ଜୀବନ ସହ ଲଢୁଛି ରକ୍ତକର୍କଟ ଆକ୍ରାନ୍ତ ଶିଶୁ ରୋହନ୍, ଚିନ୍ତାରେ ବାପାମାଆ

ଭଞ୍ଜନଗର: ଦୁନିଆକୁ ଭଲରେ ଚିହ୍ନିବା ଆଗରୁ ରକ୍ତକର୍କଟ‌ ଆକ୍ରାନ୍ତ ହୋଇ ବଞ୍ଚିବା ପାଇଁ ସଂଘର୍ଷ କରୁଛି ଶିଶୁ ରୋହନ୍। ମୁଣ୍ଡରୁ ଚୁଟି ଝଡ଼ିବା ସହ ଆଖି ଭିତରକୁ ପଶିଗଲାଣି। ହସିଖେଳି ବୁଲିବା କଅଁଳ ବୟସରେ ବିଛଣା ପାଲଟିଛି ତା’ର ଏକ ମାତ୍ର ସାହାଭରସା। ବାପାମା’ଙ୍କ ପାଖରେ ଅଳି କରୁନି କି ଅଝଟ କରୁନି। ସବୁବେଳେ ଗୁମ୍‌ସୁମ୍। ପୁଅର ଏଭଳି ଅବସ୍ଥା ଦେଖି ବାପାମା’ଙ୍କ ଆଖିରୁ ଲୁହ ଶୁଖୁନି। କାରଣ ଦୁ‌ରାରୋଗ୍ୟରୁ ପୁଅକୁ ଭଲ କରିବାକୁ ପାଖରେ ଟଙ୍କା ନାହିଁ। ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଚିକିତ୍ସା ଚାଲିଥିବା ବେଳେ ଏହି ରୋଗ ଆଉ ଭଲ ହେବ ନାହିଁ ଡାକ୍ତର କହିବା ପରେ ସେମାନଙ୍କ ପାଦତଳୁ ମାଟି ଖସିଯାଇଛି। ଉନ୍ନତମାନର ଚିକିତ୍ସା ଦେଇ ନପାରି ନିଜ ଭାଗ୍ୟକୁ ଆଦରି ପୁଅକୁ ନେଇ ଫେରିଛନ୍ତି।

ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ୍ ଅଧୀନ ଦଦରଲୁଣ୍ଡା ପଞ୍ଚାୟତ ଖାରିଗୁଡ଼ା ଗ୍ରାମର ରବୀନ୍ଦ୍ର ଗୌଡ଼। ପରିବାର କହିଲେ ପତ୍ନୀ ପିଙ୍କି, ତିନିବର୍ଷର ପୁଅ ରୋହନ ଓ ଏକମାସର ଶିଶୁକନ୍ୟା। ପରିବାର ପ୍ରତିପୋଷଣ ପାଇଁ ଚାଷ କାର୍ଯ୍ୟ କରୁଥିବା ବ‌େଳେ ଆର୍ଥିକ ସ୍ଥିତି ସେତେଟା ଭଲ ନାହିଁ। ତଥାପି କଷ୍ଟେମଷ୍ଟେ ପରିବାର ଚଳୁଥିଲା। ହେଲେ ଏଭଳି ଘଡ଼ିସନ୍ଧି ସମୟରେ ରବୀନ୍ଦ୍ରଙ୍କ ମୁଣ୍ଡ ଉପରେ ଦୁଃଖର ପାହାଡ଼ ଛିଣ୍ଡି ପଡ଼ିଥିଲା। ୨ ମାସ ତଳେ ରୋହନକୁ ସାମାନ୍ୟ ଜ୍ବର ହେବାରୁ ତାକୁ ଭଞ୍ଜନଗର ଡାକ୍ତରଖାନାକୁ ଅଣାଯାଇଥିଲା। ସେଠାରେ ୩ରୁ ୪ ଦିନ ଚିକିତ୍ସା ପରେ ବି ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ନ ଆସିବାରୁ ତାକୁ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା। ଜଣ୍ଡିସ୍ ଯୋଗୁଁ ଜ୍ବର ରହୁଥିବା ରକ୍ତପରୀକ୍ଷାରୁ ଜଣାପଡ଼ିବା ପରେ ଶିଶୁ ବିଭାଗରେ ରୋହନର ଚିକିତ୍ସା ଚାଲିଥିଲା। ସେପଟେ ପତ୍ନୀ ପିଙ୍କିଙ୍କ ପାଖରେ ନବଜାତ ଶିଶୁକନ୍ୟା ଥିବାରୁ ସେ ପୁଅର ଦେଖାଶୁଣା କରିପାରି ନଥିଲେ। ମାସାଧିକାଳ ଧରି ଚିକିତ୍ସା ଚାଲିଥି‌ଲେ ମଧ୍ୟ ସ୍ବାସ୍ଥ୍ୟାବସ୍ଥାରେ କୌଣସି ଉନ୍ନତି ହୋଇ ନଥିଲା। ପୁଣି ଥରେ ସମସ୍ତ ନମୁନା ପରୀକ୍ଷା ହେଲା। ଆଉ ଡାକ୍ତର ଯାହା କହିଲେ, ତାହା କଳ୍ପନା ବାହାରେ ଥିଲା। ରୋହନକୁ ରକ୍ତକର୍କଟ ହୋଇଥିବା ଡାକ୍ତର କହିବା ପରେ ରବୀନ୍ଦ୍ର ଦୁଃଖରେ ଭାଙ୍ଗି ପଡ଼ିଥିଲେ। ଆଉ ପୁଅକୁ ନେଇ ଘରକୁ ଫେରିଥିଲେ। ତେବେ ସରକାର ସହାୟତାର ହାତ ବଢ଼ାଇଲେ ଉନ୍ନତମାନର ଚିକିତ୍ସା ପାଇ ତାଙ୍କ ପୁଅ ନିଶ୍ଚିତ ଭାବେ ‌ଭଲ ହୋଇ ଯିବ ବୋଲି ରବୀନ୍ଦ୍ର ଆଶାବାଦୀ ଅଛନ୍ତି। ରୋହନର ଚିକିତ୍ସା ପାଇଁ ସରକାର ଓ ପ୍ରଶାସନ ସହାୟତା ପ୍ରଦାନ କରିବା ପାଇଁ ସ୍ଥାନୀୟବାସିନ୍ଦା ମଧ୍ୟ ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର