ବ୍ରହ୍ମପୁର : କରୋନା ଲଢେଇରେ ସାମିଲ ହୋଇ ମୃତ୍ୟୁ ବରଣ କରିଥିବା ୩ଜଣ ଶିକ୍ଷକ ତଥା କୋଭିଡ଼୍ ଯୋଦ୍ଧାଙ୍କ ପରିବାରଙ୍କୁ ଆଜି ମୁଖ୍ୟମନ୍ତ୍ରୀ ରିଲଫ୍ ପାଣ୍ଠିରୁ ୫୦ଲକ୍ଷ ଲେଖାଏଁ ସହାୟତା ପ୍ରଦାନ କରାଯାଇଛି। ମୃତ ଶିକ୍ଷକଙ୍କ ପରିବାର ସଦସ୍ୟମାନେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟକୁ ଆସି ଜିଲ୍ଲା ଶିକ୍ଷା ଅଧିକାରୀ ଅମୂଲ୍ୟ କୁମାର ପ୍ରଧାନଙ୍କ ସହାୟତା ରାଶିର ମଞ୍ଜୁରୀ ପତ୍ର ଗ୍ରହଣ କରିଥିଲେ।
ବର୍ତ୍ତମାନ ବ୍ୟାଙ୍କ ଛୁଟି ରହିଥିବାରୁ ଆସନ୍ତା ଦୁଇଦିନ ମଧ୍ୟରେ ସେମାନଙ୍କୁ ଅକାଉଣ୍ଟକୁ ଅର୍ଥ ପଠାଯିବ ବୋଲି ଜିଲ୍ଲା ଶିକ୍ଷା ଅଧିକାରୀ କହିଛନ୍ତି। କବିସୂର୍ଯ୍ୟନଗର ଗଙ୍ଗାଧର ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ଡି. ରାମେଶ୍ବର ଆଚାରୀ ଗତ ଜୁଲାଇ ୮ତାରିଖରେ କରୋନାରେ ମୃତ୍ୟୁବରଣ କରିଥିଲେ। ତାଙ୍କ ପତ୍ନୀ ଡ଼ି.ସଂଯୁକ୍ତା ଆଚାରୀଙ୍କୁ ସହାୟତା ରାଶିର ମଞ୍ଜୁରୀ ପତ୍ର ପ୍ରଦାନ କରାଯାଇଥିଲା। ସେହିପରି ଜୁଲାଇ ୧୧ତାରିଖରେ ଆସିକା ବ୍ଲକ ସିଙ୍ଗିପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଗୌରହରି ବେହେରାଙ୍କ ମୃତ୍ୟୁ ଘଟିଥିଲା। ତାଙ୍କ ପତ୍ନୀ ବାସନ୍ତୀ ବେହେରାଙ୍କୁ ସହାୟତା ରାଶିର ମଞ୍ଜୁରୀ ପତ୍ର ଗ୍ରହଣ କରିଥିଲେ। ସେହିପରି ଜୁଲାଇ ୧୭ତାରିଖରେ ଦିଗପହଣ୍ତି ବ୍ଲକ କେ.ସାମାନ୍ତରାପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ବଂଶୀଧର ବେହେରା କରୋନାରେ ମୃତ୍ୟୁବରଣ କରିଥିଲେ। ତାଙ୍କ ପତ୍ନୀ ସୁଜାତା ବେହେରା ସହାୟତା ରାଶି ମଞ୍ଜୁରୀ ପତ୍ର ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଠାରୁ ଗ୍ରହଣ କରିଥିଲେ। ଏହି ମଞ୍ଜୁରୀ ପତ୍ର ପ୍ରଦାନ ବେଳେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ତଥା ଜିଲ୍ଲା ସର୍ବଶିକ୍ଷା ଅଭିଯାନର ପ୍ରକଳ୍ପ ସଂଯୋଜିକା ବିନିତା ସେନାପତି, ସେସ୍କନ ଅଫିସର ପ୍ରଫୁଲ କୁମାର ପଣ୍ତା ଓ ଜୁନିୟର ଆସିଷ୍ଟାଣ୍ତ ଜ୍ଞାନାଞ୍ଜନ ପଣ୍ତା ପ୍ରମୁଖ ଉପସ୍ଥିତ ଥିଲେ।
ସୂଚନା ଯୋଗ୍ୟ ଯେ, କୋଭିଡ଼ ଡ୍ୟୁଟିର ଶେଷ ଦିବସ ଠାରୁ ୩୦ଦିନ ମଧ୍ୟରେ ଯଦି କୌଣସି କୋଭିଡ଼୍ ଯୋଦ୍ଧା କରୋନା ସଂକ୍ରମିତ ହୋଇ ମୃତ୍ୟୁ ବରଣ କରନ୍ତି ତେବେ ସରକାରଙ୍କ ପକ୍ଷରୁ ଘୋଷଣା ହୋଇଥିବା ସହାୟତା ରାଶି ପାଇପାରିବେ। ଗଞ୍ଜାମ ଜିଲ୍ଲାରେ ୧୩ଜଣ ଶିକ୍ଷକଶିକ୍ଷୟିତ୍ରୀ ସମେତ ସମୁଦାୟ ୪୦ଜଣ କୋଭିଡ଼୍ ଯୋଦ୍ଧାଙ୍କ ମୃତ୍ୟୁ ଘଟିଛି। ମୃତ ଶିକ୍ଷକଙ୍କ ମଧ୍ୟରୁ ମାତ୍ର ୩ ଜଣ ଶିକ୍ଷକଙ୍କ ପରିବାର ସରକାରଙ୍କ ନିୟମାବଳୀ ଅନୁଯାୟୀ ସହାୟତା ରାଶି ପାଇବା ଲାଗି ବିବେଚିତ ହୋଇଛନ୍ତି। ଉପରୋକ୍ତ ୩ ଶିକ୍ଷକଙ୍କ ପରିବାର ବର୍ଗଙ୍କୁ ଗତ କିଛିଦିନ ତଳେ ସରକାରଙ୍କ ପକ୍ଷରୁ ଜାତୀୟ ପେନସନ୍ ଯୋଜନା ଅନୁଯାୟୀ ପୂର୍ଣ୍ଣ ପେନସନ ପ୍ରଦାନ କରାଯାଇଥିଲା। କୋଭିଡରେ ମୃତ୍ୟୁ ବରଣ କରିଥିବା କୋଭିଡ଼୍ ଯୋଦ୍ଧାଙ୍କ ପରିବାରଙ୍କୁ ୫୦ଲକ୍ଷ ଟଙ୍କା ବୀମା ରାଶି ପ୍ରଦାନ କରିବେ ବୋଲି ସରକାର ଘୋଷଣା କରିଛନ୍ତି। କିନ୍ତୁ ଏହି ରାଶି କେନ୍ଦ୍ର ସରକାର ଦେବା ଲାଗି ରହିଥିଲା। କିନ୍ତୁ କେନ୍ଦ୍ର ପକ୍ଷରୁ ଏଯାବତ୍ ପ୍ରଦାନ କରାଯାଇ ନ ଥିବାରୁ ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ମୃତ କୋଭିଡ଼୍ ଯୋଦ୍ଧାଙ୍କ ପରିବାରଙ୍କୁ ୫୦ଲକ୍ଷ ଲେଖାଏଁ ପ୍ରଦାନ କରିଛନ୍ତି। ଯଦି କେନ୍ଦ୍ର ସରକାର ୫୦ଲକ୍ଷ ଲେଖାଏଁ ବୀମା ରାଶି ପ୍ରଦାନ କରନ୍ତି ତେବେ ତାହାକୁ ରାଜ୍ୟ ସରକାରଙ୍କ ଫେରସ୍ତ କରିବେ ବୋଲି ମୃତ ଶିକ୍ଷକଙ୍କ ପରିବାର ସଦସ୍ୟମାନେ ଲିଖିତ ପତ୍ର ଦାଖଲ କରି ଏହି ସହାୟତା ରାଶି ଗ୍ରହଣ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/covi.jpg)