ଏମ୍‌କେସିଜିରୁ ଡିସ୍‌ଚାର୍ଜ ହେଲେ ୩, ପୁଣି ଜଣେ କରୋନା ସନ୍ଦିଗ୍ଧ ଭର୍ତ୍ତି

ବ୍ରହ୍ମପୁର : ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଆଜି ସଂଧ୍ୟାରେ ପୁଣି ଜଣେ କରୋନା ସନ୍ଦିଗ୍ଧଙ୍କୁ ଭର୍ତ୍ତି କରାଯାଇଛି। ବ୍ରହ୍ମପୁର ରେଳ ଷ୍ଟେସନ୍‌ ନିକଟରୁ ତାଙ୍କୁ ଉଦ୍ଧାର କରି ବଡ଼ ଡାକ୍ତରଖାନା କାଜୁଆଲ୍‌ଟି ଦ୍ବିତୀୟ ମହଲାରେ ଖୋଲା ଯାଇଥିବା ସ୍ବତନ୍ତ୍ର ୱାର୍ଡ଼ରେ ଭର୍ତ୍ତି କରାଯାଇଛି। ଗତକାଲି ସୁଦ୍ଧା ୫ଜଣ ସନ୍ଦିଗ୍ଧ କରୋନା ୱାର୍ଡ଼ରେ ଭର୍ତ୍ତି ହୋଇଥିବା ବେଳେ ଆଜି ୩ଜଣଙ୍କୁ ଡିସ୍‌ଚାର୍ଜ କରାଯାଇଛି। ଡିସ୍‌ଚାର୍ଜଙ୍କ ମଧ୍ୟରେ ଚିକିଟିର ଦମ୍ପତି ରହିଥିବା ବେଳେ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ୍‌ର ଯୁବକ ରହିଛନ୍ତି। ୩ଜଣଙ୍କ ରିପୋର୍ଟ ନେଭେଟିଭ୍‌ ଥିବାରୁ ସେମାନଙ୍କୁ ଡିସ୍‌ଚାର୍ଜ କରାଯାଇଥିବା ମେଡିକାଲ ସୂତ୍ରରୁ ପ୍ରକାଶ।

କରୋନା ମୁକାବିଲା ପାଇଁ ବଡ଼ ଡାକ୍ତରଖାନା ତରଫରୁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଛି। ସନ୍ଦିଗ୍ଧଙ୍କ ପାଇଁ ଏକ ସ୍ବତନ୍ତ୍ର ଓପିଡି ଖୋଲାଯିବାକୁ ନିଷ୍ପତ୍ତି ହୋଇଛି। ତାହା ଖୁବ୍‌ ଶୀଘ୍ର କାର୍ଯ୍ୟକାରୀ କରାଯିବ ବୋଲି ସୂଚନା ଦିଆଯାଇଛି। ରାଜ୍ୟ ସରକାରଙ୍କ ଗାଇଡ୍‌ଲାଇନ୍‌ ଅନୁସାରେ କାଜୁଆଲ୍‌ଟିରେ ସ୍ବତନ୍ତ୍ର ୱାର୍ଡ଼ କରାଯାଇଛି। ଏହି ୱାର୍ଡ଼ରେ ପ୍ରଥମେ ଚିକିଟି ଅଞ୍ଚଳର ଏକ ସନ୍ଦିଗ୍ଧ ଦମ୍ପତିଙ୍କୁ ଭର୍ତ୍ତି କରାଯାଇଥିଲା। ଏହାପରେ କୃଷ୍ଣପ୍ରସାଦ ଅଞ୍ଚଳର ଜଣେ ଯୁବକ ଓ ଗତକାଲି ଦିଗପହଣ୍ଡି ଅଞ୍ଚଳର ଜନୈକା ବୃଦ୍ଧା ଏବଂ ରାତିରେ କାଜାଗ୍‌ସ୍ଥାନ ଫେରନ୍ତା ଜଣେ ଛାତ୍ରଙ୍କୁ ଭର୍ତ୍ତି କରାଯାଇଥିଲା। ବୃଦ୍ଧା ଏବଂ କାଜାଗ୍‌ସ୍ଥାନ ଫେରନ୍ତା ଛାତ୍ରଙ୍କ ସ୍ବାବ୍‌ ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଛି। ସେପଟେ ଚିକିଟି ଦମ୍ପତି ଏବଂ କୃଷ୍ଣପ୍ରସାଦ ବ୍ଲକ୍‌ର ଯୁବକଙ୍କ ନମୁନା ନେଗେଟିଭ୍‌ ଆସିବା ପରେ ସେମାନଙ୍କୁ ଡିସ୍‌ଚାର୍ଜ କରାଯାଇଛି। ସଂଧ୍ୟାରେ ରେଳ ଷ୍ଟେସନ୍‌ ନିକଟରେ ଜଣେ ଯୁବକ ଅସହାୟ ଅବସ୍ଥାରେ ପଡ଼ିଥିବା ଦେଖି କିଛି ଲୋକ ୧୦୮ଆମ୍ବୁଲାନ୍ସକୁ ଖବର କରିଥିଲେ। ସମ୍ପୃକ୍ତ ଯୁବକଙ୍କୁ କାଜୁଆଲ୍‌ଟିରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସାରେ ତାଙ୍କୁ ଥଣ୍ଡା ଜ୍ବର ହୋଇଥିବା ଜଣାପଡ଼ିଥିଲା। ତାଙ୍କୁ କରୋନା ୱାର୍ଡ଼ରେ ନିରୀକ୍ଷଣରେ ରଖାଯାଇଛି। ଯୁବକ ଜଣକ ଅତ୍ୟନ୍ତ ଦୁର୍ବଳ ହୋଇ ପଡ଼ିଛନ୍ତି। ଯୁବକ ଜଣକ ଅଣଓଡ଼ିଆ ହୋଇଥିବା ବେଳେ ତାଙ୍କର ଘର ଠିକଣା କହିପାରୁ ନାହାନ୍ତି। ସେ କୌଣସି ଏକ ଟ୍ରେନ୍‌ରେ ବ୍ରହ୍ମପୁର ଆସିଥିବା ଅନୁମାନ କରାଯାଉଛି। ଠିକଣା ପଚାରିଲେ କେରଳ ବୋଲି କହୁଛନ୍ତି। କିନ୍ତୁ ତାହା ମଧ୍ୟ ସ୍ପଷ୍ଟ ହୋଇ ନାହିଁ। ଆଜି ସଂଧ୍ୟା ସୁଦ୍ଧା ସ୍ବତନ୍ତ୍ର ୱାର୍ଡ଼ରେ ୩ଜଣ ‌ସନ୍ଦିଗ୍ଧ ରହିଛନ୍ତି।

ସମ୍ବନ୍ଧିତ ଖବର