ଆଦିବାସୀ ଇଲାକାରେ କରୋନା କଟକଣା ଜୋର

ରାସ୍ତାରେ ଗଛ ପକାଇଲେ, ଅନ୍ୟ ଗାଁକୁ ଯିବା ମନା

ପାତ୍ରପୁର: କରୋନା ସଂକ୍ରମଣ ରୋକିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ କଟକଣା ଜନସାଧାରଣଙ୍କ ଉପରେ ଲାଗୁ କରିଛନ୍ତି ହେଲେ ଜନସାଧାରଣ ଏହାକୁ ମାନୁ ନାହାନ୍ତି ଯାହାରି ଫଳରେ ଦିନକୁ ଦିନ ସଂକ୍ରମଣ ବୃଦ୍ଧି ହେବାରେ ଲାଗିଛି। କରୋନା ପାଇଁ ଅନ୍ୟ ରାଜ୍ୟରେ ଦାଦନ ଖଟୁଥିବା ପ୍ରାୟ ଶ୍ରମିକ ମାନେ ନିଜ ଭିଟାମାଟିକୁ ଫେରି ପ୍ରଶାସନର ନିୟମକୁ ନମାନିବା ଦ୍ବାରା ସଂକ୍ରମଣ ବଢ଼ିବାରେ ଲାଗିଛି। ତେଣୁ ପାତ୍ରପୁର ବ୍ଳକ୍‌ର ଆଙ୍କୁଲି ପଂଚାୟତର ଦୁର୍ଗମ ପାହାଡ଼ ଇଲାକା ତଥା ବାଘଲଟି ଜଳଭଣ୍ତାର ଆରପାରିରେ ଥିବା ବଣିଆବସା, ଏଲଗଲ, ଝରବାଡ଼, ଶିରିଶିଗଣ୍ତ, ମାଡ଼ୁଆଗୁମ୍ମା, ବେହେରାପୁଟୁ ପ୍ରମୁଖ ଗ୍ରାମର ଯୁବକ ଓ ବୟୋଜ୍ୟୋଷ୍ଠଙ୍କ ମିଳିତ ଉଦ୍ୟମରେ ଗ୍ରାମରେ ପଦକ୍ଷେପ ନିଆଯାଇଛି। ଗାଁର ମୁଁହରେ ବଡ଼ବଡ଼ ଗଛ ହାଣି ରାସ୍ତା ଅବରୋଧ କରି କରୋନା ସଂକ୍ରମଣକୁ କିଭଳି ମୁକାବିଲା କରାଯିବ ସେନେଇ ବିଭିନ୍ନ ବାର୍ତ୍ତା ଲେଖି ଅବରୋଧ ସ୍ଥଳରେ ଟାଙ୍ଗି ସଚେତନ କରିଛନ୍ତି। ଅନ୍ୟ ଗ୍ରାମକୁ ଯିବାକୁ ବାରଣ କରିବା ଠାରୁ ଆରମ୍ଭ କରି ବିଭିନ୍ନ ଜଙ୍ଗଲଜାତ ଦ୍ରବ୍ୟ କିଣିବାକୁ ଯାଉଥିବା ବ୍ୟବସାୟୀଙ୍କୁ ଗ୍ରାମକୁ ବାରଣ ଓ ଅନ୍ୟ ଗ୍ରାମର ଲୋକଙ୍କ ପ୍ରବେଶ ନିଷେଧ କରିଛନ୍ତି।

ଅନ୍ୟପଟେ ବି. ନୂଆଗାଁ, ତୁମ୍ବା, ପାତ୍ରପୁର, ଜରଡ଼ା, ସୁରଙ୍ଗି, କେଲୁଆ ଓ ଖାରିଆଗୁଡ଼ା ଭଳି ପଂଚାୟତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ଓ ତିନି ଜଣ ଏଥିରେ ମୃତ୍ୟୁ ହୋଇଥିବା ବେଳେ ଜନସାଧାରଣ ପ୍ରଶାସନର କଟକଣାକୁ ଟିକିଏ ହେଲେ ପାଳନ କରୁନାହାନ୍ତି। ହୁକୁମା, ଖାରିଆଗୁଡ଼ା, ପାତ୍ରପୁର, ଜରଡ଼ା, କେଲୁଆ ଭଳି ଜନଗହଳି ଜାଗାରେ ପ୍ରଶାସନ ବାରମ୍ବାର ସଟଡ଼ାଉନ୍ କଲେ ମଧ୍ୟ ଦୋକାନୀ ମାନେ ଭୋର ସମୟରେ ଦୋକାନ ଖୋଲି ସାମାଜି ଦୂରତ୍ବକୁ ରଖୁନାହାନ୍ତି। ଏପରିକି ଯୁବ ଗୋଷ୍ଠୀମାନେ ସାମାଜିକ ଦୂରତାକୁ ନମାନି ଜୁଆ ଖେଳ ଠାରୁ ଆରମ୍ଭ କରି କ୍ରିକେଟ ପ୍ରମୁଖ ଖେଳରେ ମାତି ସମସ୍ୟା ସୃଷ୍ଟି କରୁଥିବା ବେଳେ ଆଦିବାସୀ ମାନଙ୍କ ଭଳି ସଚେତନ ହୋଇ କରୋନା ଭୂତାଣୁକୁ ମୁକାବିଲା କରିବାକୁ ବୁଦ୍ଧିଜିବୀ ମାନେ ଯୁବ ଗୋଷ୍ଠୀଙ୍କୁ ପରାମର୍ଶ ଦେଇଛନ୍ତି।

ସମ୍ବନ୍ଧିତ ଖବର