ଥାନା ଆଲମିରା ଖାଇଗଲା ଅଭିଯୋଗ କପି

ଥାନା ଅଧିକାରୀଙ୍କ ଗର୍ଭବତୀ ମହିଳାଙ୍କୁ ଗୋଇଠା ମାଡ଼ ଘଟଣା

ପାତ୍ରପୁର: ୨୦୧୪ରେ ଜରଡ଼ା ଥାନା ଅଧିକାରୀଙ୍କ ଗୋଇଠା ମାଡ଼ରେ ପାତ୍ରପୁରର ଜଣେ ଗର୍ଭବତୀ ମହିଳା ଗୁରୁତର ହେବା ସହ ମୃତ ସନ୍ତାନ ଜନ୍ମ ଦେଇଥିଲେ। ଏହି ଘଟଣା ସେହି ସମୟରେ ଅନେକ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା ବିଭିନ୍ନ ମାନବବାଦୀ ସଂଗଠନ ଠାରୁ ଆରମ୍ଭ କରି ଖୋଦ୍‌ ମାନବାଧିକାର କମିଶନ ଏହି ଘଟଣାର ଘୋର ନିନ୍ଦା କରିଥିଲେ। ବର୍ତ୍ତମାନ ଏହି ଘଟଣାର ଦୀର୍ଘ ୪ ବର୍ଷ ବିତିଗଲାଣି କିନ୍ତୁ ପୀଡ଼ିତାଙ୍କୁ ପ୍ରଶାସନ ପକ୍ଷରୁ ନ୍ୟାୟ ମିଳିନାହିଁ। ବରଂ ପୁଲିସ୍‌ ପକ୍ଷରୁ ଘଟଣାଟିକୁ ରଫାଦଫା କରିଦେବାକୁ ମସୁଧା ଆରମ୍ଭ ହୋଇଯାଇଛି। ଏନେଇ ଦିଆଯାଇଥିବା ଏତଲା କପି ଥାନାର ସୁରକ୍ଷିତ ଆଲମିରାରୁ ଗାଏବ ହୋଇଯାଇଛି। ଫଳରେ ମାନବାଧିକାର କମିଶନଙ୍କ ନିର୍ଦ୍ଦେଶାନୁସାରେ କ୍ଷତିପୂରଣ ମିଳିବାରେ ବିଳମ୍ବ ହେଉଛି।
ଚଳିତ ବର୍ଷ ଜୁଲାଇ ମାସରେ ଏହି ମାମଲାର ବିଚାର କରି କେନ୍ଦ୍ର ମାନବାଧିକାର କମିଶନ ୮ ସପ୍ତାହ ମଧ୍ୟରେ ପରିବାରଙ୍କୁ ୨ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ବର୍ତ୍ତମାନ ଏହି ନିର୍ଦ୍ଦେଶାନୁସାରେ ୮ ସପ୍ତାହ ବିତି ଯାଇଛି, କିନ୍ତୁ କ୍ଷତିପୂରଣ ରାଶି ଦେବା ପାଇଁ ପୁଲିସ ପ୍ରଶାସନ ଟାଳଟୁଳ ନୀତି ଅବଲମ୍ବନ କରୁଛି। କେବଳ ଏହାନୁହେଁ ମାମଲାକୁ ସମ୍ପୂର୍ଣ୍ଣ ରୂପେ ରଫାଦଫା କରିଦେବାକୁ ଉଦ୍ୟମ ଆରମ୍ଭ କରିଛି।
ଗର୍ଭବତୀ ମହିଳାଙ୍କ ଯେଉଁ ଏତଲା ଆଧାରରେ ସମ୍ପୃକ୍ତ ପୁଲିସ୍‌ ଅଧିକାରୀ ଦୋଷୀ ସାବ୍ୟସ୍ତ ହୋଇଥାନ୍ତେ ଓ ମାନବାଧିକାର କମିଶନଙ୍କ ନିର୍ଦ୍ଦେଶାନୁସାରେ କ୍ଷତିପୂରଣ ମିଳିଥାନ୍ତା ସେହି ଏତଲାଟି ଥାନାରୁ ଗାଏବ ହୋଇଯାଇଛି। ଏଭଳି ଜଘନ୍ୟ ଅପରାଧକୁ ଘୋଡ଼ାଇବାକୁ ପୁଲିସ ପୁଣିଥରେ ଏତଲା ଦେବାକୁ ଉକ୍ତ ପୀଡ଼ିତାଙ୍କ ପରିବାର ଉପରେ ଚାପ ପକାଉଛି।
ଏନେଇ ପୀଡ଼ିତାଙ୍କ ସ୍ୱାମୀ କୁଞ୍ଜ ଅଧିକାରୀ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ କଥା ଆମେ ସାଧାରଣ ଲୋକ । ଏତେ ଆଇନକାନୁନ୍‌ ଉପରେ ଅଭିଜ୍ଞତା ନାହିଁ। ଏଣୁ ସେହି ଘଟଣାକୁ ଚପାଇଦେବାକୁ ପୁଲିସ୍‌ ଅଧିକାରୀମାନେ ବିଭିନ୍ନ ପ୍ରକାର ଆଇନର ଆଳ ଦେଖାଉଛନ୍ତି। ଘଟଣାକୁ ଚପାଇଦେବାକୁ ଉଦ୍ୟମ କରୁଛନ୍ତି। କିନ୍ତୁ ଧର୍ମଦାଣ୍ଡରେ ସମସ୍ତଙ୍କୁ ନ୍ୟାୟ ମିଳିବ ତେଣୁ ଥାନା ଅଧିକାରୀଙ୍କ ବିରୁଦ୍ଧରେ ଅଭିଯୋଗ ଗ୍ରହଣ କରିବା ପାଇଁ ଉଚ୍ଚ ନ୍ୟାୟାଳୟ କହିଛନ୍ତି । ଅପରପକ୍ଷରେ ଏଫଆଇଆର୍‌ କପି ହଜିବା ନେଇ ଜରଡ଼ା ଥାନା ଅଧିକାରୀ ଭବାନୀ ଶଙ୍କର ଖୁଣ୍ଟିଆଙ୍କୁ ପଚାରିବାରୁ ସେ କୌଣସି ପ୍ରତିକ୍ରିୟା ନଦେଇ ଫୋନ୍‌ କାଟି ଦେଇଛନ୍ତି।
ସୂଚନାଯୋଗ୍ୟ, ଅଭିଯୁକ୍ତ ପୁଲିସ୍‌ ଅଧିକାରୀ କୃଷ୍ଣ ପ୍ରସାଦ ଦାସ ପୀଡ଼ିତାଙ୍କ ସ୍ୱାମୀ କୁଞ୍ଜ ଅଧିକାରୀଙ୍କ ନାମରେ ୱାରେଣ୍ଟ ଥିବା ଓ ତାଙ୍କୁ ଗିରଫ କରିବାକୁ ରାତି ଅଧରେ ଘରେ ଖାନତଲାସୀ କରିଥିଲେ। ସ୍ୱାମୀସ୍ତ୍ରୀ ଶୋଇଥିବା ବେଳେ କୁଞ୍ଜଙ୍କୁ ବଳପୂର୍ବକ ଉଠାଇ ନେବା ବେଳେ ପୀଡ଼ିତା ଜଣକ ପ୍ରତିବାଦ କରିଥିଲେ। ଏଥିରେ ଉତ୍‌କ୍ଷୀପ୍ତ ହୋଇ ଥାନା ଅଧିକାରୀ ଗର୍ଭବତୀ ମହିଳାଙ୍କ ପେଟକୁ ଗୋଇଠା ମାରିଥିଲେ। ଫଳରେ ଗୁରୁତର ଅବସ୍ଥାରେ ତାଙ୍କୁ ସ୍ଥାନୀୟ ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା ସେଠାରେ ସେ ମୃତ ସନ୍ତାନ ଜନ୍ମ ଦେଇଥିଲେ। ଏହି ଘଟଣା ସେତେବେଳେ ପାତ୍ରପୁର କୋର୍ଟରେ ଥିବା ଜଜ୍‌ଙ୍କୁ ଅବଗତ ମଧ୍ୟ କରାଯାଇଥିଲା । ପରେ ପୁଲିସ୍‌ ଏହି ଅଭିଯୋଗକୁ ମିଛ ବୋଲି କହି ଏଡ଼ାଇ ଦେଇଥିଲା।

ସମ୍ବନ୍ଧିତ ଖବର