ଭିଜିଲାନ୍‌ସ ପଞ୍ଝାରେ ବୁଗୁଡ଼ା ରେଞ୍ଜର୍‌

ଦେଢ଼ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଠାବ, ତଲାସ ଜାରି

ବୁଗୁଡ଼ା : ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍‌ସ ଜାଲରେ ପଡ଼ିଛନ୍ତି ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବନାଞ୍ଚଳ ଅଧିକାରୀ ପ୍ରଶାନ୍ତ କୁମାର ସାହୁ। ବ୍ରହ୍ମପୁର ଭିଜିଲାନ୍‌ସ ଡିଭିଜନ୍‌ର ୫ଟି ଟିମ୍‌ ଆଜି ପ୍ରଶାନ୍ତଙ୍କ କାର୍ଯ୍ୟାଳୟ ଓ ବାସଭବନ ସମେତ ମୋଟ ୫ଟି ସ୍ଥାନରେ ସକାଳରୁ ସନ୍ଧ୍ୟା ପର୍ଯ୍ୟନ୍ତ ଛାନ୍‌ଭିନ୍‌ କରିଛନ୍ତି। ଖବର ମିଳିବା ସୁଦ୍ଧା ପ୍ରଶାନ୍ତଙ୍କ ପାଖରୁ ମୋଟ ଏକ କୋଟି ୫୫ ଲକ୍ଷ ୮୩ହଜାର ୮୭୯ ଟଙ୍କାର ସ୍ଥାବର ଓ ଅସ୍ଥାବର ସଂପତ୍ତି ଠାବ କରାଯାଇଛି। ବିଭିନ୍ନ ସ୍ଥାନରେ ଛାନ୍‌ଭିନ୍‌ ଜାରି ରହିଛି।

ଭିଜିଲାନ୍‌ସର ଦୁଇଟି ଟିମ୍‌ ଆଜି ଭଂଜନଗରରେ ପ୍ରଶାନ୍ତଙ୍କ ଦୁଇ ପୁଅଙ୍କ ନାମରେ ଥିବା ଗୋଟିଏ ତିନି ମହଲା କୋଠା(ଯାହାର ମୂଲ୍ୟ ୬୮ଲକ୍ଷ ୮୨ହଜାର ୧୪୭), ବାଇପାସ୍‌ ରୋଡ୍‌ରେ ଥିବା ନିଜସ୍ୱ ଘର(୭ଲକ୍ଷ ୫୦ହଜାର ଟଙ୍କା), ବୁଗୁଡ଼ା କାର୍ଯ୍ୟାଳୟ, ସରକାରୀ କ୍ୱାର୍ଟର ଏବଂ ବେଲଗୁଣ୍ଠା ବ୍ଲକ ବଡ଼ବୋରସିଙ୍ଗିରେ ଥିବା ଶ୍ୱଶୁର ଘର ଓ ଦୁଇ ଶଳାଙ୍କ ବାସଭବନରେ ଚଢଉ କରିିଥିଲେ। ଭୋର୍‌ ୪ଟାରୁ ବିଭିନ୍ନ ସ୍ଥାନରେ ଛାନ୍‌ଭିନ୍‌ ଆରମ୍ଭ ହୋଇଥିଲା।

ବୁଗୁଡ଼ା ସରକାରୀ ବାସଭବନରୁ ନଗଦ ୩ଲକ୍ଷ ୪୩ହଜାର ୬୧୦ ଟଙ୍କା, ୩୬୩ ଗ୍ରାମ୍‌ ଓଜନର ସୁନା ଅଳଙ୍କାର (୫ଲକ୍ଷ ୪୪ହଜାର ୫ଶହ), ୩ଶହ ଗ୍ରାମ୍‌ ରୁପା ଅଳଙ୍କାର ଜବତ ହୋଇଛି। ସେହିପରି ବୁଗୁଡ଼ା ଓ ଭଂଜନଗରରେ ୬ଲକ୍ଷ ୧୬ହଜାର ଟଙ୍କା ମୂଲ୍ୟର ଜମି, ୨ଲକ୍ଷ ୨୬ହଜାର ଟଙ୍କାର ଘର କରକରଣା ସାମଗ୍ରୀ, ବିଭିନ୍ନ କଂପାନିରେ ୬ଲକ୍ଷ ୯ହଜାର ୫୦୩ ଟଙ୍କାର ଇନୁସ୍ୟୁରାନ୍‌ସ, ୪୫ହଜାର ୫ଶହ ଟଙ୍କା ବ୍ୟାଙ୍କ ଡିପୋଜିଟ୍‌, ୧୦ ଲକ୍ଷ ଟଙ୍କା ମୂଲ୍ୟର ଏକ ସ୍କୋର୍ପିଓ ଥିବା ଜଣାପଡ଼ିଛି। ଖବର ମିଳିବା ସୁଦ୍ଧା ବିଭିନ୍ନ ସ୍ଥାନରେ ଖୋଳତାଡ଼ ଜାରି ରହିଛି। ବ୍ରହ୍ମପୁର ଭିଜିଲାନ୍‌ସ ଡିିଭିଜନ୍‌ ଏସ୍‌ପି ବେଣୁଧର ନାୟକଙ୍କ ନେତୃତ୍ୱରେ ଇନସପେକ୍ଟର ରାଜୀବ କୁମାର ବେହେରା, କୁମୁଦିନୀ ସାହୁ, ନିର୍ମଳ ଚନ୍ଦ୍ର ନାୟକ ପ୍ରମୁଖ ଚଢଉ କରିଥିଲେ।

ସମ୍ବନ୍ଧିତ ଖବର