ଛତ୍ରପୁର ବିଧାନସଭା କ୍ଷେତ୍ର : ବିଜେଡି ପାଇଁ ସମ୍ମାନର ପ୍ରଶ୍ନ

ବ୍ରହ୍ମପୁର,(ପ୍ରଦୀପ ସାହୁ): ଗଞ୍ଜାମ ଜିଲ୍ଲାର ଲାଲଗଡ଼ ଭାବେ ପରିଚିତ ଛତ୍ରପୁର ବିଧାନସଭା କ୍ଷେତ୍ର ୨୦୧୪ରେ ପ୍ରଥମ ଥର ବିଜେଡି ଦଖଲକୁ ଆସିଥିଲା। ବାମଦଳ ତଥା ସିପିଆଇ ଦ୍ବିତୀୟ, ଗୈରିକ ଦଳ ବିଜେପି ତୃତୀୟ ଓ ଜାତୀୟ କଂଗ୍ରେସକୁ ଚତୁର୍ଥ ସ୍ଥାନରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା। ଆଗାମୀ ବିଧାନସଭା ନିର୍ବାଚନରେ ସ୍ଥିତି ବଜାୟ ରଖିବା ବିଜେଡି ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କଲାଣି।

ଛତ୍ରପୁର ବିଧାନସଭା କ୍ଷେତ୍ର ୨୦୦୯ ସୀମା ନିର୍ଦ୍ଧାରଣ ପରେ ଅନୁସୂଚିତ ଜାତି ବର୍ଗଙ୍କ ପାଇଁ ସଂରକ୍ଷିତ ରହିଛି। ଛତ୍ରପୁର ବ୍ଲକ, ଗଞ୍ଜାମ ବ୍ଲକ ଏବଂ ଛତ୍ରପୁର, ଗଞ୍ଜାମ ଓ ରମ୍ଭା ତିନିଟି ଏନ୍ଏସିକୁ ନେଇ ବିଧାନସଭା ଏହି ନିର୍ବାଚନ ମଣ୍ଡଳୀ ଗଠିତ। ଗତ ନିର୍ବାଚନ ଫଳାଫଳ ଅନୁଯାୟୀ ଏହି ବିଧାନସଭା କ୍ଷେତ୍ରର ଭୋଟର ସଂଖ୍ୟା ୨ଲକ୍ଷ ୩ହଜାର ୯୬୬ଜଣ। ୧୯୫୧ ଠାରୁ ଅଦ୍ୟାବଧି ୧୫ଟି ନିର୍ବାଚନ ହୋଇଛି। ଏହି କ୍ଷେତ୍ରରୁ ସ୍ବାଧୀନ ପ୍ରାର୍ଥୀ ଥରେ, କଂଗ୍ରେସ ପ୍ରାର୍ଥୀ ୩ ଥର, ଉତ୍କଳ କଂଗ୍ରେସ ପ୍ରାର୍ଥୀ ଥରେ, ବିେଜପି(ବିଜେଡି ସହ ମେଣ୍ଟରେ) ଥ‌ରେ, ସିପିଆଇ ପ୍ରାର୍ଥୀ ୮ ଥର ଓ ବିଜେଡି ପ୍ରାର୍ଥୀ ଥରେ ବିଜୟୀ ହୋଇଛନ୍ତି। ଏହି ଆସନରୁ ସିପିଆଇର ଲକ୍ଷ୍ମଣ ମହାପାତ୍ର ସର୍ବାଧିକ ୩ଥର ବିଜୟୀ ହୋଇଥିଲେ। ଏପରିକି ଏହି ଆସନରେ ସିପିଆଇର ସ୍ଥିତି ଏଭଳି ରହିଥିଲା, ଜାତୀୟ ଓ ଆଞ୍ଚଳିକ ଦଳମାନେ ବାମ ଦଳ ସହ ମେଣ୍ଟ ବେଳେ ଏହି ଆସନକୁ ସିପିଆଇକୁ ଛାଡୁଥିଲେ।

୨୦୧୪ରେ ମେଣ୍ଟ ନ ଥିଲା। ବିଜେଡି, କଂଗ୍ରେସ, ବିଜେପି ଏବଂ ସିପିଆଇ ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା ହୋଇଥିଲା। ଡାକ୍ତର ପ୍ରିୟାଂଶୁ ପ୍ରଧାନ ବିଜେଡିରୁ ଲଢି ୫୩,୨୨୧ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିଲେ। ବିଜେଡି ଏହି ଆସନକୁ ପ୍ରଥମ ଥର ପାଇଁ ଦଖଲ କରିଥିଲେ ହେଁ ପରବର୍ତ୍ତୀ ସମୟରେ ସ୍ଥିତି ଦୋହଲିବାରେ ଲାଗିଛି। ସାଂସଦ-ବିଧାୟକ ଗୋଷ୍ଠୀ ମଧ୍ୟରେ ମତଭେଦ ଲାଗି ରହିଛି। ଫଳ ସ୍ବରୂପ ପଞ୍ଚାୟତ ନିର୍ବାଚନରେ ଦଳ ଭଲ ପ୍ରଦର୍ଶନ କରି ପାରି ନଥିଲା। ପଞ୍ଚାୟତ ନିର୍ବାଚନରେ ଏହି କ୍ଷେତ୍ରର ୫ଟି ଜିଲ୍ଲା ପରିଷଦ ‌ଜୋନ ମଧ୍ୟରୁ ୪ଟି ବିଜେଡି ଏବଂ ଗୋଟିଏକୁ ବିଜେପି ଦଖଲ କରିଥିଲା। ୨ଟି ବ୍ଲକ ଅଧ୍ୟକ୍ଷ ଆସନ ମଧ୍ୟରୁ ଗଞ୍ଜାମ ବ୍ଲକ ଅଧ୍ୟକ୍ଷ ପଦକୁ ମଧ୍ୟ ବିଜେପି ଦଖଲ କରିଥିଲା।

ଏବେ ବିେଜପି ଉତ୍ସାହିତ େହାଇପଡିଛି। ବିେଜପିରେ ସାମିଲ ହୋଇଛନ୍ତି ସିପିଆଇ ନେତା କୃଷ୍ଣଚନ୍ଦ୍ର ନାୟକ। ଦଳ ତାଙ୍କୁ ଜିଲ୍ଲା ସମ୍ପାଦକ ଦାୟିତ୍ବ ପ୍ରଦାନ କରିଥିଲା। ଗତ ସାଧାରଣ ନିର୍ବାଚନରେ ସେ ସିପିଆଇରୁ ପ୍ରାର୍ଥୀ ହୋଇ ୩୧,୨୦୨ଖଣ୍ଡ ଭୋଟ ପାଇ ଦ୍ବିତୀୟ ସ୍ଥାନରେ ରହିଥିଲେ। କିନ୍ତୁ ୨୦୧୬ ସେପ୍ଟେମ୍ବର ୧୬ରେ ସଂଗଠିତ ବିଜେଡି କାଉନସିଲର ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟାକାଣ୍ଡରେ କୃଷ୍ଣଙ୍କ ସମ୍ପୃକ୍ତି ବିେଜପିକୁ ଅଡୁଆ ସ୍ଥିତିରେ ପକାଇଛି। କୃଷ୍ଣ ଏବେ ଜେଲରେ ଥିବା ବେଳେ ବିଜେପିର ଦୁଇ ରାଜ୍ୟସ୍ତରୀୟ ନେତାଙ୍କ ମୁଣ୍ଡ ଉପରେ ଖଣ୍ଡା ଝୁଲିଛି। ଏହା କେବଳ ଛତ୍ରପୁର ବିଧାନସଭା କ୍ଷେତ୍ରରେ ନୁ‌ହଁ, ଗଞ୍ଜାମ ଜିଲ୍ଲାରେ ବିଜେପିର ଭାବମୂର୍ତ୍ତିରେ ମଧ୍ୟ ଆଞ୍ଚ ଆଣିଛି।

ଆଗାମୀ ସାଧାରଣ ନିର୍ବାଚନରେ କଂଗ୍ରେସ-ବାମଦଳ ମଧ୍ୟରେ ମେଣ୍ଟ ସମ୍ଭାବନା ରହିଛି। ଯଦି ମେଣ୍ଟ ହୁଏ ତେବେ ଏହି ଆସନ ସିପିଆଇ ଭାଗରେ ହିଁ ପଡିବ ବୋଲି କୁହାଯାଉଛି। ଏହାକୁ ନେଇ ଛତ୍ରପୁର ନିର୍ବାଚନ ମଣ୍ଡଳୀର କଂଗ୍ରେସ ନେତାମାନେ ଅସନ୍ତୁଷ୍ଟ ରହିଛନ୍ତି। ଏହି ବିଧାନସଭା ଆସନରୁ ବିଜେଡି ଓ ବିଜେପିରୁ ୩ଜଣ ଲେଖାଏଁ ଏବଂ କଂଗ୍ରେସ ଓ ସିପିଆଇରୁ ୨ଜଣ ଲେଖାଏଁ ଆଶାୟୀ ରହିଥିବା ଜଣାପଡିଛି। ବିଜେଡିର ପୁଣି ଟିକେଟ ପାଇବା ଲାଗି ବିଧାୟକ ପ୍ରିୟାଂଶୁ ପ୍ରଧାନ ଲବି ଚଳାଇଛନ୍ତି। ଜିଲ୍ଲା ପରିଷଦ ସଭାପତି ସୁବାସ ଚନ୍ଦ୍ର ବେହେରା ଏବଂ ଗତ ନିର୍ବାଚନରେ କଂଗ୍ରେସର ପ୍ରାର୍ଥୀ ହୋଇଥିବା ଏବଂ ବର୍ତ୍ତମାନ ବିଜେଡିର ଥିବା ବନମାଳୀ ସେଠୀ ମଧ୍ୟ ବିଜେଡି ଟିକେଟ ଲାଗି ଆଶାୟୀ ରହିଥିବା କୁହାଯାଉଛି।

ବିଜେପିରୁ ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଧରଣୀଧର ବେହେରା, ନିକଟରେ ବିଜେପିରେ ଯୋଗ ଦେଇଥିବା ଛତ୍ରପୁର ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ପ୍ରଶାନ୍ତ କର ଓ ଅବସରପ୍ରାପ୍ତ ଶ୍ରମ କମିସନର ତ୍ରିନାଥ ବେହେରା ପ୍ରାର୍ଥୀ ହେବାକୁ ଆଶାୟୀ ଅଛନ୍ତି। ସିପିଆଇରୁ ପ୍ରଦୀପ ସେଠୀ ଓ ତ୍ରିନାଥ ବେହେରା ଆଶାୟୀ ରହିଛନ୍ତି। କଂଗ୍ରେସରୁ ପ୍ରାର୍ଥୀ ହେବା ପାଇଁ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଭାଗୀରଥି ବେହେରା ଓ ଅବସରପ୍ରାପ୍ତ ସେନା କର୍ମଚାରୀ ସୁରେନ୍ଦ୍ର ସେଠୀ ଆଶାୟୀ ଥିବା ଜଣାପଡିଛି।

୨୦୧୪ ନିର୍ବାଚନ ଫଳାଫଳ

ବିଜେଡି    ପ୍ରିୟାଂଶୁ ପ୍ରଧାନ         ୫୩ ୨୨୧
ସିପିଆଇ  କୃଷ୍ଣଚନ୍ଦ୍ର ନାୟକ          ୩୧ ୨୦୨
ବିଜେପି    ଧରଣୀଧର ବେହେରା   ୨୭୫୧୧
କଂଗ୍ରେସ   ବନମାଳୀ ସେଠୀ        ୨୧୧୫୧
ନୋଟା       …                      ୨୨୧୧

ସମ୍ବନ୍ଧିତ ଖବର