ଜେଇଇ (ମୁଖ୍ୟ) ପରୀକ୍ଷା : ପ୍ରବେଶ ଅନୁମତି ନ ମିଳିବାରୁ ଫେରିଗଲେ କରୋନା ଆକ୍ରାନ୍ତ ଛାତ୍ର, ଜିଲ୍ଲାପାଳଙ୍କ ଅନୁରୋଧକୁ ବି ଶୁଣିଲେ ନାହିଁ ପରୀକ୍ଷା ପରିଚାଳକ

ବ୍ରହ୍ମପୁର : ଜେଇଇ (ମୁଖ୍ୟ) ପରୀକ୍ଷା ଦେଉଥିବା ପିଲାଙ୍କ ପାଇଁ ସରକାର ସବୁପ୍ରକାରର ସୁବିଧା କରୁଥିବା ଦାବି କରୁଥିବାବେଳେ ଆଜି ଜଣେ କରୋନା ଆକ୍ରାନ୍ତ ପରୀକ୍ଷାର୍ଥୀ ପରୀକ୍ଷା ଦେବାରୁ ବଞ୍ଚିତ ହୋଇଛନ୍ତି । କରୋନା ଆକ୍ରାନ୍ତ ପିଲାଙ୍କୁ ଅନ୍ୟ ପିଲାଙ୍କ ସହ ପରୀକ୍ଷାରେ ବସିବାକୁ ଅନୁମତି ଦେବାକୁ ଜାତୀୟ ପରୀକ୍ଷା ସଂସ୍ଥା ( ଏନଟିଏ) ପକ୍ଷରୁ ମନା କରିଦିଆଯିବାରୁ ସଂପୃକ୍ତ ପରୀକ୍ଷାର୍ଥୀ ନିରାଶ ହୋଇ ଫେରିଯାଇଛନ୍ତି ।

ମିଳିଥିବା ସୂଚନା ଅନୁସାରେ ରମ୍ଭା ଅଞ୍ଚଳର ଜଣେ ପରୀକ୍ଷାର୍ଥୀଙ୍କ ପରୀକ୍ଷା କେନ୍ଦ୍ର ବ୍ରହ୍ମପୁର ଉପକଣ୍ଠ ଗୋଳନ୍ଥରା ସୂର୍ଯ୍ୟବିହାର ସ୍ଥିତ ରୋଲାଣ୍ଡ ଇନଷ୍ଟିଚ୍ୟୁଟ ଅଫ ଟେକନଲୋଜୀରେ ପଡ଼ିଥିଲା । କିନ୍ତୁ ସେ କରୋନା ପଜିଟିଭ ଥିବାରୁ ପ୍ରଶାସନ ସହଯୋଗରେ ଏକ ସ୍ୱତନ୍ତ୍ର ଆମ୍ବୁଲାନ୍ସ ଯୋଗେ ପରୀକ୍ଷା କେନ୍ଦ୍ରକୁ ଯାଇଥିଲେ । ପରୀକ୍ଷା ଦେବା ପାଇଁ ସେ ପିପିଇ କିଟ ମଧ୍ୟ ପିନ୍ଧିଥିଲେ ।

 

କିନ୍ତୁ ପରୀକ୍ଷା ପରିଚାଳନା କରୁଥିବା ଏନଟିଏ ପକ୍ଷରୁ ତାଙ୍କୁ ପରୀକ୍ଷା କେନ୍ଦ୍ରରେ ପ୍ରବେଶ ଲାଗି ଅନୁମତି ଦିଆଯାଇନଥିଲା । ଏପରିକି ତାଙ୍କୁ ଅନୁମତି ଦେବାକୁ ଖୋଦ ଜିଲ୍ଲାପାଳ ଫୋନ କରି ଅନୁରୋଧ କରିଥିଲେ ମଧ୍ୟ ତାହାକୁ ଅଗ୍ରାହ୍ୟ କରିଦିଆଯାଇଥିଲା ।

ସଂକ୍ରମିତ ପିଲାଙ୍କୁ ପରୀକ୍ଷା ଲାଗି ଅନୁମତି ଦିଆଯିବ ନାହିଁ ବୋଲ ଏନଟିଏ ପର୍ଯ୍ୟବେକ୍ଷକ ରତ୍ନାକର ମିଶ୍ର ଲିଖିତଭାବେ ସୂଚୀତ କରିଛନ୍ତି । ତେବେ କରୋନା ପଜିଟିଭ ପିଲାଙ୍କ ପାଇଁ ଏନଟିଏ ପକ୍ଷରୁ ବିକଳ୍ପ ବ୍ୟବସ୍ଥା କରାଯିବ ବୋଲି ସେ ଏଥିରେ ଦର୍ଶାଇଛନ୍ତି ।

ସମ୍ବନ୍ଧିତ ଖବର