ଜଗନ୍ନାଥପ୍ରସାଦ: ଗତ ଡିସେମ୍ବର ୨ ତାରିଖରେ ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଅଧୀନ ଭୂଷଣ୍ଡପାଳ ଛକ ୨୧ ନମ୍ବର ରାଜ୍ୟ ରାଜପଥ କଡ଼ରୁ ଜଣେ ଯୁବତୀଙ୍କ ଶବ ଉଦ୍ଧାର ଘଟଣାର ରହସ୍ୟ ଖୋଲିଛି ପୁଲିସ। ମୃତକ ଯୁବତୀଜଣକ ବାଲେଶ୍ବର ଜିଲ୍ଲାର ବୋଲି ଜଣାପଡ଼ିଛି।  ଯୁବତୀଙ୍କୁ ହତ୍ୟା ଅଭିଯୋଗରେ ଭୁବନେଶ୍ବର ଖଣ୍ଡଗିରିରେ ରହୁଥିବା ମାନସ ରଞ୍ଜନ ପାଇକରାୟ (୩୫) ଓ ପତ୍ନୀ ସରୋଜିନୀଙ୍କୁ ଜଗନ୍ନାଥପ୍ରସାଦ ପୁଲିସ ଗିରଫ କରିଛି। ଉଭୟ ମିଶି ଯୁବତୀଙ୍କୁ ଗତ ଡିସେମ୍ବର ୧ ତାରିଖରେ ହତ୍ୟା କରିବା ପରେ ଶବକୁ ଏକ କାର୍‌ରେ ଆଣି ୧୫୦ କିଲୋମିଟର ଦୂର ଭୂଷଣ୍ଡପାଳ ରାସ୍ତା ପାଖ ଜମିରେ ଫୋପାଡ଼ି ଦେଇଥିଲେ ବୋଲି ଗଞ୍ଜାମ ଏସ୍‌.ପି.ବ୍ରିଜେଶ କୁମାର ରାଏ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ସେମାନଙ୍କଠୁ ୬ଟି ମୋବାଇଲ୍ ଓ ଗୋଟିଏ କାର୍ ଜବତ ହୋଇଛି।

Advertisment

ସୂଚନା ଅନୁସାରେ, ମୃତ ଯୁବତୀଜଣକ ଗତ ପାଞ୍ଚ ବର୍ଷ ହେଲା ଦମ୍ପତିଙ୍କ ଘରେ କାମ କରୁଥିଲେ। କିନ୍ତୁ ସେ କାମ ଛାଡ଼ି ପଳାଇବାକୁ ଚାହୁଁଥିଲେ ହେଁ ଦମ୍ପତି ତାଙ୍କୁ ଛାଡ଼ୁ ନ ଥିଲେ। ଗତ ୧ ତାରିଖରେ ଉକ୍ତ ଯୁବତୀ ଓ ଦମ୍ପତିଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା। ମାନସ ଓ ସରୋଜିନୀ ଉତକ୍ଷିପ୍ତ ହୋଇ ତାଙ୍କୁ ତଣ୍ଟି ଚିପି ହତ୍ୟା କରିଥିଲେ। ଏକ ଓଲା କାରରେ ଶବକୁ ଆଣି ୧୫୦ କିଲୋମିଟର ଦୂର ଭୂଷଣ୍ଡପାଳ ନିକଟରେ ‌ଫୋପାଡ଼ି ଚମ୍ପଟ୍ ମାରିଥିଲେ। ଗତ ୨ ତାରିଖରେ ଶବକୁ ଠାବ କରାଯାଇଥିବା ବେଳେ ତଦନ୍ତ ପାଇଁ ୫ ଜଣିଆ ଟିମ୍ ଗଠିତ ହୋଇଥିଲା। ଶେଷରେ ପୁଲିସ ଅଭିଯୁକ୍ତ ଦମ୍ପତିଙ୍କୁ କାବୁ କରିବାରେ ସଫଳ ହୋଇଛି। ଏହି ହତ୍ୟାକାଣ୍ଡରେ ସଂପୃକ୍ତ ଅନ୍ୟମାନଙ୍କୁ ଧରିବାକୁ ଛାନଭିନ୍ ଜାରି ରହିଛି।