ମାତିଲେ ଲୁଟେରା ଗ୍ୟାଙ୍ଗ୍‌ : ଦେଶୀ ମଦ ଭାଟିରୁ ୯.୯୨ ଲକ୍ଷ ଲୁଟ୍‌

୧୦ କର୍ମଚାରୀଙ୍କୁ ମାଉଜର୍‌ ଦେଖାଇ ଡରାଇଲେ
ସ୍କର୍ପିଓରେ ଚମ୍ପଟ୍‌ ମାରିଲେ

ଗଂଜାମ : କିଛି ଦିନର ବିରତ ପରେ ଗଂଜାମ ଜିଲ୍ଲାରେ ପୁଣି ମାତିଛନ୍ତି ରାଜପଥ ଲୁଟେରା ଗ୍ୟାଙ୍ଗ୍‌। ରମ୍ଭା ଥାନା ସାନରାମଚନ୍ଦ୍ରପୁର ଗ୍ରାମ ସଂଲଗ୍ନ ୧୬ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ଏକ ଦେଶୀ ମଦ ଭାଟିରେ ଲୁଟେରା ଗ୍ୟାଙ୍ଗ୍‌ ରବିବାର ଭୋର୍‌ ୫ଟାରେ ଆତଙ୍କରାଜ ଖେଳାଇଛନ୍ତି।

ଭାଟି ଭିତରେ ଥିବା ୧୦ଜଣ କର୍ମଚାରୀଙ୍କୁ ମାଉଜର୍‌ ଦେଖାଇ ଧମକଚମକ ଦେବା ସହ ଆଲମିରାରୁ ୯ଲକ୍ଷ ୯୨ ହଜାର ଟଙ୍କା ଲୁଟି ନେଇ ଚମ୍ପଟ ମାରିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏକ ଧଳା ରଂଗର ସ୍କର୍ପିଓରେ ଆସି ଲୁଟେରା ମାନେ ସେମାନଙ୍କ ଯୋଜନାକୁ ରୂପ ଦେଇଥିଲେ। ଆଉ ଆଖି ପିଛୁଳାକେ ଭୁବନେଶ୍ୱର ଆଡ଼କୁ ଚମ୍ପଟ ମାରିଥିଲେ।

ଏନେଇ କର୍ମଚାରୀ କେ.କୀର୍ତି ରମ୍ଭା ଥାନାରେ ଏତଲା ଦେବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି। ଛତ୍ରପୁର ଏସ୍‌ଡିପିଓ ରମେଶ ଚନ୍ଦ୍ର ସେଠୀ ଓ ରମ୍ଭା ଥାନା ଅଧିକାରୀ ନମିତା ନାୟକ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି। ଘଟଣାର ତଦନ୍ତ ପାଇଁ ୪ଟି ସ୍ୱତନ୍ତ୍ର ଟିମ୍‌ ଗଠନ କରାଯାଇ ଗଂଜାମ ଓ ଖୋର୍ଦ୍ଧା ଜିଲ୍ଲାର କିଛି ଜାଗାରେ ଚଢଉ ଆରମ୍ଭ ହୋଇଥିବା ଜଣାପଡ଼ିଛି। ତେବେ ଏଥିରେ କୌଣସି ଅନ୍ତଃଜିଲ୍ଲା ଲୁଟେରା ଗ୍ୟାଙ୍ଗ୍‌ର ସଂପୃକ୍ତି ଥିବା ଅନୁମାନ କରାଯାଉଛି। ଖୁବ୍‌ ଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ଥାନା ଅଧିକାରୀ ନମିତା ନାୟକ ସୂଚନା ଦେଇଛନ୍ତି।

ସମୟ ପ୍ରାୟ ଭୋର୍‌ ୫ଟା। ଶ୍ରୀଦେବୀ ପାତ୍ରଙ୍କ ଦେଶୀ ଭାଟିରେ ୫ଜଣ କର୍ମଚାରୀ ମଦ ରନ୍ଧା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ତିନିଟି କୋଠରିରେ ଅନ୍ୟ ୫ ଜଣ କର୍ମଚାରୀ ଶୋଇ ଥିଲେ। ଏହି ସମୟରେ ୮ଜଣ ଯୁବକ ଏକ ସ୍କର୍ପିଓରେ ପହଞ୍ଚି ଥିଲେ। ଭାଟିଠୁ ୩୦ ମିଟର ଦୂରରେ ସେମାନେ ସ୍କର୍ପିଓକୁ ରଖିବା ସହ ପଛପଟ ପାଚେରୀ ଡେଇଁ ପଶି ଥିଲେ। ମଦ ରନ୍ଧା ପାଇଁ ପ୍ରସ୍ତୁତ ହେଉଥିବା ୫ଜଣ କର୍ମଚାରୀଙ୍କୁ ସେମାନେ ପ୍ରଥମେ ବାନ୍ଧିବା ସହ ଜଣେ ମାଉଜର୍‌ ଧରି ସେମାନଙ୍କୁ ଜଗି ରହିଥିଲା। ଅନ୍ୟମାନେ ଶୋଇଥିବା କର୍ମଚାରୀଙ୍କୁ ଉଠାଇ ସେମାନଙ୍କଠୁ ମୋବାଇଲ୍‌ ଛଡ଼ାଇ ନେଇ ଆଲମିରା ଚାବି ମାଗି ଥିଲେ। ଏହା ପରେ ଦ୍ୱିତୀୟ କୋଠରିରେ ଥିବା ଆଲମିରାରୁ ୯ଲକ୍ଷ ଟଙ୍କା ଲୁଟି ନେବା ସହ ଧମକଚମକ ଦେଇ ଚମ୍ପଟ ମାରିଥିଲେ। ଏହା ପରେ ପୁଲିସ ପହଞ୍ଚି ଘଟଣାସ୍ଥଳରେ ତଦନ୍ତ କରିବା ସହ ସିସି କ୍ୟାମେରା ଫୁଟେଜ୍‌ ସଂଗ୍ରହ କରିଛି। ସେହିପରି ଅତି ଚାଲାକ୍‌ର ସହ ଲୁଟେରା ମାନେ ଗାଡ଼ିକୁ ଦୂରରେ ରଖିଥିବାରୁ ନମ୍ବରକୁ ଲେଖିବା ବି ସମ୍ଭବପର ହୋଇ ନଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର