବାଇକ ପଛରେ ବସିଥିଲେ। ଏହି ସମୟରେ ଗୋଟିଏ ବାଇକରେ କିଛି ଦୁର୍ବୃତ୍ତ ଡିପଲ୍ ସ୍କୁଲ ଛକ ନିକଟରେ ତାଙ୍କ ମୁଣ୍ଡକୁ ଲକ୍ଷ୍ୟ କରି ଏକାଧିକ ଗୁଳିମାଡ଼ କରିଥିଲେ। ଘଟଣାସ୍ଥଳରେ ହିଁ ସଦାନନ୍ଦଙ୍କ ମୃତ୍ୟୁ ହୋଇଥିଲା।

ପୁଲିସ ଶବକୁ ଆସିକା ଡାକ୍ତରଖାନା ଆଣି ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ଼ମେଡିକାଲ ପଠାଯାଇଛି। ଘଟଣାସ୍ଥଳରେ ପହଞ୍ଚି ପୁଲିସ ତଦନ୍ତ କରୁଥିବା ସଦାନନ୍ଦଙ୍କ ସହଯୋଗୀକୁ ଅଟକ ରଖି ପଚରାଉଚରା କରୁଛି। ଆସିକା ଥାନା ଅଧିକାରୀ ସନ୍ତୋଷ କୁମାର ଜେନାଙ୍କ ନେତୃତ୍ବରେ ଏକ ଟିମ୍ ବିଭିନ୍ନ ଜାଗାରେ ବ୍ଲକିଂ ଜାରି ରଖିଛନ୍ତି। ୨ ବର୍ଷ ତଳେ ଖାରିଆ ପଞ୍ଚାୟତ ହୁମୁକି ଗ୍ରାମରେ ସଂଘଟିତ ଏକ ହତ୍ୟା ମାମଲାର ଅଭିଯୁକ୍ତ ମାନଙ୍କ ଏଥିରେ ସଂପୃକ୍ତି ଥିବା ପୁଲିସ ସନ୍ଦେହ କରୁଛି। ଗତବର୍ଷ ଯୁବ ବିଜେଡି ନେତା ପ୍ରତାପ ପୋଲାଇ ହତ୍ୟାକାଣ୍ଡ ପରେ ପୁଣି ଜଣେ ବିଜେଡି ନେତା ଅପରାଧୀଙ୍କ ଟାର୍ଗେଟକୁ ଆସିଛନ୍ତି। ଏହି ହାଇପ୍ରୋଫାଇଲ୍ ମର୍ଡର ମାଧ୍ୟମରେ ଆସିକା ସହରରେ ଅପରାଧୀ ପୁଣି ସେମାନଙ୍କ ଉପସ୍ଥିତି ଜାହିର୍ କରିଛନ୍ତି।

ସମ୍ବନ୍ଧିତ ଖବର