ବ୍ରହ୍ମପୁର: ୨୦୦୯ ମସିହାରୁ ବିଏମ୍ସିରେ ଖୁଣ୍ଟପୋତି ରହିଥିବା ନିର୍ବାହୀ ଯନ୍ତ୍ରୀ ଇଂ. ସୀମାଞ୍ଚଳ ଷଡ଼ଙ୍ଗୀଙ୍କୁ ଏଠାରୁ ହଟାଯାଇଛି। ଆଜି ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗର ଚିଠି ସଂଖ୍ୟା ୧୪୧୩୯ ଅନୁଯାୟୀ ନିର୍ବାହୀ ଯନ୍ତ୍ରୀ ଇଂ. ଷଡ଼ଙ୍ଗୀଙ୍କୁ ଏଠାରୁ ପ୍ରତ୍ୟାହାର କରାଯାଇ ସେହି ଏକା ଚିଠିରେ ରିଲିଭ୍ ବି କରିଦିଆଯାଇଛି। ନିର୍ବାହୀ ଯନ୍ତ୍ରୀଙ୍କ ଉପରେ ବିଭାଗର ଏଭଳି ଚିଠିକୁ ଦେଖି ବିଏମ୍ସିରେ ବହୁ ବର୍ଷ ଧରି ଆଡ଼ା ଜମାଇଥିବା ଅନ୍ୟ ଯନ୍ତ୍ରୀଙ୍କ ମହଲରେ ଭାଲେଣି ପଡ଼ିଯାଇଛି। କାହିଁକି ଏବଂ କେଉଁ କାରଣ ଯୋଗୁଁ ଇଂ. ଷଡ଼ଙ୍ଗୀଙ୍କୁ ଏଭଳି ତରବରିଆ ଭାବେ ବଦଳି କରାଗଲା ଏହାକୁ ନେଇ ଯନ୍ତ୍ରୀଙ୍କ ମହଲରେ ଟୁପୁରୁଟାପର ଆରମ୍ଭ ହୋଇଯାଇଛି।
ବ୍ରହ୍ମପୁର ମହାନଗର ନିଗମରେ କାର୍ଯ୍ୟରତ ୧୫ଜଣ ଯନ୍ତ୍ରୀଙ୍କ ମଧ୍ୟରେ ୧୪ଜଣ ସ୍ଥାୟୀ ଯନ୍ତ୍ରୀ ଥିବା ବେଳେ ଜଣେ ଠିକାଭିତ୍ତିକ ରହିଛନ୍ତି। ୧୫ଜଣ ଯନ୍ତ୍ରୀଙ୍କ ମଧୢରେ ୨ଜଣ ନିର୍ବାହୀ ଯନ୍ତ୍ରୀ, ଜଣେ ଉପ ନିର୍ବାହୀ ଯନ୍ତ୍ରୀ, ୨ଜଣ ସହକାରୀ ନିର୍ବାହୀ ଯନ୍ତ୍ରୀ, ୪ଜଣ ସହକାରୀ ଯନ୍ତ୍ରୀ ଓ ୬ଜଣ କନିଷ୍ଠ ଯନ୍ତ୍ରୀ କାର୍ଯ୍ୟରତ ଅଛନ୍ତି। ୧୫ଜଣ ଯନ୍ତ୍ରୀଙ୍କ ମଧ୍ୟରୁ ୬ଜଣ ଯନ୍ତ୍ରୀଙ୍କ କାର୍ଯ୍ୟକାଳ ବିଏମ୍ସିରେ ୧୦ବର୍ଷରୁ ଊର୍ଦ୍ଧ୍ବ ହୋଇଥିବା ବେଳେ ବଳକା ୯ଜଣ ୫ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ଏଠାରେ ଆସ୍ଥାନ ଜମାଇ ରହିଛନ୍ତି। ବର୍ଷବର୍ଷ ଧରି ଗୋଟିଏ ସ୍ଥାନରେ ରହିବା ଫଳରେ ସେମାନେ ମନମାନି କରୁଥିବା ନେଇ ଅଭିଯୋଗ ହୋଇଆସୁଛି। ବହୁ ବର୍ଷ ଧରି ରହିବା ପରେ ଏମାନେ ଅଧିକାଂଶ ସମୟରେ ବିଏମ୍ସି କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶକୁ ବି ବେଖାତିରି କରି ଆସୁଥିବା ନେଇ ଠିକାଦାରଙ୍କ ପକ୍ଷରୁ ବିଗତ ଦିନରେ ଅଭିଯୋଗ ହୋଇଥିଲା। ଏମାନଙ୍କ ମଧ୍ୟରୁ କିଛି ଯନ୍ତ୍ରୀ ନିଜ ନିଜ ସଂପର୍କୀୟଙ୍କ ନାମରେ ଠିକା କାମ କରୁଥିବା ବେଳେ କିଛି ଯନ୍ତ୍ରୀ ନିଜକୁ ସୁହାଇବା ଭଳି ଠିକାଦାରଙ୍କୁ ନେଇ କାମ କରିଆସୁଛନ୍ତି। ଯନ୍ତ୍ରୀଙ୍କ ମନମାନି ଯୋଗୁଁ ଅଧିକାଂଶ ଉନ୍ନୟନ ପ୍ରକଳ୍ପ ବିଳମ୍ବ ହେଉଥିବା ନେଇ ବି ଅଭିଯୋଗ ହୋଇଥିଲା। ଠିକାଦାରଙ୍କୁ ସେମାନଙ୍କ ପ୍ରାପ୍ୟ ଠିକ୍ ସମୟରେ ପ୍ରଦାନ କରାଯାଉନଥିବା ଯୋଗୁଁ ସେମାନଙ୍କ ପକ୍ଷରୁ ବିଗତ ଦିନରେ ତତ୍କାଳୀନ କମିସନରଙ୍କ ନିକଟରେ ଅଭିଯୋଗ ହୋଇଥିଲା। ଉନ୍ନୟନ କାର୍ଯ୍ୟରେ ବିଳମ୍ବ ହେଉଥିବା ନେଇ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରକୁ ବି ଅଭିଯୋଗ ଯାଇଥିଲା। ଅଭିଯୋଗକୁ ଗୁରୁତ୍ବ ଦେଇ ୫ଟି ସଚିବଙ୍କ ନିର୍ଦ୍ଦେଶକ୍ରମେ ନିଗମ କର୍ତ୍ତୃପକ୍ଷ ତଦନ୍ତ ଆରମ୍ଭ କରିଥିଲେ। ଏଥିନେଇ ‘ସମ୍ବାଦ’ ପକ୍ଷରୁ ନିଗମର କାର୍ଯ୍ୟରତ ଯନ୍ତ୍ରୀଙ୍କ ଆସ୍ଥାନକୁ ନେଇ ଜୁଲାଇ ୨୮ ତାରିଖ ଦିନ ଏକ ରିପୋର୍ଟ ପ୍ରକାଶ ପାଇଥିଲା। ଆଜି ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ନିର୍ବାହୀ ଯନ୍ତ୍ରୀଙ୍କୁ ଏଠାରୁ ପ୍ରତ୍ୟାହାର କରିନିଆଯାଇଛି। ଆଜିର ଚିଠିକୁ ନେଇ ବିଏମ୍ସିରେ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଥିବା ବେଳେ ବହୁ ବର୍ଷ ଧରି ଏଠାରେ ଆସ୍ଥାନ ଜମାଇଥିବା ଯନ୍ତ୍ରୀଙ୍କ ଉପରେ ପ୍ରଶାସନିକ ଛାଟ କେବେ ବୋଲି ଆଲୋଚନା ଆରମ୍ଭ ହୋଇଯାଇଛି।
ବିଏମ୍ସିରେ ୧୦ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ରହିଥିବା ଯନ୍ତ୍ରୀଙ୍କ ମଧ୍ୟରେ ଶୀର୍ଷରେ ଅଛନ୍ତି ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ. ରଞ୍ଜନ କୁମାର ପଣ୍ତା। ଇଂ. ପଣ୍ଡା ୧୪ ବର୍ଷ ଧରି ଏଠାରେ ରହିଥିବା ବେଳେ ୧୩ ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ରହିଥିବା ଯନ୍ତ୍ରୀଙ୍କ ତାଲିକାରେ ରହିଛନ୍ତି କନିଷ୍ଠ ଯନ୍ତ୍ରୀ ରାଜୀବ କୁମାର ପଣ୍ତା ଓ ଶୁଭଶ୍ରୀ ସାହୁ। ସେପରି ୧୦ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ୨ଜଣ କନିଷ୍ଠ ଯନ୍ତ୍ରୀଙ୍କ ମଧୢରେ ରହିଛନ୍ତି ଶୃତିକା କୁମାରୀ ପାତ୍ର ଓ ସ୍ବପ୍ନା ସାହୁ। ୯ବର୍ଷ ଧରି ଚୁକ୍ତିଭିତ୍ତିକ ଯନ୍ତ୍ରୀ ଭାବେ ଜିତେନ୍ଦ୍ର କୁମାର ପଟ୍ଟନାୟକ ରହିଥିବା ବେଳେ ୭ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ଉପ ନିର୍ବାହୀ ଯନ୍ତ୍ରୀ ଏମ୍. ନାଗେଶ୍ବର ସୁବୁଦ୍ଧି ଓ କନିଷ୍ଠ ଯନ୍ତ୍ରୀ ଶୁଭସ୍ମିତା ପୃଷ୍ଟି ରହିଛନ୍ତି। ୫ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ନିର୍ବାହୀ ଯନ୍ତ୍ରୀ ଇଂ. ବସନ୍ତ କୁମାର ପାଢ଼ୀ, ସହକାରୀ ଯନ୍ତ୍ରୀ ତାପନ କୁମାର ରାୟ, କନିଷ୍ଠ ଯନ୍ତ୍ରୀ ଶୁଚିସ୍ମିତା ପୁହାଣ, ଗଣେଶ ପ୍ରସାଦ ପାତ୍ର ରହିଥିବା ସୂଚନା ମିଳିଛି। ଏମାନଙ୍କ ମଧ୍ୟରୁ ବହୁ ଯନ୍ତ୍ରୀ ବ୍ରହ୍ମପୁର ନିଗମରୁ କାର୍ଯ୍ୟାରମ୍ଭ କରିଥିବା ବେଳେ ମଝିରେ କିଛି ମାସ ପାଇଁ ବଦଳି ହୋଇ ପୁଣି ମୂଳ ସ୍ଥାନକୁ ଆସିଯାଇଛନ୍ତି। ବଦଳି ସମୟର କିଛି ମାସକୁ ବାଦ୍ ଦେଇ ଯଦି ହିସାବ କରାଯାଏ ତେବେ ଅଧିକାଂଶ ୧୫ ବର୍ଷରୁ ୨୪ ବର୍ଷ ଧରି ଏଠାରେ ଖୁଣ୍ଟପୋତି ରହିଛନ୍ତି। ତେବେ ବିଭାଗର ପରବର୍ତ୍ତୀ ଛାଟ କାହା ଉପରେ ପଡ଼ୁଛି ଏହା ଦେଖିବାକୁ ବାକି ରହିଲା।