ସପ୍ତାହକରେ ଗଞ୍ଜାମରେ ଚିହ୍ନଟ ହେଲେଣି ୬୩ କୋଭିଡ ଯୋଦ୍ଧା

ବ୍ରହ୍ମପୁର: କରୋନା କବଳରେ କୋଭିଡ ଯୋଦ୍ଧା | ଗତ ୭ ଦିନ ମଧ୍ୟରେ ମୋଟ ୬୩ ଜଣ କୋଭିଡ ଯୋଦ୍ଧା ଚିହ୍ନଟ ହୋଇଥିବାବେଳେ ଏହାକୁ ନେଇ ପ୍ରଶାସନର ଚିନ୍ତା ବଢିଛି | ବିଶେଷ କରି ବିଭିନ୍ନ କ୍ଵାରେଣ୍ଟିନ ସେଣ୍ଟରରେ ସେବା ଯୋଗାଉଥିବା କୋଭିଡ ଯୋଦ୍ଧା କରୋନା ଦ୍ୱାରା ଆକ୍ରାନ୍ତ ହୋଇଥିବା ଜଣାପଡିଛି | ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରକାଶିତ ହୋଇଥିବା ରିପୋର୍ଟ ଅନୁସାରେ ଜୁନ ୧୭ରେ ୧୩ ଜଣ , ଜୁନ ୧୮ରେ ୧୨ ଜଣ , ଜୁନ ୧୯ରେ ୬ଜଣ, ଜୁନ ୨୦ରେ ୧୦ଜଣ, ଜୁନ ୨୧ରେ ୨ଜଣ, ଜୁନ ୨୨ରେ ୬ ଜଣ ଓ ଜୁନ ୨୩ରେ ୧୪ ଜଣ କୋଭିଡ ଯୋଦ୍ଧା କରୋନା ପଜିଟିଭ ବୋଲି ଚିହ୍ନଟ ହୋଇଥିଲେ |

ଆଉ ଏସବୁ ଘଟଣା ପରେ ଆଜି ଠାରୁ ପରବର୍ତ୍ତୀ ୧୦ ଦିନ ପର୍ଯ୍ୟନ୍ତ ଗଞ୍ଜାମ ଜିଲ୍ଲାର ସମସ୍ତ ସରକାରୀ ଅଫିସ୍ ସାଧାରଣ ଲୋକଙ୍କ ପାଇଁ ମନା ବୋଲି ଗଞ୍ଜାମ ଜିଲ୍ଲାପାଳ କହିଛନ୍ତି। ଟୁଇଟ୍ କରି ଜିଲ୍ଲାପାଳ ଜଣାଇଛନ୍ତି ଯେ, ଆଜିଠାରୁ ଆଗାମୀ ୧୦ ଦିନ ପର୍ଯ୍ୟନ୍ତ ଗଞ୍ଜାମ ଜିଲ୍ଲାର ସମସ୍ତ ସରକାରୀ ଅଫିସ୍ ସାଧାରଣ ଲୋକଙ୍କ ପାଇଁ ବନ୍ଦ କରାଯାଇଛି। ସରକାରୀ ଅଫିସ୍‌ର ବରିଷ୍ଠ ଅଧିକାରୀମାନ‌େ କରୋନାଭାଇରସ୍ ଦ୍ବାରା ଆକ୍ରାନ୍ତ ହୋଇଯାଉଥିବାରୁ ଜିଲ୍ଲା ପ୍ରଶାସନ ଏଭଳି ନିଷ୍ପତ୍ତି ଗ୍ରହଣ କରିଛି।


ସେହିପରି ଆସନ୍ତା ୩୦ ତାରିଖ ଯାଏଁ ଗଞ୍ଜାମରେ କଟକଣାକୁ କଡାକଡି କରାଯାଇଛି | ଶନିବାର ଓ ରବିବାର ସଟଡାଉନ ବ୍ୟତୀତ ସୋମବାରରୁ ଶୁକ୍ରବାର କେବଳ ତେଜରାତି ସାମଗ୍ରୀ ଦୋକାନ, ମେଡ଼ିସିନ ଷ୍ଟୋର, ଫଳ ଓ ପନିପରିବା ଦୋକାନ, କୃଷିଜାତ ସାମଗ୍ରୀ ଦୋକାନ ଓ ଗୃହନିର୍ମାଣ(ସିମେଣ୍ଟ, ରଡ଼, ରଙ୍ଗ) ଦୋକାନ ସକାଳ ୭ଟାରୁ ୧୨ଟା ଯାଏଁ ଖୋଲାରହିବ ବୋଲି ନିର୍ଦ୍ଦେଶନାମା ଜାରି କରାଯାଇଛି |

ସମ୍ବନ୍ଧିତ ଖବର