ଶାନ୍ତଶିଷ୍ଟ ବାବୁର ଅପରାଧ ଦୁନିଆ ପ୍ରବେଶ..

ଭଞ୍ଜନଗର: ଗଞ୍ଜାମ ପୁଲିସର ଆଖିରୁ ନିଦ ହଜାଇ ଦେଇଥିବା ଦୁର୍ଦ୍ଦାନ୍ତ ଅପରାଧୀ ବାବୁ ନାଇକ ଗତକାଲି ପୁଲିସଏନକାଉଣ୍ଟରରେ ନିହତ ହେବା ଘଟଣାକୁ ନେଇ ତା’ର ଗାଁ ବାଲିସାହିରେ ଚର୍ଚ୍ଚା ଜୋର୍ ଧରିଛି। ଏହାକୁ ନେଇ ବିଭିନ୍ନ ଆଲୋଚନା ହେଉଥିବା ବେଳେ ଲୋକେ ଏନକାଉଣ୍ଟରକୁ ନେଇ ଭିନ୍ନ ଭିନ୍ନ ମତ ରଖିଛନ୍ତି। ବାବୁର ବିଗତ ଜୀବନ ବିଷୟରେ ମା’ ବାସନ୍ତୀ କହିଛନ୍ତି, ଭଞ୍ଜନଗର ଥାନା ଅନ୍ତର୍ଗତ ବାଉଁଶଲୁଣ୍ଡି ପଞ୍ଚାୟତ ଚାକୁଣ୍ଡାପଲ୍ଲୀ ଗ୍ରାମରେ ବାବୁର ଜନ୍ମ ହୋଇଥିଲା। ତା’ର ଜନ୍ମ ପରେ ପରିବାର ବର୍ଗ ଚଢ଼ିଆପଲ୍ଲୀ ଗ୍ରାମ ନିକଟସ୍ଥ ବାଲିସାହି ଅଞ୍ଚଳକୁ ଆସି ରହୁଥିଲେ। ଚାକୁଣ୍ଡାପଲ୍ଲୀ ବିଦ୍ୟାଳୟରେ ବାବୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଓ ଜିଲୁଣ୍ଡି ବିଦ୍ୟାଳୟରେ ନବମ ଶ୍ରେଣୀ ପର୍ଯ୍ୟନ୍ତ ପଢିଥିଲା। ପିଲାଟି ଦିନରୁ ଶାନ୍ତଶିଷ୍ଟ ଭାବେ ରହୁଥିବା ବେଳେ ଘରୁ ବାହାରୁ ନଥିଲା। ଏପରିକି ‌କୌଣସି ସାଙ୍ଗସାଥିଙ୍କ ସହ ମିଳାମିଶା ବି କରୁ ନଥିଲା। ଦଣ୍ଡନାଚ ବେଳେ ଗାଁ ପରିବେଶ କୋଳାହଳମୟ ‌ରହୁଥିବା ବେଳେ ସାଙ୍ଗଙ୍କ ସହ ଯାତ୍ରା ବି ଦେଖିବାକୁ ଯାଉ ନଥିଲା। କିନ୍ତୁ ସବୁ ସମୟରେ ବାପା ଭିକାରୀ ନାଇକଙ୍କୁ ଚାଷ କାମରେ ସହଯୋଗ କରି ଆସୁଥିଲା। ତେବେ ହଠାତ୍ ଯୁବାବସ୍ଥାରେ ତା’ର ମନରେ ପରିବର୍ତନ ଆସିଥିଲା। ଆଉ କୁସଙ୍ଗରେ ପଡ଼ି ଅପରାଧ ଦୁନିଆରେ ପାଦ ଥାପି ଥିଲା। ନୟାଗଡ଼ ଜିଲ୍ଲାରେ ‌ପ୍ରଥମ ଅପରାଧ ଘଟାଇ ସେ ଗିରଫ ହୋଇଥିଲା। ଏହା ପରେ ଧୀରେ ଧୀରେ ଅପରାଧ ଦୁନିଆରେ ବାବୁ ବେଶ୍ ସକ୍ରିୟ ହୋଇ ପୁଲିସ ସହ ଲୁଚକାଳି ଖେଳି ଆସୁଥିଲା। ଗତବର୍ଷ ଏନକାଉଣ୍ଟର ପରେ ସେ ଭଞ୍ଜନଗର ଜେଲରେ ଥିଲା। କିନ୍ତୁ ସେଠାରୁ ଓ ପୁଣି ବ୍ରହ୍ମପୁର ବଡ଼ମେଡିକାଲରୁ ଫେରାର ହେବା ପୁଲିସ ପାଇଁ ଏକ ଚ୍ୟାଲେଞ୍ଜ ସଦୃଶ ପାଲଟିଯାଇଥିଲା। ଆଉ ଗତକାଲି ଏନକାଉଣ୍ଟରରରେ ସେ ଟଳି ପଡ଼ିଥିଲା। ଗତ କିଛି ବର୍ଷ ହେଲା ବାବୁ ଘରେ ଠିକ୍ ଭାବେ ରହୁନଥିବା ବେଳେ ତାର ଦୁଇ ସାନ ଭାଇ ରୋଜଗାର ପାଇଁ ସୁରତ ଚାଲି ଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର