ଏମ୍‌କେସିଜିରୁ କରୋନା ସନ୍ଦିଗ୍ଧ ଚମ୍ପଟ, ଏତଲା ଦେଲେ ଡାକ୍ତରଖାନା ଅଧୀକ୍ଷକ

ବ୍ରହ୍ମପୁର : ବ୍ରହ୍ମପୁର ବଡ଼ ଡାକ୍ତରଖାନାରୁ ଜଣେ କରୋନା ସନ୍ଦିଗ୍ଧ ଚମ୍ପଟ ମାରିଛନ୍ତି। ଏହି ଘଟଣାକୁ ନେଇ ବଡ଼ ଡାକ୍ତରଖାନା ଅଧୀକ୍ଷକ ପ୍ରଫେସର ସନ୍ତୋଷ କୁମାର ମିଶ୍ର ବୈଦ୍ୟନାଥପୁର ଥାନାରେ ଏତଲା ଦେଇଛନ୍ତି। ପୁଲିସ ଏକ ମାମଲା ରୁଜୁ କରି ସମ୍ପୃକ୍ତ ରୋଗୀଙ୍କୁ ଖୋଜାଖୋଜି କରୁଥିବା ଜଣାପଡ଼ିଛି।

ସୂଚନା ଅନୁସାରେ ଗତକାଲି ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ୍ ଇଲାକାର ଜଣେ ରୋଗୀ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ଆସିଥିଲେ। ତାଙ୍କୁ ଥଣ୍ଡା, ଜ୍ବର ଓ କାଶ ହେଉଥିଲା। ସେ ଇନ୍‌ଡୋର୍‌ରେ ଡାକ୍ତରଙ୍କ ପରାମର୍ଶ ନେଇଥିଲେ। କରୋନା ସନ୍ଦେହରେ ତାଙ୍କୁ ସ୍ବତନ୍ତ୍ର ୱାର୍ଡ଼ରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ସ୍ବାବ୍ ସଂଗ୍ରହ କରି ଭୁବନେଶ୍ବରକୁ ପରୀକ୍ଷା ପାଇଁ ପଠାଯାଇଥିଲା। କିଛି ସମୟ ପରେ ସେ ଘରକୁ ଯିବା ପାଇଁ ଜିଦ୍‌ କରିଥିଲେ। ସଂଧ୍ୟାରେ ସେ ଡାକ୍ତରଙ୍କ ପରାମର୍ଶ ବିନା ଡାକ୍ତରଖାନା ଛାଡ଼ି ଚାଲିଯାଇଥିଲେ। ବହୁ ଖୋଜାଖୋଜି ପରେ ମଧ୍ୟ ତାଙ୍କର ପତ୍ତା ମିଳି ନଥିଲା। ଶେଷରେ ଆଜି ବଡ଼ ଡାକ୍ତରଖାନା ଅଧୀକ୍ଷକ ବୈଦ୍ୟନାଥପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ବୈଦ୍ୟନାଥପୁର ପୁଲିସ କୃଷ୍ଣପ୍ରସାଦ ଥାନା ସହିତ ଯୋଗାଯୋଗ କରି ଯୁବକଙ୍କୁ ଖୋଜିବା ପାଇଁ ଉଦ୍ୟମ ଜାରି ରଖିଛି ବୋଲି ଥାନା ଅଧିକାରୀ ସାରଦା ପ୍ରସନ୍ନ ଦାଶ ସୂଚନା ଦେଇଛନ୍ତି। ଅନ୍ୟପଟେ ଗତକାଲି ବ୍ରହ୍ମପୁର ବଡ଼ ଡାକ୍ତରଖାନାରୁ ଏକ ଦମ୍ପତି ଓ ଚମ୍ପଟ ଯୁବକଙ୍କ ସ୍ବାବ ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଥିଲା। ସେମାନଙ୍କ ପରୀକ୍ଷା ରିପୋର୍ଟ ଆସି ନଥିବା ଅଧୀକ୍ଷକ ମିଶ୍ର କହିଛନ୍ତି।

ସମ୍ବନ୍ଧିତ ଖବର