ବ୍ଲାକ୍ ଫଙ୍ଗସ୍: ରକ୍ତ ଶର୍କରାକୁ ନିୟନ୍ତ୍ରଣରେ ରଖନ୍ତୁ

ବ୍ରହ୍ମପୁର : କରୋନା ପରେ ଏବେ ଘାରିଛି ବ୍ଲାକ୍ ଫଙ୍ଗସ୍ ଚିନ୍ତା। ବିଶେଷ କରି କରୋନାରୁ ସୁସ୍ଥ ହେଉଥିବା ରୋଗୀଙ୍କ କ୍ଷେତ୍ରରେ ବ୍ଲାକ୍ ଫଙ୍ଗସ୍ (ମ୍ୟୁକୋର୍‌ମାଇକୋସିସ୍) ରୋଗ ଦେଖାଯାଉଛି। ଏଥିପାଇଁ ରକ୍ତ ଶର୍କରାକୁ ନିୟନ୍ତ୍ରଣରେ ରଖିଲେ ବ୍ଲାକ୍ ଫଙ୍ଗସ୍ ସଂକ୍ରମଣରୁ ରକ୍ଷା ମିଳିବ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ଯାହାର ରୋଗ ପ୍ରତିରୋଧକ ଶକ୍ତି କମ୍‌ ରହିଥାଏ, ସେମାନଙ୍କୁ ଅତିଶୀଘ୍ର ବ୍ଲାକ୍ ଫଙ୍ଗସ୍ ଆକ୍ରାନ୍ତ କରିଥାଏ। ମାତ୍ରାଧିକ ଷ୍ଟେରଏଡ୍ ଔଷଧର ସେବନ, ଇଣ୍ଟେନ୍ସିଭ୍ କେୟାର୍ ୟୁନିଟ୍‌ରେ (ଆଇସିୟୁ) ଦୀର୍ଘ ସମୟ ରହଣି ଓ ଅଙ୍ଗ ପ୍ରତିରୋପଣ କରିଥିବା ରୋଗୀମାନଙ୍କ ଶରୀରରେ ରୋଗ ପ୍ରତିରୋଧ ଶକ୍ତି ଦୁର୍ବଳ ଥାଏ। ଏଣୁ ସେମାନଙ୍କୁ ଅତି ଶୀଘ୍ର ବ୍ଲାକ୍ ଫଙ୍ଗସ୍ ଆକ୍ରମଣ କରିବାର ଭୟ ରହିଛି। ଏହି ବର୍ଗର ରୋଗୀମାନେ ନିଜର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ଆବଶ୍ୟକ। ଠିକ୍ ସେହିପରି କରୋନାରୁ ସୁସ୍ଥ ହେଉଥିବା ରୋଗୀମାନେ ରକ୍ତ ଶର୍କରା ସ୍ତରକୁ ନିୟନ୍ତ୍ରଣରେ ରଖିବା ଅତ୍ୟନ୍ତ ଜରୁରୀ ବୋଲି ବିଶେଷଜ୍ଞମାନେ କହିଛନ୍ତି।

ବ୍ଲାକ୍ ଫଙ୍ଗସ୍ କ’ଣ?
ବ୍ଲାକ୍ ଫଙ୍ଗସ୍ ହେଉଛି ଏକ ପ୍ରକାର କବକଜନିତ ରୋଗ। ଯାହାର ରୋଗ ପ୍ରତିରୋଧକ ଶକ୍ତି କମ୍‌ ରହିଥାଏ ତା’ର ଶରୀରକୁ ବ୍ଲାକ୍ ଫଙ୍ଗସ୍ କବକ ସହଜରେ ପ୍ରବେଶ କରିଥାଏ। ଶରୀରରେ ପ୍ରବେଶ କରିବା ପରେ ଶିରାପ୍ରଶିରା ଦେଇ ବ୍ୟାପିଥାଏ। ବିଶେଷ କରି ଆଖିର ପିତୁଳା ଚାରିପଟେ ଓ ମସ୍ତିଷ୍କରେ ଏହା ଧୀରେ ଧୀରେ ବିସ୍ତାର ଲାଭ କରିଥାଏ। ଖୁବ୍‌ କମ୍‌ ଲୋକଙ୍କ କ୍ଷେତ୍ରରେ ଏହା ଫୁସ୍‌ଫୁସ୍‌କୁ ସଂକ୍ରମଣ କରିଥାଏ। ଯେଉଁମାନେ ଏହି ରୋଗରେ ଆକ୍ରାନ୍ତ ହୋଇଥାନ୍ତି, ତନ୍ମଧ୍ୟରୁ ଅଧିକାଂଶ ଲୋକଙ୍କ ରକ୍ତ ଶର୍କରା ଅନିୟନ୍ତ୍ରିତ ରହିଥାଏ କିମ୍ବା ସେମାନେ ମଧୁମେହରେ ପୀଡ଼ିତ ହୋଇଥାନ୍ତି ବୋଲି ବିଶେଷଜ୍ଞମାନେ କହିଛନ୍ତି। କରୋନା ରୋଗୀ ହସ୍ପିଟାଲ୍‌ରେ ଭର୍ତ୍ତି ରହିଥିବା ସମୟରେ ଡାକ୍ତରମାନେ ରକ୍ତ ଶର୍କରା ସ୍ତରକୁ ଅନୁଧ୍ୟାନ କରିଥାନ୍ତି। କିନ୍ତୁ ରୋଗୀ ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ ହେବା ପରେ ଯଦି ତାଙ୍କ ଶରୀରରେ ରକ୍ତା ଶର୍କରା ବୃଦ୍ଧିର କିଛି ଲକ୍ଷଣ ଦେଖାଯାଉଛି ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ।

କେଉଁ ସମୟରେ ହସ୍ପିଟାଲ୍ ଯିବା
ଠିକ୍ ସମୟରେ ଆମେ ଡାକ୍ତରଙ୍କ ପରାମର୍ଶ ନେଲେ ଶରୀରରେ ଦେଖା ଦେଉଥିବା ଅଧିକାଂଶ ସଂକ୍ରମଣ ଓ ରୋଗର ଚିକିତ୍ସା ସମ୍ଭବ। କୋଭିଡ୍‌ରୁ ସୁସ୍ଥ ହୋଇ ଡିସ୍‌ଚା‌ର୍ଜ ହେବାର ୨/୩ ସପ୍ତାହ ପରେ ବ୍ଲାକ୍ ଫଙ୍ଗସ୍‌ର ଲକ୍ଷଣ ଦେଖା ଦେଇଥାଏ। କିନ୍ତୁ କିଛି ରୋଗୀଙ୍କ କ୍ଷେତ୍ରରେ କୋଭିଡ୍ ପଜିଟିଭ୍ ପରୀକ୍ଷା କରିବାର ୫/୬ ଦିନ ପୂର୍ବରୁ ଲକ୍ଷଣ ରହିଥାଏ। ସଂକ୍ରମିତ ହେବା ପରେ ଅଧିକାଂଶ ରୋଗୀଙ୍କ କ୍ଷେତ୍ରରେ ଦୃଷ୍ଟିଶକ୍ତିର ସମସ୍ୟା ରହୁଥିବା ବିଶେଷଜ୍ଞମାନେ କହିଛନ୍ତି। ଏଣୁ ଲକ୍ଷଣ ଜଣାପଡ଼ିବାକ୍ଷଣି ହସ୍ପିଟାଲ୍ ଯାଇ ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ। ନାକ ଚୋକ୍ ହୋଇ ଲାଲ୍‌, କଳା କିମ୍ବା ମାଟିଆ ରଙ୍ଗର ପାଣି ବାହାରିଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ। ସେହିପରି ଚର୍ମ କଳା ପଡ଼ିଲେ, ଦୃଷ୍ଟିଶକ୍ତି କମିଲେ, ଆଖି ଲାଲ ପଡ଼ିଲେ, ଗଳା ଫୁଲିଲେ, ମୁହଁ କିମ୍ବା ଆଖି ଫୁଲିଲେ ଡାକ୍ତରଙ୍କ ପରାମର୍ଶ ନେବା ଦରକାର। କିନ୍ତୁ ଏଭଳି ଲକ୍ଷଣ ଦେଖାଦେଲେ ଜଣେ ବ୍ଲାକ୍ ଫଙ୍ଗସ୍‌ରେ ସଂକ୍ରମିତ ବୋଲି ଆମେ ସ୍ପଷ୍ଟ କହି ପାରିବା ନାହିଁ। ହସ୍ପିଟାଲ୍‌ରେ ଆବଶ୍ୟକ ପରୀକ୍ଷା ପରେ ହିଁ ତାହା ସ୍ପଷ୍ଟ ହେବ।

ପରୀକ୍ଷା ଏବଂ ଚିକିତ୍ସା ପଦ୍ଧତି
ଏମ୍ଆର୍‌ଆଇ ପରୀକ୍ଷା ଦ୍ବାରା ଏହି ରୋଗକୁ ଚିହ୍ନଟ କରି ତା’ର ପରିଣାମ ନିର୍ଣ୍ଣୟ କରାଯାଇ ପାରିବ। ସାଧାରଣତଃ ନାକରୁ ସ୍ବାବ୍‌ ସଂଗ୍ରହ କରି ପରୀକ୍ଷା (ବାୟୋପ୍‌ସି) କରାଯାଇଥାଏ। ରିପୋର୍ଟକୁ ଆଧାର କରି ଶରୀରର କେଉଁ ଅଙ୍ଗରେ ଫଙ୍ଗସ୍ ହୋଇଛି ତାହା ଚିହ୍ନଟ କରି ଚିକିତ୍ସା କରାଯାଇଥାଏ। ଏଥିପାଇଁ ରୋଗୀକୁ ଆଣ୍ଟିଫଙ୍ଗାଲ୍ ମେଡିସିନ୍ ଦିଆଯାଇଥାଏ। ଏହାଦ୍ବାରା ଅଧିକାଂଶ କ୍ଷେତ୍ରରେ ସଂକ୍ରମଣ ହ୍ରାସ ପାଇଥାଏ। କେତେକ କ୍ଷେତ୍ରରେ ଅସ୍ତ୍ରୋପଚାର ଆବଶ୍ୟକ ପଡ଼ିଥାଏ। ଅସ୍ତ୍ରୋପଚାର ସମୟରେ ଆବଶ୍ୟକସ୍ଥଳେ ରୋଗୀଙ୍କ ଆଖି, ନ ହେଲେ ସାଇନସ୍ ସିଷ୍ଟମ୍‌ର କିଛି ଅଂଶ ବାହାର କରାଯାଇଥାଏ। ଏହାଦ୍ବାରା ରୋଗୀ ଆଂଶିକ ଦୃଷ୍ଟିଶକ୍ତି ନ ହେଲେ ଶ୍ରବଣଶକ୍ତି ହରାଇ ବସିଥାନ୍ତି। ସଂକ୍ରମଣ ପୂରା ଶରୀରରେ ବ୍ୟାପିଗଲେ ରୋଗୀ ମୃତ୍ୟୁମୁଖରେ ପଡ଼ିବାର ଯଥେଷ୍ଟ ଆଶଙ୍କା ଥାଏ।

ସମ୍ବନ୍ଧିତ ଖବର