ଗଞ୍ଜାମରେ ୪ କରୋନା ପଜିଟିଭ ଚିହ୍ନଟ ପରେ ସ୍ଥିତି ତଦାରଖ ପାଇଁ ଦୁଇ ବରିଷ୍ଠ ଅଧିକାରୀଙ୍କୁ ଦାୟିତ୍ୱ

ଭୁବନେଶ୍ୱର: ଗଞ୍ଜାମରେ ୪ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି | ଗଞ୍ଜାମରେ ସ୍ଥିତି ତଦାରଖ ପାଇଁ ୨ ବରିଷ୍ଠ ଅଧିକାରୀଙ୍କୁ ରାଜ୍ୟ ସରକାର ଦାୟିତ୍ବ ଦେଇଛନ୍ତି | ଏହି ଦୁଇ ଜଣ ବରିଷ୍ଠ ଅଧିକାରୀ ହେଉଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ଓ ଆରଏମଆରସି ଭୁବନେଶ୍ବରର ବୈଜ୍ଞାନିକ ଜୟସିଂହ ଖତ୍ରି | ଏହି ଦୁଇ ଜଣ ଅଧିକାରୀ କରୋନା ମୁକାବିଲାର ତଦାରଖ କରିବେ |


ଏଠାରେ ସୂଚନା ଥାଉ କି ଗଞ୍ଜାମ କୁ ବର୍ତ୍ତମାନ ବହୁ ସଂଖ୍ୟାରେ ସୁରଟରୁ ପ୍ରବାସୀ ଓଡ଼ିଆ ମାନେ ଫେରୁଛନ୍ତି | ଆଉ ଏହି ସୁରଟ ଫେରନ୍ତାଙ୍କ ମଧ୍ୟରୁ ୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି | ଗତକାଲି ସୁଦ୍ଧା ୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ଆଜି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି | ତେଣୁ ଏହି ଦୁଇ ଅଧିକାରୀ ସ୍ଥିତିର ସମୀକ୍ଷା କରିବେ |

ବିଶେଷ କରି କିଭଳି ଅଧିକ ସଂଖ୍ୟାରେ ନମୁନା ପରୀକ୍ଷଣ କରାଯିବ ସେ ବାବଦରେ ସ୍ଥାନୀୟ ପ୍ରଶାସନ ସହ ଆଲୋଚନା କରିବେ | ଉଲ୍ଲେଖଯୋଗ୍ୟ ବର୍ତ୍ତମାନ ସୁଦ୍ଧା ୪୭୪୫୪ ନମୁନା ପରୀକ୍ଷା ହୋଇଥିବାବେଳେ ୧୭୭ ପଜିଟିଭ ଚିହ୍ନଟ ହୋଇଛନ୍ତି | ଏମାନଙ୍କ ମଧ୍ୟରୁ ୧୧୫ ଜଣ ସକ୍ରିୟ ଚିକିତ୍ସିତ ହେଉଛନ୍ତି। ସେହିପରି ୬୦ ଜଣ ସୁସ୍ଥ ହୋଇଥିବାବେଳେ ୨ ଜଣଙ୍କର ମୃତ୍ୟୁ ହୋଇଛି |

ସମ୍ବନ୍ଧିତ ଖବର