ଗ୍ରାମବାସୀଙ୍କ ଥାନା ଘେରାଉ

Advertisment

ପୁରୁଷୋତ୍ତମପୁର : ସାମାନ୍ୟ ବଚସାକୁ କେନ୍ଦ୍ର କରି ଗଞ୍ଜାମ ଜିଲ୍ଳା ପୁରୁଷୋତ୍ତମପୁର ଏନ୍‌ଏସି ଅନ୍ତର୍ଗତ ଅମୁଣିଆ ସାହିର ଅସାମାଜିକ ଗୋଷ୍ଠୀ ଓ କୁମାରୀ ଗ୍ରାମବାସୀଙ୍କ ମଧ୍ୟରେ ସଂଘର୍ଷ ଘଟିଛି। ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ଅମୁଣିଆ ସାହିର ଅସାମାଜିକ ଯୁବକ ମାନେ ପୁରୁଷୋତ୍ତମପୁର ସହରରେ ତିନି ଘଣ୍ଟା ଧରି ଆତଙ୍କରାଜ୍‌ ଘଟାଇଛନ୍ତି। ସେମାନଙ୍କ ଆକ୍ରମଣରେ କୁମାରୀ ଗ୍ରାମର ରଙ୍କ ବେହେରା ଓ ପୁରୁଷୋତ୍ତମପୁରରେ ଥିବା ହିରୋ ସୋ’ରୁମ୍‌ ମାଲିକ ତଥା କୁମାରୀ ଗ୍ରାମର ପ୍ରଦୀପ କୁମାର ସାମନ୍ତରା ଆହତ ହୋଇଛନ୍ତି। ଉକ୍ତ ଯୁବକ ମାନେ ତାଙ୍କ ସୋ’ରୁମ୍‌ର କାଚ ଭାଙ୍ଗି ଦେବା ସହ ହତ୍ୟା ଧମକ ଦେଇଛନ୍ତି। ଖାଲି ଏତିକି ନୁହେଁ, ପୁରୁଷୋତ୍ତମପୁରରେ ପରିବା ବ୍ୟବସାୟ କରୁଥିବା ୪୦ରୁ ୫୦ ଜଣ ମହିଳାଙ୍କୁ ବି ସେମାନେ ଆକ୍ରମଣ କରିଥିଲେ।

ଏହି ଘଟଣାକୁ ନେଇ ପୁରୁଷୋତ୍ତମପୁର ସହରରେ ଉତ୍ତେଜନା ଦେଖା ଦେବା ସହ ସଂପୃକ୍ତ ଅସାମାଜିକ ଗୋଷ୍ଠୀ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ କୁମାରୀ ଗ୍ରାମବାସୀ ଥାନା ଘେରାଉ କରିଥିଲେ। ଖବର ମିଳିବା ସୁଦ୍ଧା ଗ୍ରାମରେ ଉତ୍ତେଜନା ଲାଗି ରହିଛି। ଘେରାଉ କରି ଫେରୁଥିବା ବେଳେ ଅସାମାଜିକ ଗୋଷ୍ଠୀର କିଛି ଯୁବକ ପୁଣି କୁମାରୀ ଗ୍ରାମର ବନମାଳୀ ଦାଶଙ୍କୁ ଆକ୍ରମଣ କରିଛନ୍ତି। ସେହିପରି କୁମାରୀ ଗ୍ରାମବାସୀଙ୍କ ପ୍ରତି ଆକ୍ରମଣରେ ଅସାମାଜିକ ଗୋଷ୍ଠୀର ପିଣ୍ଟୁ ଗୌଡ଼ ଓ ସୁଶାନ୍ତ ଗୌଡ଼ ଆହତ ହୋଇଥିବା ଜଣାପଡ଼ିଛି।

ମିଳିଥିବା ସୂଚନାନୁସାରେ, ଗୁରୁବାର ଦିନ କୁମାରୀ ଗ୍ରାମର ଜଣେ ବାଇକ୍‌ ଆରୋହୀଙ୍କ ସହ ଅମୁଣିଆ ସାହିର ଅସାମାଜିକ ଗୋଷ୍ଠୀର ଜଣେ ଯୁବକଙ୍କ ସାଇକେଲ୍‌ ଧକ୍କା ହୋଇଯାଇଥିଲା। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବାକ୍‌ବିତଣ୍ଡା ହୋଇଥିଲା। କିଛି ସମୟରେ ଉକ୍ତ ୮ଜଣ ଅସାମାଜିକ ଯୁବକ କୁମାରୀ ଗ୍ରାମର ବାଇକ୍‌ ଆରୋହୀଙ୍କୁ ମରଣାନ୍ତକ ଆକ୍ରମଣ କରିବାରୁ ସେ ଆହତ ହୋଇଥିଲେ। ଏନେଇ କୁମାରୀ ଗ୍ରାମବାସୀ ପୁରୁଷୋତ୍ତମପୁର ଥାନାରେ ଅଭିଯୋଗ କରିଥିଲେ ବି ପୁଲିସ ଘଟଣାକୁ ହାଲ୍‌କାର ସହ ଗ୍ରହଣ କରିଥିଲା। ଏଥିରେ କୁମାରୀ ଗ୍ରାମବାସୀ ଉତ୍ତ୍ୟକ୍ତ ହୋଇ ପଳାଇଥିଲେ। ଆବଶ୍ୟକ ପଡ଼ିଲେ ଆଇନ୍‌ ନିଜ ହାତରେ ନେବୁ ବୋଲି ଧମକ ଦେଇଥିଲେ। ଯାହାକୁ ନେଇ ଅସାମାଜିକ ଗୋଷ୍ଠୀ-କୁମାରୀ ଗ୍ରାମବାସୀଙ୍କ ମଧ୍ୟରେ ଗୁରୁବାରଠୁ ଛକାପଞ୍ଝା ଲାଗି ରହିଥିଲା। ଆଜି ଏହି ଛକାପଞ୍ଝା ଉଗ୍ର ରୂପ ଧାରଣ କରିଥିଲା।