ଶିଶୁ ଅପହରଣ, ହତ୍ୟା ମାମଲା:୨ ଦିନ ପୁଲିସ ରିମାଣ୍ଡରେ ଅଭିଯୁକ୍ତ

ବ୍ରହ୍ମପୁର: ଗୋସାଇଁନୂଆଗାଁ ଥାନା ଅନ୍ତର୍ଗତ ସଦାନନ୍ଦ ବିହାରରୁ ଶିଶୁ ଅପହରଣ ଓ ପରେ ହତ୍ୟା କରିବା ଘଟଣାରେ ଗିରଫ ହୋଇଥିବା ଅଭିଯୁକ୍ତ ଦେବାଶିଷ ପଣ୍ଡାର ପୁଲିସ ରିମାଣ୍ଡ ମଂଜୁର ହୋଇଛି। ତାକୁ ଏହି ମାମଲାରେ ଅଧିକ ଜେରା କରିବା ପାଇଁ ଗୋସାଇଁନୂଆଗାଁ ଥାନା ଅଧିକାରୀ ତଥା ତଦନ୍ତ ଅଧିକାରୀ କୁଳମଣି ସେଠୀ ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ଦୁଇଦିନିଆ ରିମାଣ୍ଡ ପାଇଁ ଆବେଦନ କରିଥିଲେ। କୋର୍ଟ ତାହା ମଂଜୁର କରିଛନ୍ତି। ଆସନ୍ତା କାଲି ପୁଲିସ ତାକୁ ରିମାଣ୍ଡରେ ନେବ ବୋଲି ଜଣାପଡ଼ିଛି। ଏହି ସମ୍ବେଦନଶୀଳ ହତ୍ୟା ମାମଲାରେ ତାକୁ ଅଧିକ ଜେରା କରାଯିବ। ଅଧ୍ୟାବଧି ଏହି ଘଟଣାରେ କେବଳ ଦେବାଶିଷର ସମ୍ପୃକ୍ତି ରହିଥିବା ନେଇ ପୁଲିସ ସ୍ପଷ୍ଟ କରିଛି। ତଥାପି ପୁଲିସକୁ ବିଭିନ୍ନ ଘଟଣାକୁ ନେଇ କିଛିଟା ସନ୍ଦେହ ହେଉଛି। ତେଣୁ ଅଭିଯୁକ୍ତ ଦେବାଶିଷକୁ ଅଧିକ ଜେରା କରିବା ପରେ ତାହା ସ୍ପଷ୍ଟ ହେବ ବୋଲି ଜଣାପଡ଼ିଛି। ଗତ ୧୨ତାରିଖରେ ଦେବାଶିଷ ସଦାନନ୍ଦ ବିହାରରେ ରହୁଥିବା ନିରୂପାରାଣୀ ଆଚାର୍ଯ୍ୟଙ୍କ ୭ବର୍ଷର ପୁଅ ଆଶିଷ ଅଂଶୁମାନକୁ ସ୍କୁଲ ନେବା ବାହାନାରେ ଘରୁ ନେଇ ହତ୍ୟା କରି ଫିଙ୍ଗି ଦେଇଥିଲା। ତାରାତାରିଣୀ ରାସ୍ତା କଡ଼ରୁ ଅଂଶୁମାନର ଶବ ଜବତ ହୋଇଥିଲା। ଗତକାଲି ଦେବାଶିଷ ଧରା ପଡ଼ିବା ସହିତ ହତ୍ୟା ଘଟଣାକୁ ସ୍ବୀକାର କରିଥିଲା। ପୁଲିସ ତାକୁ ଗତକାଲି ଗିରଫ କରି କୋର୍ଟ ଚାଲାଣ କରିଥିଲା। ସେପଟେ ପୁରୀ ସ୍ବର୍ଗଦ୍ବାରରେ ଶୋକାକୁଳ ପରିବେଶରେ ଗତକାଲି ଅଂଶୁମାନର ଶବଦାହ କରାଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର