କଲେଜ ଛାତ୍ରୀ କିରଣୀ ଦୁଷ୍କର୍ମ, ହତ୍ୟାର ୪ ବର୍ଷ:ପୁଲିସ ଫାଇଲ୍‌ ତଳେ ହଜିଗଲା ମାମଲା

ଗଞ୍ଜାମ: ଗଞ୍ଜାମ ବ୍ଲକର ଉମୁରି ଧର୍ମଶରଣପୁର ଠାରେ ୨୦୧୪ ଅଗଷ୍ଟ ୪ରେ କଲେଜ ଛାତ୍ରୀ କିରଣୀଙ୍କୁ ଧର୍ଷଣ ଓ ହତ୍ୟା କରି ବୁଦା ଭିତରେ ଫିଙ୍ଗି ଦିଆ ଯାଇଥିଲା। ଘଟଣାକୁ ୪ ବର୍ଷ ବିତିଯାଇଛି। ସେ ସମୟରେ ଘଟଣାର ସମ୍ବେଦନଶୀଳତା ଓ ଜନସାଧାରଣଙ୍କ ଦାବିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ମାମଲାର ତଦନ୍ତ କ୍ରାଇମ୍‌ବ୍ରାଞ୍ଚକୁ ହସ୍ତାନ୍ତର କରିଥିଲେ। ସେହି ଲୋମହର୍ଷଣକାରୀ ଘଟଣା ଏବେ ପୁଲିସ ଫାଇଲ୍ ତଳେ ହଜିଯାଇଛି। ୪ ବର୍ଷ ପରେ କେବଳ ଏ ବୀଭତ୍ସ ଘଟଣାର ସ୍ମୃତି ଏଯାଏଁ ତାଜା ରହିଛି।
ଏହି ଘଟଣାକୁ ମନେ ପକାଇ ଗାଁଲୋକ ବର୍ତ୍ତମାନ କହିଛନ୍ତି, ତଦନ୍ତ ଦାୟିତ୍ବ କ୍ରାଇମ୍‌ବ୍ରାଞ୍ଚକୁ ହସ୍ତାନ୍ତର ହେବା ପ‌େର ପ୍ରଥମ ୨-୩ମାସ ତଦନ୍ତ ଜୋରସୋରରେ ଚାଲିଲା। କିନ୍ତୁ ତା’ପରେ ସମ୍ପୂର୍ଣ୍ଣ ଭାବେ ଥଣ୍ତା ପଡ଼ିଗଲା। ତଦନ୍ତକାରୀ ପୁଲିସ୍‌, ଗାଁର ସମସ୍ତ ଲୋକ ଭଲ ଭାବେ ଜାଣିଛନ୍ତି ଯେ ଏହି ଘଟଣାରେ ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର କେତେକ ସ୍ଥାନୀୟ ନେତା ଓ ତାଙ୍କ ନିକଟ ସମ୍ପର୍କୀୟଙ୍କ ସମ୍ପୃକ୍ତି ରହିଛି। ଏ କଥା ଜାଣିବା ପରେ ତଦନ୍ତ ଆଉ ଆଗକୁ ବଢ଼ିପାରି ନାହିଁ।
ସୂଚନାଯୋଗ୍ୟ, ସ୍ଥାନୀୟ ସହିଦ ଭଗତ ସି˚ ମହାବିଦ୍ୟାଳୟ ଯୁକ୍ତ ୨ରେ ପାଠ ପଢ଼ୁଥିଲେ ଅନାଥ ଝିଅ କିରଣୀ। ସେ ନିଜ ପିଉସା ଘରେ ରହୁଥି‌େଲ। ଘଟଣା ଦିନ ସେ ବିଲରେ କାମ କରୁଥିବା ନିଜ ମାଉସୀ ଓ ଭଉଣୀଙ୍କୁ ଖାଇବା କ୍ୟାରେଜ୍‌ ଦେଇ ଘରକୁ ଫେରିବା ବେଳେ ବଜ୍ରକୋଟ ବାଲି ଘାଟ ଠାରେ କିରଣୀଙ୍କୁ ଜବରଦସ୍ତ ଉଠାଇ ନେଇଥିଲେ ଅଭିଯୁକ୍ତ। ନିକଟସ୍ଥ ଜଙ୍ଗଲରେ ଧର୍ଷଣ ପରେ ତାଙ୍କୁ ହତ୍ୟା କରି ଏକ କ୍ବାରି ନିକଟ ବୁଦାରେ ଫିଙ୍ଗି ଦେଇଥିଲେ। ଘଟଣାରେ ବିଭିନ୍ନ ରାଜନୈତିକ ଦଳ, କଲେଜ ଛାତ୍ରଛାତ୍ରୀମାନେ ଆନ୍ଦୋଳନ କରିଥିଲେ। ମାସକ ପରେ ଘଟଣାର କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ନିର୍ଦେଶ ଦେଇଥିଲେ ରାଜ୍ୟ ସରକାର। ଜଣେ ଡିଏସ୍‌ପିଙ୍କ ନେତୃତ୍ବରେ ୫ ଜଣିଆ ଟିମ୍‌ ଘଟଣାସ୍ଥଳ ଓ ପୀଡ଼ିତାଙ୍କ ପରିବାର ଓ ଗାଁକୁ ଘନଘନ ଗସ୍ତ କରି ସମସ୍ତଙ୍କ ବୟାନ ରେକର୍ଡ କରିଥିଲେ। ଏହାପରେ କିନ୍ତୁ ତଦନ୍ତ ଆଉ ଆଗକୁ ବଢ଼ି ନଥିଲା।

ସମ୍ବନ୍ଧିତ ଖବର