ସିନେମା ହଲ୍‌ର ଅନ୍ତୁଡ଼ିଶାଳରେ ତାଲା

ବ୍ରହ୍ମପୁର : ଓଡ଼ିଶାର ରେଶମ ନଗର ବ୍ରହ୍ମପୁର। ଦିନ ଥିଲା ଏହି ସହର ସିନେମା ହଲ୍‌ର ଅନ୍ତୁଡ଼ିଶାଳ ଭାବେ ସ୍ବତନ୍ତ୍ର ପରିଚୟ ତିଆରି କରିପାରିଥିଲା। ରାଜ୍ୟର ପ୍ରଥମ ସିନେମା ହଲ୍ ଶ୍ରୀ ସୀତାରାମ ବିଳାସ ଟକିଜ୍‌ (ଏସ୍‌ଏସ୍‌ଭିଟି) ବ୍ରହ୍ମପୁରରେ ୧୯୨୭ ମସିହାରେ ଗଢ଼ି ଉଠିଥିଲା। ଆଉ ଭାରତର ପ୍ରଥମ ସାଇଲେଣ୍ଟ୍ ଫିଲ୍ମ ‘ରାଜା ହରିଶ୍ଚନ୍ଦ୍ର ଓ ରାଜ୍ୟର ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ‘ସୀତା ବିବାହ ମଧ୍ୟ ପ୍ରଦର୍ଶିତ ହୋଇଥିଲା। ସମୟକ୍ରମେ ୧୦ଟି ଅତ୍ୟାଧୁନିକ ସିନେମା ହଲ୍ ଏଠାରେ ଗଢ଼ି ଉଠିଥିବା ବେଳେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଭାଗରୁ ଲୋକେ ଏଠାକୁ ସିନେମା ଦେଖିବାକୁ ଆସିବା ଲାଗି ପସନ୍ଦ କରୁଥିଲେ।

କିନ୍ତୁ ଧୀରେ ଧୀରେ ଅଧା ହଲ୍ ବନ୍ଦ ହୋଇଯିବା ପରେ ଆଉ ୫ଟି ହଲ୍ ଢୋକେ ପି ଦଣ୍ଡେ ଜୀ, ନ୍ୟାୟରେ ଚାଲୁଥିଲା। ବର୍ତ୍ତମାନ କରୋନା ମହାମାରୀ କାୟା ବିସ୍ତାର କରିବା ସାଙ୍ଗକୁ କଟକଣା ଯୋଗୁଁ ‌ପ୍ରେକ୍ଷାଳୟ ଶିଳ୍ପ ସଂପୂର୍ଣ୍ଣ ଭାବେ ପ୍ରଭାବିତ ହୋଇଛି। କିଛି କ୍ଷେତ୍ରରେ ସରକାର କଟକଣାକୁ କୋହଳ କରିଥି‌ଲେ ବି ସିନେମା ହଲ୍ କ୍ଷେତ୍ରରେ ଏହା ପ୍ରଯୁଜ୍ୟ ହୋଇପାରିନି। କାରଣ ଏଠାରେ ସାମାଜିକ ଦୂରତ୍ବ ନଷ୍ଟ ହେବାର ଆଶଙ୍କା ରହିଛି। ଦୀର୍ଘ ୪ ମାସରୁ ଅଧିକ ସମୟ ହେଲା ସହରର ୪ଟି ସିନେମା ହଲ୍‌ରେ ତାଲା ଝୁଲୁଛି। ହଲ୍ ଗୁଡ଼ିକ କେବେ ଖୋଲିବ, ତାହାକୁ ନେଇ ଆଜି ଯାଏ ଅନିଶ୍ଚିତତା ଲାଗି ରହିଛି।

ବ୍ରହ୍ମପୁରରେ ତେଲୁଗୁ ଭାଷାଭାଷାଙ୍କ ସଂଖ୍ୟା ଅଧିକ। ଏଠାରେ ହିନ୍ଦୀ ଓ ଓଡ଼ିଆ ସହ ତେଲୁଗୁ ଚଳଚ୍ଚିତ୍ର ପ୍ରତି ମଧ୍ୟ ଦର୍ଶକଙ୍କ ସ୍ବତନ୍ତ୍ର ରୁଚି ରହିଛି। ଫଳରେ ସମୟକ୍ର‌ମେ ଏଠ‌ାରେ ଏସ୍‌ଏସ୍‌ଭିଟି ହଲ୍ ସମେତ ଋକ୍ମିଣୀ, ଗୌତମ, ପରମଜ୍ୟୋତି, ଲିଙ୍ଗରାଜ, ପଦ୍ମଶ୍ରୀ, ପାୟଲ୍, ଶିବା, ଶକ୍ତି ଓ ପରମ ଜ୍ୟୋତି ଏଭଳି ଭାବେ ୧୦ଟି ହଲ୍ ଗଢ଼ି ଉଠିଥିଲା। ଯାହାକି ରାଜ୍ୟରେ ସର୍ବାଧିକ ଥିଲା।

Facebook

୧୯୯୯ ମହାବାତ୍ୟାରେ ରାଜ୍ୟର ପ୍ରଥମ ସିନେମା ହଲ ଏସ୍‌ଏସ୍‌ଭିଟି ଧ୍ବସ୍ତବିଧ୍ବସ୍ତ ହୋଇ ଯାଇଥିଲା। ଏହାପରେ ବିଭିନ୍ନ କାରଣ ଲାଗି ଗୋଟିଏ ପରେ ଗୋଟିଏ ହଲ୍‌ରେ ତାଲା ଝୁଲିଲା। ବର୍ତ୍ତମାନ କେବଳ ଶିବା, ଶକ୍ତି, ପାୟଲ୍, ଋକ୍ମିଣୀ ଓ ଗୌତମ ସିନେମା ହଲ୍ ଚାଲିଥିଲା। ଗୌତମ ସିନେମା ହଲ ଲକ୍‌ଡାଉନ୍‌ ପୂର୍ବରୁ ପ୍ରାୟ ୬ ମାସ ହେବ ପୁନଃରୁଦ୍ଧାର ଲାଗି ବନ୍ଦ ରହିଛି। ବାକି ୪ଟି ସିନେମା ହଲ୍‌ରେ କଟକଣା ଯୋଗୁଁ ଗତ ମାର୍ଚ୍ଚ ୧୫ ତାରିଖ ଠାରୁ ତାଲା ଝୁଲୁଛି। ପ୍ରତିଦିନ ଯେଉଁଠି କୋଳାହଳ ଓ ଭିଡ଼ ଜମୁଥିଲା ସେହି ସ୍ଥାନ ଖାଁ ଖାଁ ଲାଗୁଛି।

ବର୍ତ୍ତମାନ ପରିସ୍ଥିତିରେ ଗଞ୍ଜାମ ଜିଲ୍ଲା ଓ ବ୍ରହ୍ମପୁର ସହରରେ କରୋନା ମହାମାରୀ ଯେଭଳି ଭାବେ କାୟା ବିସ୍ତାର କରି ଚାଲିଛି ସିନେମା ହଲ୍ କେବେ ଖୋଲିବ ତାହାକୁ ନେଇ ଅନିଶ୍ଚିତତା ଜାରି ରହିଛି। ଅଗଷ୍ଟ ପରେ ଯଦି ରାଜ୍ୟ ସରକାର ସିନେମା ହଲ୍‌ ଖୋଲିବାକୁ ନିଷ୍ପତ୍ତି ନିଅନ୍ତି ତେବେ ରିଲିଜ୍ ପାଇଁ ଆବଶ୍ୟକ ସିନେମା ମଧ୍ୟ ପ୍ରାୟ ନାହିଁ। ମକର ସଂକ୍ରାନ୍ତି, ରଜ ସଂକ୍ରାନ୍ତି, ରାକ୍ଷୀ ପୂର୍ଣ୍ଣିମା, ଗଣେଶ ପୂଜା ଓ ଦୁର୍ଗା ପୂଜାରେ ସାଧାରଣତଃ ବଡ଼ ବ୍ୟାନର୍‌ର ଚଳଚ୍ଚିତ୍ର ରିଲିଜ୍ ହୋଇଥାଏ। ହଲ୍ ଗୁଡ଼ିକରେ ଦର୍ଶକଙ୍କ ଖଚାଖଚ୍ ଭିଡ଼ ଲାଗେ। ହଲ୍ ମାଲିକ ଓ ଚଳଚ୍ଚିତ୍ର ପ୍ରଯୋଜନା ସ˚ସ୍ଥା ଭଲ ରୋଜଗାର କରିଥାନ୍ତି। କିନ୍ତୁ ଚଳିତବର୍ଷ ଗଣେଣ ପୂଜା ଓ ଦଶହରରେ ସିନେମା ବଜାର ଫିକା ପଡ଼ିବା ଏକରକମ ସ୍ପଷ୍ଟ ହୋଇଛି।

ଗୋଟିଏ ପଟେ ସିନେମା ହଲ୍ ବନ୍ଦ ରହିଥିବା ବେଳେ ଅନ୍ୟପଟେ ମାଲିକଙ୍କ ଉପରେ ଆର୍ଥିକ ବୋଝ ବଢ଼ିବାରେ ଲାଗିଛି। ହଲ୍ ନ ଚାଲିଲେ ବି ବିଦ୍ୟୁତ ବିଲ୍ ସାଙ୍ଗକୁ ମହାନଗର ନିଗମକୁ ଟ୍ରେଡ଼୍ ଲାଇସେନ୍ସ୍ ଫି ଦେବାକୁ ପଡ଼ୁଛି। ସେହିପରି ନିୟମିତ ସଫାସୁତରା ରଖିବା ଓ ଜେନେରେଟର୍ ଚଳାଇବା ସମେତ ଆଦି ଆନୁଷଙ୍ଗିକ ପରିଚାଳନା କରିବାକୁ ପଡ଼ୁଛି। ସେହିପରି ପୂର୍ବ ତୁଳନାରେ କମ୍ କର୍ମଚାରୀ ଥିଲେ ମଧ୍ୟ ସେମାନଙ୍କୁ ଦରମା ଦେବାକୁ ପଡ଼ୁଛି। ହଲ୍ ବନ୍ଦ ସାଙ୍ଗକୁ ଖର୍ଚ୍ଚ ବୋଝ ଯୋଗୁଁ ସିନେମା ହଲ୍ ମାଲିକ ନୟାନ୍ତ ହୋଇସାରିଲେଣି।

ସମ୍ବନ୍ଧିତ ଖବର