ଅଧାରୁ ରହିଲା ନିର୍ବନ୍ଧ, ଭାଙ୍ଗିଗଲା ସୁନେଲି ସ୍ବପ୍ନ: ହୁଳହୁଳି ବଦଳରେ ଶୁଭିଲା କାନ୍ଦଣା…

ରଙ୍ଗେଇଲୁଣ୍ଡା: ଆଉ ମାତ୍ର କିଛି କ୍ଷଣ ପରେ ହୋଇଥାନ୍ତା ନିର୍ବନ୍ଧ! ହେଲେ, ନିମଷକେ ଭାଙ୍ଗି ଗଲା ସୁନେଲି ସ୍ବପ୍ନ। ଉଭୟ ବରପକ୍ଷ ଓ କନ୍ୟାପକ୍ଷର ଲୋକେ ଏକାଠି ରୁଣ୍ଡ ହୋଇଥାନ୍ତେ। ମହାପ୍ରସାଦକୁ ସାକ୍ଷୀ ରଖି ନିର୍ବନ୍ଧ ବନ୍ଧନରେ ବାନ୍ଧି ହୋଇଥାନ୍ତେ ଆଗକୁ ପତି-ପତ୍ନୀ ହେବାକୁ ଥିବା ବର-ବଧୂ। ସବୁକିଛି ଉଜୁଡ଼ି ଗଲା। ଦୁଇ ପରିବାରର ଖୁସି ଉପରେ କାହାର ନଜର ଲାଗିଲା କି ଆଉ!

ପଡ଼ି ରହିଛି ଫଳଫୁଲୁରୀ, ନିଆଁରେ ଜଳି ଭସ୍ମ ହୋଇଗଲା କନ୍ୟା ପାଇଁ ଯାଉଥିବା ବରପକ୍ଷର ଶାଢ଼ି। ସିଟ୍‌ ଉପରେ ଥୁଆ ହୋଇଛି ନିର୍ବନ୍ଧ ଲଡୁ ଥାଳି। ଭାଙ୍ଗିନି ନଡ଼ିଆ, ସେହପରି ଗୋଟା ଗୋଟା ହୋଇ ଥୁଆ ହୋଇଛି। ନିର୍ବନ୍ଧ ପାଇଁ ଯାଉଥିବା ପୂଜା ସମାଗ୍ରୀରୁ ନେଇ ଅନ୍ୟ ସମସ୍ତ ଦ୍ରବ୍ୟ ପୂର୍ବ ପରି ଅକ୍ଷତ ରହିଛି। ଖାଲି ଚାଲି ଯାଇଛି ୧୧ ଜଣଙ୍କ ଜୀବନ। ଉଜୁଡ଼ି ଯାଇଛି ସେମାନଙ୍କ ପରିବାର ଲୋକଙ୍କ ଖୁସି।

ହୁଳହୁଳି ପକାଇବାକୁ ପ୍ରସ୍ତୁତ ଥିବା ବୁଢ଼ି ମାଉସୀର କଣ୍ଠରୁ ଶୁଭୁଛି କରୁଣ କାନ୍ଦଣା। କାହା ମଥାରୁ ସିନ୍ଦୂର ଲିଭିଯାଇଛି ତ କାହା କୋଳ ଶୂନ୍ୟ ହୋଇଛି। ଆଉ କିଏ ହୋଇଯାଇଛି ଅନାଥ। ଖସଖୁସିର ମାହୋଲ୍‌ରେ ଛାଇଯାଇଛି କଳା ବାଦଲ। ହସ୍ପିଟାଲ୍‌ ସମ୍ମୁଖରେ ଅସଂଖ୍ୟ ଲୋକଭିଡ଼।

କିଏ ଜାଣିଥିଲା  ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ ଦାଙ୍କୁଲୁପାଡୁ ଗାଁର ଏକ ବରପକ୍ଷର ୪୩ ଜଣ ବ୍ୟକ୍ତି ଏକ ବସ୍‌ରେ ସବାର ହୋଇ ନିର୍ବନ୍ଧ ଉଦ୍ଦେଶ୍ୟରେ କନ୍ୟାଘର ଶିଖରଡ଼ା ଅଭିମୁଖେ ଯାତ୍ରାରମ୍ଭ କରିବା ବାଟରେ ଜଗି ବସିଥିଲା ଯମ! ୧୧ କେଭିର ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ବସ୍‌ଟି ଦୁର୍ଘଟଣାଗ୍ରସ୍ତ ହୋଇ ୧୧ ଜଣଙ୍କ ଜୀବନ ଯେ ନେଇଯିବ ତାହା କାହାକୁ ବା ଗୋଚର ଥିଲା?

ଉଲ୍ଲେଖଯୋଗ୍ୟ,  ଆଜି ମଧ୍ୟାହ୍ନରେ ଗଞ୍ଜାମ ଜିଲ୍ଲାର ରଙ୍ଗେଇଲୁଣ୍ଡା ନିକଟରେ ଘଟିଯାଇଛି ଏକ ହୃଦୟବିଦାରକ ଘଟଣା। ଏକ ନିର୍ବନ୍ଧ ଉତ୍ସବରେ ଯୋଗ ଦେବା ପାଇଁ ବରପକ୍ଷର ୪୦ରୁ ଊର୍ଧ୍ବ ବ୍ୟକ୍ତି ‌ଏକ ବସ୍‌ ଯୋଗେ ବେଶ୍‌ ହସଖୁସିରେ କନ୍ୟାଘର ଅଭିମୁଖେ ଯାତ୍ରାରମ୍ଭ କରିଥିବା ବେଳେବାଟରେ ହଠାତ୍‌ ୧୧ କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସିବା ପରେ ଘଟିଥିଲା ଏକ ମର୍ମନ୍ତୁଦ ଦୁର୍ଘଟଣା। ୧୧ କେଭି ବିଦ୍ୟୁତ୍‌ତାର ସଂସ୍ପର୍ଶରେ ଆସିଯିବା ପରେ ବସ୍‌ରେ ପ୍ରବାହିତ ହୋଇଥିଲା ଉଚ୍ଚଶକ୍ତିର ବିଦ୍ୟୁତ୍‌ କରେଣ୍ଟ୍‌ ଏବଂ ବିଦ୍ୟୁତ୍‌  ଆଘାତରେ ୧୧ ଜଣଙ୍କର ଜୀବନ ଚାଲି ଯାଇଥିବା ବେଳେ ୩୦ ଜଣ ଗୁରୁତର ହୋଇଥିଲେ। ଘଟଣାସ୍ଥଳରେ ୬ ଜଣ ମୃତ୍ୟୁମୁଖରେ ପଡ଼ିଥିବା ବେଳେ ଅବଶିଷ୍ଟ ୫ ଜଣଙ୍କର ଡାକ୍ତରଖାନାକୁ ନେବା ବାଟରେ ମୃତ୍ୟୁ ହୋଇଯାଇଥିଲା।

 

ସମ୍ବନ୍ଧିତ ଖବର