ଆଉ ଦିନକ ପରେ ଫିଟିବ ଭୋଟ ପେଡ଼ି:ସକାଳ ୮ଟା ଠାରୁ ହେବ ଗଣନା

୩ ଗଣନା କେନ୍ଦ୍ରରେ ସମୁଦାୟ ୨୦୬ ଟେବୁଲ :ଗଣନା କେନ୍ଦ୍ରରେ ଏସି, ସିସିଟିଭି ବ୍ୟବସ୍ଥା

ଗଣନା କେନ୍ଦ୍ର ପରିସରକୁ ମୋବାଇଲ ମନା O ମୁତୟନ ହେବ ୨୪ ପ୍ଲାଟୁନ ଫୋର୍ସ O ଗଣନା କେନ୍ଦ୍ରରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା

ଛତ୍ରପୁର/ବ୍ରହ୍ମପୁର : ଆଉ ଦିନକ ପରେ ଫିଟିବ ଭୋଟ ପେଡି। ବହୁ ପ୍ରତିକ୍ଷୀତ ୨୦୧୯ ସାଧାରଣ ନିର୍ବାଚନର ଭୋଟ ଗଣତି ୨୩ ତାରିଖ ସକାଳ ୮ଟା ଠାରୁ ଆରମ୍ଭ ହେବ। ଗଞ୍ଜାମ ଜିଲ୍ଲାର ୨ଟି ଲୋକସଭା ଏବଂ ୧୩ଟି ବିଧାସଭା ଆସନର ଭୋଟ ୩ଟି ଗଣନା କେନ୍ଦ୍ରରେ ଏକାସମୟରେ ଗଣନା କରାଯିବ। ବ୍ରହ୍ମପୁର ସରକାରୀ ଆଇଟିଆଇ ପରିସରରେ ସାନଖେମୁଣ୍ଡି, ଚିକିଟି ଓ  ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ଭୋଟ ଗଣନା ହେବ। ସେହିପରି ସରକାରୀ ଆଇଟିଆଇ ନିକଟରେ ଥିବା ମହିଳା ପଲିଟେକନିକ ଠାରେ ବ୍ରହ୍ମପୁର ଏବଂ ଗୋପାଳପୁର ନିର୍ବାଚନମଣ୍ଡଳୀର ଭୋଟ ଗଣତି ହେବ। ସେହିପରି ଛତ୍ରପୁର ଅନସ୍ଲୋ ହାଇସ୍କୁଲ ଠାରେ ଛତ୍ରପୁର, ଖଲ୍ଲିକୋଟ, ହିଞ୍ଜିଳି, ପୋଲସରା ଓ କବିସୂର୍ଯ୍ୟନଗର ନିର୍ବାଚନମଣ୍ଡଳୀର ଭୋଟ ଗଣନା କରାଯିବ। ସେହିପରି ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ରଭଞ୍ଜ ମହାବିଦ୍ୟାଳୟ ଠାରେ ସୋରଡା, ଭଞ୍ଜନଗର ଓ ଆସିକା ନିର୍ବାଚନ ମଣ୍ଡଳୀ ଭୋଟ ଗଣନା ହେବ।

ଦିଗପହଣ୍ଡି, ସାନଖେମୁଣ୍ଡି, ଚିକିଟି ଓ ଗୋପାଳପୁର ନିର୍ବାଚନ ମଣ୍ଡଳୀକୁ ବାଦ ଦେଲେ ଜିଲ୍ଲା ବାକି ୯ଟି ନିର୍ବାଚନମଣ୍ଡଳୀର ଭୋଟଗଣତି କେନ୍ଦ୍ରରେ ବିଧାନସଭା ଆସନର ଭୋଟ ଗଣତି ପାଇଁ ଅନ୍ୟୁନ ୭ଟି ଟେବୁଲ ରହୁଥିବା ବେଳେ ଲୋକସଭା ଆସନର ଭୋଟ ଗଣତି ଲାଗି ୭ଟି ଟେବୁଲର ବ୍ୟବସ୍ଥା କରାଯାଇଛି। କିନ୍ତୁ ଦିଗପହଣ୍ଡି, ସାନଖେମୁଣ୍ଡି, ଚିକିଟି ଓ ଗୋପଳପୁର ନିର୍ବାଚନମଣ୍ଡଳୀର ବିଧାସଭା ଓ ଲୋକସଭା ଭୋଟ ଗଣନା ଲାଗି ୧୦ଟି ଲେଖାଏଁ ଟେବୁଲର ବ୍ୟବସ୍ଥା କରାଯାଇଛି। ୩ଟି ଗଣନା କେନ୍ଦ୍ରରେ ସମୁଦାୟ ୨୦୬ଟି ଗଣନା ଟେବୁଲ ରହିଛି। ଏହି ଭୋଟ ଗଣନା କାର୍ଯ୍ୟରେ ୨୫୮ଜଣ କାଉଣ୍ଟିଙ୍ଗ ସୁପରଭାଇଜର, ୨୦୬ ଜଣ କାଉଣ୍ଟିଙ୍ଗ ଆସିଷ୍ଟାଣ୍ଡ ଏବଂ ୨୩୨ଜଣ ମାଇକ୍ରୋ ଅବଜରବରଙ୍କ ନିଯୁକ୍ତ କରାଯାଇଛି। ଏଥି ସହ ୧୫୦ ପ୍ରତିଶତ ଅଧିକ କର୍ମଚାରୀଙ୍କୁ ସଂରକ୍ଷିତ ରଖାଯାଇଛି। ଜିଲ୍ଲା ଦୁଇ ଲୋକସଭା ଆସନ ମଧ୍ୟରୁ ଆସିକା ପାଇଁ ୨୦୮୬ ଏବଂ ବ୍ରହ୍ମପୁର  ପାଇଁ ୧୨୭୯ ପୋଷ୍ଟାଲ ‌ବେଲଟ ପଡିଛି। ଏତଦ୍‌ବ୍ୟତିତ ଇଲୋକ୍ଟ୍ରନକ୍ସ ଟ୍ରାନ୍ସଫର ପୋଷ୍ଟାଲ ବ୍ୟାଲଟ ସିଷ୍ଟମ(ଇଟିପିବିଏସ୍‌) ଜରିଆରେ ବର୍ତ୍ତମାନ ସୁଦ୍ଧା ଆସିକା ଲୋକସଭା ପାଇଁ ୯୭୬ ଜଣ ଏବଂ ବ୍ରହ୍ମପୁର ଲୋକସଭା ପାଇଁ ୧୫୭୯ ପୋଷ୍ଟାଲ ବେଲେଟ ଆସିଛି। ବାକି ୧୩ଟି ବିଧାନସଭା ଆସନ ପାଇଁ ୪୧୨୬ଟି ପୋଷ୍ଟାଲ ବେଲଟ ଆସିଛି।

ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ପ୍ରତି ଗଣନା କେନ୍ଦ୍ରରେ ଏସି(ଶୀତତାପ ନିୟନ୍ତ୍ରିତ ବ୍ୟବସ୍ଥା) ଲଗାଯାଇଛି। ଏହାସହିତ ସିସିଟିଭି ସର୍ଭେଲାନ୍ସ ମଧ୍ୟରେ ରହିଛି ସବୁ ଗଣନା କେନ୍ଦ୍ର। ଏହାସହିତ ଲ୍ୟାଣ୍ଡ ଲାଇନ ଫୋନ ବ୍ୟବସ୍ଥା କରାଯାଇଛି। ୧୩ଟି ବିଧାନସଭା ପାର୍ଇ ତାମିଲନାଡୁ, ବିହାର ଓ ମହାରାଷ୍ଟ୍ରର ୧୨ଜଣ ସାଧାରଣ ପର୍ଯ୍ୟବେକ୍ଷକ ନିଯୁକ୍ତ ହୋଇଛନ୍ତି। ଖଲିକୋଟ ଓ ହିଞ୍ଜିଳି ଦାୟିତ୍ବରେ ଜଣେ ପର୍ଯ୍ୟବେକ୍ଷକ ରହିଛନ୍ତି। ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ଦ୍ବାରା ପ୍ରଦତ୍ତ ପରିଚୟ ପତ୍ର ନ ଥିଲେ ଭୋଟଗଣନା କେନ୍ଦ୍ରକୁ କାହାକୁ ବି ଛଡାଯିବ ନାହିଁ। ରିଟର୍ଣ୍ଣି ଅଫିସର ଏବଂ ସାଧାରଣ ପର୍ଯ୍ୟବେକ୍ଷକଙ୍କ ବ୍ୟତିତି ଅନ୍ୟ କେହି ବି ଗଣନା କେନ୍ଦ୍ର ପରିସରକୁ ମୋବାଇଲ ନେଇପାରିବେ ନାହିଁ ‌ବୋଲି ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ସୂଚନା ଦେଇଛନ୍ତି। ସେହିପରି ଭୋଟଗଣନା ସମୟରେ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ସୂଚନା ଦେଇ ଗଞ୍ଜାମ ଏସ୍‌ପି ବ୍ରିଜେଶ କୁମାର ରାଏ କହିଛନ୍ତି ଯେ, ଗଞ୍ଜାମ ପୁଲିସ ଜିଲ୍ଲା ଅଧୀନସ୍ଥ ଛତ୍ରପୁର ଏବଂ ଭଞ୍ଜନଗର ଠାରେ ଭୋଟଗଣନା ହେଉଛି। ଛତ୍ରପୁର ଠାରେ ୮ ପ୍ଲାଟୁନ ଏବଂ ଭଞ୍ଜନଗର ଠାରେ ୫ ପ୍ଲାଟୁନ ଫୋର୍ସ ମୁତୟନ କରାଯିବ। ଏହାସହିତ ୨ଜଣ ଅତିରିକ୍ତ ଏସ୍‌ପି, ୫ ଜଣ ଡିଏସ୍‌ପି, ୮ ଜଣ ଇନ୍ସପେକ୍ଟର ୧୭ ଜଣ ସବ ଇନ୍ସପେକ୍ଟର ଓ ୩୩ଏଏସ୍‌ଆଇ ମୁତୟନ ହେବେ। ୧୦୯ଜଣ ଓଆର କନଷ୍ଟେବଳ ଏବଂ ୧୧୫ ହୋମଗାର୍ଡ ମୁତୟନ ହେବ। ଏହାସହିତ ଟ୍ରାଫିକ ପରିଚଳାନ ଉପରେ ବି ଗୁରୁତ୍ବ ଦିଆଯାଇଛି।  ଅନସ୍ଲୋ ପଛ ପାର୍ଶ୍ବ ଓ ଏସ୍‌ପିଙ୍କ କାର୍ଯ୍ୟାଳୟ ରାସ୍ତା ପାର୍ଶ୍ବରେ କୌଣସି ବ୍ୟକ୍ତି ଦୁଇ ଚକିଆ ଯାନବାହାନ ପାର୍କିଙ୍ଗ କରିପାରିବେ ନାହିଁ। ଏହି ରାସ୍ତା‌ରେ ଯାନାବାହାନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିବ।  ଛତ୍ରପୁର ନୂତନ ବସଷ୍ଟାଣ୍ଡ ଯାନବାହାନ ପାର୍କିଙ୍ଗ ଲାଗି ବ୍ୟବସ୍ଥା ହୋଇଛି। ଭୋଟଗଣନା ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଭୋଟଗଣନା କେନ୍ଦ୍ରର ମୁଖ୍ୟ ଫାଟକରେ ଯାଞ୍ଚ କରାଯିବ। ଏହାସହିତ କେନ୍ଦ୍ରୀୟ ଅର୍ଦ୍ଧ ସାମରିକ ବାହିନୀ ମୁତୟନ ‌ହେବେ ବୋଲି ସ‌େ ସୂଚନା ‌ଦେଇଥିଲେ। ସେହିପରି ବ୍ରହ୍ମପୁର ଠାରେ ହେବାକୁ ଥିବା ଭୋଟ ଗଣନା ବେଳେ ସୁରକ୍ଷା ବ୍ୟବସ୍ଥା ଓ ଟ୍ରାଫିକ ପରିଚାନଳା ସମ୍ପର୍କରେ ବ୍ରହ୍ମପୁର ଏସ୍‌ପି ପିନାକ ମିଶ୍ର ସୂଚନା ଦେଇଛନ୍ତି କହିଛନ୍ତି ଯେ, ବ୍ରହ୍ମପୁର ଠାରେ ୧୧ ପ୍ଲାଟୁନ ଫୋର୍ସ ମୁତୟନ ହେବ।  ୨ଜଣ ଅତିରିକ୍ତ ଏସ୍‌ପି, ୬ଜଣ ଡିଏସ୍‌ପି, ୧୦ ଇନ୍ସପେକ୍ଟର, ୭୦ଜଣ ସବ୍‌ ଇନ୍ସପେକ୍ଟର ଓ ଏଏସ୍ଆଇ ଏବଂ ୧୦୦ଜଣ ହୋମଗାର୍ଡ ମୁତୟନ ହେବ। ଟ୍ରାଫିକ ପ୍ଲାନ ପ୍ରସ୍ତୁତି ଚାଲିଛି। ଖୁବଶୀଘ୍ର ଜଣାଇ ଦିଆଯିବ।

ସୂଚନା ଯୋଗ୍ୟ ‌ଯେ, ଗଞ୍ଜାମ ଜିଲ୍ଲାର ୨ଲୋକସଭା ଓ ୧୩ଟି ବିଧାନସଭା ଆସନ ଲାଗି ୨ଟି ପର୍ଯ୍ୟାୟ ଏପ୍ରିଲ ୧୧ ଏବଂ ୧୮ରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଜିଲ୍ଲାର ୧୦୩ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଭୋଟପେଢିରେ ବନ୍ଦ ହୋଇରହିଛି।

ସମ୍ବନ୍ଧିତ ଖବର