ଶେରଗଡ଼: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନିଜ ନିର୍ବାଚନମଣ୍ଡଳୀ ହିଞ୍ଜିଳିକାଟୁ ଅଧୀନ ଶେରଗଡ଼ ବ୍ଲକ ଗସ୍ତ କରିଥିଲେ। ସାଧାରଣ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଅଧିକ ଗୁରୁତ୍ବ ବହନ କରୁଥିବାରୁ କର୍ମୀ ଓ ନେତାଙ୍କ ମହଲରେ ଉତ୍ସୁକତା ଦେଖିବାକୁ ମିଳିଥିଲା। ସାଧାରଣ ସଭାରେ ମୁଖ୍ୟମନ୍ତ୍ରୀ ଯୋଗ ଦେଇ ନିଜ ଉଦବୋଧନରେ ଚାଷୀ ଓ ମହିଳା କାର୍ଡକୁ ମାଧ୍ୟମ କରିଥିଲେ। ଫଳରେ ଆଗୁଆ ନିର୍ବାଚନ ପାଇଁ ଅଣ୍ଟା ଭିଡ଼ିବାକୁ ମୁଖ୍ୟମନ୍ତ୍ରୀ ଆଭାସ ଦେଉଥିବା ସ୍ପଷ୍ଟ ହୋଇଥିଲା। ନିଜ ଉଦବୋଧନରେ ସେ ଚାଷୀ ସମାଜକୁ ଭୂୟସୀ ପ୍ରଶଂସା କରିଥିଲେ। ଚାଷୀଙ୍କ ହିତ ପାଇଁ ସରକାର ହାତକୁ ନେଇଥିବା କାଳିଆ ଯୋଜନା ସାରା ଦେଶକୁ ଆଜି ବାଟ ଦେଖାଇବା ସହ ପ୍ରେରଣାଦାୟକ ସାଜିଛି। ଚାଷୀଙ୍କ ଖୁସିରେ ସେ ଖୁସି ଥିବା ବେଳେ ସେମାନଙ୍କର ଉନ୍ନତି ମୂଳ ଲକ୍ଷ୍ୟ ଭାବେ ପ୍ରାଥମିକତା ଦିଆଯାଉଛି। ଏହି ଯୋଜନାରେ କ୍ଷୁଦ୍ର ଚାଷୀ, ନାମମାତ୍ର ଚାଷୀ, ଜମିହୀନ ଚାଷୀ ଏବଂ କୃଷି ଶ୍ରମିକଙ୍କୁ ସାମିଲ କରାଯାଇଛି। ୩୦ ଲକ୍ଷ ଚାଷୀ ଏଥିରୁ ଉପକୃତ ହୋଇଛନ୍ତି। ଆହୁରି ୧୦ ଲକ୍ଷ ପରିବାର ଏଥିରେ ସାମିଲ ହେବେ। ଚାଷୀଙ୍କ ପିଲା ମାନେ ଭଲ ପାଠ ପଢିବା ସହ ଦକ୍ଷ ହେବା ଦାୟିତ୍ବ ରାଜ୍ୟ ସରକାର ବହନ କରିବେ। ସେହିପରି ମହିଳା ସଶକ୍ତିକରଣକୁ ଗୁରୁତ୍ବ ଦିଆଯାଉଛି। ଏଥିପାଇଁ ମହିଳାଙ୍କୁ ବିନା ସୁଧରେ ଋଣ ପ୍ରଦାନ ସହ ନାନା ଯୋଜନା ପ୍ରଣୟନ କରାଯାଇଛି। ଏହାର ସେମାନେ ସୁଯୋଗ ନିଅନ୍ତୁ। ତେବେ ଚାଷୀ, ମହିଳା ଓ ଯୁବସମାଜର ମିଳିତ ସହଯୋଗରେ ନୂଆ ଓଡ଼ିଶା ଗଠନ ସମ୍ଭବ ସହ ଦେଶରେ ନୂଆ ପରିଚୟ ସୃଷ୍ଟି ହେବ। ଏଥିପାଇଁ ସେମାନେ ସାମିଲ ହୁଅନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ଆହ୍ବାନ୍ ଦେଇ ଥିଲେ।
ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ଶେରଗଡ଼ ମିନି ଷ୍ଟାଡିୟମରେ ହେଲିକପ୍ଟରରୁ ଅବତରଣ କରିବା ପରେ ଚାରି ଛକରେ ବିଜୁବାବୁଙ୍କ ପ୍ରତିମୂ୍ର୍ତ୍ତିରେ ପୁଷ୍ପମାଲ୍ୟାର୍ପଣ କରିଥିଲେ। ଏହା ପରେ ହରଭଂଗୀ ଜଳସେଚନ ପ୍ରକଳ୍ପ ଉନ୍ନତିକରଣ ଓ ସମ୍ପ୍ରସାରଣ, ହିଞ୍ଜିଳି ବ୍ଲକ କରମଙ୍ଗାନାଳ ରାସ୍ତା ଉନ୍ନତିକରଣ, ବ୍ରାହ୍ମଣଛାଇ-ବୋଲସର ରାସ୍ତା ଉନ୍ନତିକରଣ ଏବଂ ଶେରଗଡ଼, ହିଞ୍ଜିଳି ବ୍ଲକର ୧୩ ଗୋଟି ପାଇପ ଜଳ ଯୋଗାଣ ପ୍ରକଳ୍ପ ଏଭଳି ୧୭୨ କୋଟି ଟଙ୍କାର ପ୍ରକଳ୍ପ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଏଥି ସହ ନିର୍ମାଣ ଶ୍ରମିକଙ୍କୁ ସାଇକେଲ, ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ ଋଣ ବଣ୍ଟନ କରିଥିଲେ। ହରଭଂଗୀ କେନାଲ ସମ୍ପ୍ରସାରଣ ଦ୍ବାରା ଶେରଗଡ଼, ଧରାକୋଟ ଓ ହିଞ୍ଜିଳି ବ୍ଲକର ବହୁ ଜମି ଜଳସେଚିତ ହୋଇପାରିବ ବୋଲି ସୂଚନା ମିଳିଛି।
କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି. କାର୍ତ୍ତିକେୟ ପାଣ୍ଡିଆନ, ସ୍ୱତନ୍ତ୍ର ସଚିବ ଦିଲ୍ଲୀପ ମହାନ୍ତି, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ଜିଲ୍ଲା ବିଜେଡି ସଭାପତି ତଥା ଗୋପାଳପୁର ବିଧାୟକ ଡ଼ ପ୍ରଦୀପ କୁମାର ପାଣିଗ୍ରାହୀ, ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ, ଏପିଡି ଦେବବ୍ରତ ସାହୁ, ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ପ୍ରତିନିଧି ଶରତ ଚନ୍ଦ୍ର ମହାପାତ୍ର, ବ୍ଲକ ଯୁବ ବିଜେଡି ସଭାପତି ସନ୍ତୋଷ କୁମାର ପଟ୍ଟନାୟକ, ବ୍ଲକ ବିଜେଡି ସଭାପତି ଶରତ ପାତ୍ର, ଆସିକା ଚିନି ଶିଳ୍ପ ସଭାପତି ବିପିନ ବିହାରୀ ପାତ୍ର, ଜିଲ୍ଲା ପରିଷଦ ସଭ୍ୟ ପ୍ରମୋଦ କୁମାର ପାତ୍ର, ଗୋପାଳ ପଟ୍ଟନାୟକ, ବାବୁଲା କୁମାର ଚୌଧୁରୀ, ହୃଷୀକେଶ ପାଢ଼ୀ, ସମୀର ପ୍ରଧାନ, ଶେରଗଡ଼ ବ୍ଲକ ଅଧ୍ୟକ୍ଷା ସାରସ ସ୍ୱାଇଁ, ହିଞ୍ଜିଳି ବ୍ଲକ ଅଧ୍ୟକ୍ଷ ଏନ.ରଘୁନାଥ, ବିଡିଓ ସୁରଞ୍ଜନ କୁମାର ସାହୁ, ତହସିଲଦାର ଡ଼.ଦୟାସିନ୍ଧୁ ପରିଡା, ଥାନା ଅଧିକାରୀ ରମେଶ ଚନ୍ଦ୍ର ଦାସ, ବିଶ୍ୱରଞ୍ଜନ ନାୟକ, ଦିଲ୍ଲୀପ ପାଣିଗ୍ରାହୀ, ଶ୍ରୀକାନ୍ତ କୁମାର ତ୍ରିପାଠୀ, ଶେରଗଡ଼ ବ୍ଲକ ଉପାଧ୍ୟକ୍ଷ ବିଶ୍ୱନାଥ ସ୍ୱାଇଁ, ହୀନ ବେହେରା, ନୀଳମଣି ପଟ୍ଟନାୟକ, ଉଦୟନାଥ ପ୍ରଧାନ, ଦିଗାମ୍ବର ନାହାକଙ୍କ ସମେତ ସମସ୍ତ ସରପଞ୍ଚ, ସମିତି ସଭ୍ୟ, ବିଜୁ ଯୁବ ବାହିନୀ ସଦସ୍ୟ ଓ ବିଜେଡି କର୍ମୀ ଉପସ୍ଥିତ ଥିଲେ। ବିଜୁ ପଟ୍ଟନାୟକ ଛକ ଠାରୁ ଦଳୀୟ କର୍ମୀ ମାନେ ମୁଖ୍ୟମନ୍ତ୍ରୀଙ୍କୁ ବାଇକ ରାଲିରେ ସ୍ବାଗତ କରିଥିଲେ।
ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଏପାଖ ସେପାଖ
ଫୁଲତୋଡ଼ା ଦେବାକୁ ୧୮ଜଣିଆ ତାଲିକା/sambad/media/post_attachments/wp-content/uploads/2019/03/bam1-300x226.jpg)
ଶେରଗଡ଼ରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଗତ କରିବାକୁ ଅସ୍ଥାୟୀ ହେଲିପ୍ୟାଡ଼ରେ ବହୁ ନେତା ଘଣ୍ଟାଏରୁ ଅଧିକ ସମୟ ଧରି ଅପେକ୍ଷା କରିଥିଲେ। କିନ୍ତୁ ବ୍ୟାରିକେଡ୍ ଭିତରକୁ ପୁଲିସ କାହାକୁ ଛାଡ଼ି ନଥିଲା। ଭିତରକୁ ଯିବା ପାଇଁ ଆଗରୁ ତିଆରି ହୋଇଥିବା ୧୮ଜଣିଆ ତାଲିକାକୁ ଦେଖି ଛଡ଼ାଯାଇଥିଲା।
ଧବଳମୟ ଶେରଗଡ଼
ମୁଖ୍ୟମନ୍ତ୍ରୀଙ୍କ ଗସ୍ତରେ ଅଞ୍ଚଳ ପୂର୍ବରୁ ଦଳୀୟ ବ୍ୟାନର ଓ ପତାକାରେ ସବୁଜମୟ ହେଉଥିବା ବେଳେ ଏହି କାର୍ଯ୍ୟକ୍ରମରେ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଥିଲା। ବିଜୁ ଯୁବ ବାହିନୀ ଓ କାଳିଆ ଯୋଜନା ହିତାଧିକାରୀଙ୍କ ଟିସାର୍ଟରେ ଅଞ୍ଚଳ ଧବଳମୟ ପାଲଟିଥିଲା। ବିଜୁ ପଟ୍ଟନାୟକ ଛକ ଠାରୁ ସମାବେଶ ସ୍ଥଳ ପର୍ଯ୍ୟନ୍ତ ରାସ୍ତା କଡରେ ବିଜୁ ଯୁବ ବାହିନୀ ସଦସ୍ୟ ମାନେ ରାସ୍ତାକଡ଼ରେ ଛିଡ଼ା ହୋଇ ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଗତ କରିଥିଲେ।
ମିଳିଲାନି ସାଇକେଲ, ହିତାଧିକାରୀ ନିରାଶ
ନିର୍ମାଣ ଶ୍ରମିକ ମାନଙ୍କୁ ମାଗଣା ସାଇକେଲ ବଣ୍ଟନ କାର୍ଯ୍ୟକ୍ରମ ଥିବାରୁ ବହୁ ହିତାଧିକାରୀ ସଭାସ୍ଥଳକୁ ଆସିଥିଲେ। ମୁଖ୍ୟମନ୍ତ୍ରୀ ଜଣେ ମାତ୍ର ନିର୍ମାଣ ଶ୍ରମିକ ଙ୍କୁ ସାଇକେଲ ଦେବା ପରେ ଭିଡ଼କୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ପ୍ରତି ପଂଚାୟତରେ ସାଇକେଲ ବଣ୍ଟନ କରାଯିବ ବୋଲି ଘୋଷଣା କରାଯାଇଥିଲା। ଫଳରେ ସଭିଏଁ ନିରାଶ ହୋଇଥିଲେ।
ବିଶାଳ ମଞ୍ଚ ଉପରେ ଏକା ନବୀନ
ସମାବେଶ ନିମନ୍ତେ ବିରାଟ ମଞ୍ଚ ସାଙ୍ଗକୁ ଶୀତତାପ ନିୟନ୍ତ୍ରଣ ଓ ଏଲଇଡି ବ୍ୟବସ୍ଥା ହୋଇଥିବା ବେଳେ ମଞ୍ଚ ଉପରେ ଗୋଟିଏ ମାତ୍ର ଚୌକି ପଡିଥିଲା। ସେଠାରେ କେବଳ ମୁଖ୍ୟମନ୍ତ୍ରୀ ହିଁ ବସିଥିଲେ। ମୁଖ୍ୟମନ୍ତ୍ରୀ ମିନିଟରୁ ଦେଢ ମିନିଟ୍ ଭିତରେ ଭାଷଣ ଶେଷ କରି ଦେଇ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/03/bam.jpg)