ଭଞ୍ଜନଗର : ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନାରେ କାର୍ଯ୍ୟରତ ଗୃହରକ୍ଷୀ ଶୈଳବାଳା ନାୟକ(୪୫)ଙ୍କ ଶବକୁ ଆଜି ସନ୍ଦେହଜନକ ଅବସ୍ଥାରେ ବନ୍ଦ ଘରୁ ଉଦ୍ଧାର କରାଯାଇଛି। ଏନେଇ କେସ୍ ନମ୍ବର ୬ ଅନୁସାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ଶୈଳବାଳାଙ୍କ ମୃତ୍ୟୁର କାରଣ ଜଣାପଡ଼ିନଥିବା ବେଳେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ ସବୁ ସ୍ପଷ୍ଟ ହେବ ବୋଲି ଥାନାଧିକାରୀ ସୁଦୀପ୍ତ କୁମାର ସାହୁ ସୂଚନା ଦେଇଛନ୍ତି।

Advertisment

ଭଞ୍ଜନଗର ଥାନାରେ ଦୀର୍ଘ ୨୦ ବର୍ଷରୁ ଅଧିକ ସମୟ ଧରି କାର୍ଯ୍ୟରତ ଶୈଳବାଳା ଚାକୁଣ୍ଡାପଲ୍ଲୀ ଗ୍ରାମ ନିକଟରେ ଏକୁଟିଆ ରହୁଥିଲେ। ଗତ ଗୁରୁବାର ଡ୍ୟୁଟି ସାରି ସେ ଘରକୁ ଫେରିଥିଲେ। କିନ୍ତୁ ଅସୁସ୍ଥ ଥିବା ବିଷୟରେ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଇବା ସହ ଗତକାଲି ଆଉ ଡ୍ୟୁଟିକୁ ଆସି ନଥିଲେ। ମହାଗୁଡ଼ାରେ ରହୁଥିବା ତାଙ୍କ ଭାଇ ବାରମ୍ବାର ଫୋନ୍ କରିଥିଲେ ବି ଶୈଳ ମୋବାଇଲ୍ ରିସିଭ୍ କରି ନଥିଲେ।
ଆଜି ଶୈଳଙ୍କ ମୋବାଇଲ୍ ସୁଇଚ୍ ଅଫ୍‌ ଥିବାରୁ ତାଙ୍କ ଭାଇ ଚାକୁଣ୍ଡାପଲ୍ଲୀ ଗ୍ରାମରେ ପହଞ୍ଚିଥିଲେ। ଘରର କବାଟ ଭିତରପଟୁ ବନ୍ଦ ଥିବା ବେଳେ ଶୈଳ ଖାଇବା ଥାଳି ନିକଟରେ ପଡ଼ି ରହିଥିଲେ। ତୁରନ୍ତ ଶୈଳଙ୍କୁ ଭଞ୍ଜନଗର ଡାକ୍ତରଖାନା ନିଆଯାଇଥିବା ବେଳେ ଡାକ୍ତର ସେଠାରେ ମୃତ ଘୋଷଣା କରିଥିଲେ।

ଆଜି ଶବ ବ୍ୟବଚ୍ଛେଦ ହେବା ପରେ ଥାନା ନିକଟରେ ଥାନାଧିକାରୀଙ୍କ ସମେତ ସମସ୍ତ ଅଧିକାରୀ, ପୁଲିସ୍‌ କର୍ମଚାରୀ ଏବଂ ପି.ହେମନ୍ତ କୁମାରଙ୍କ ନେତୃତ୍ବରେ ହୋମଗାର୍ଡମାନେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଶବକୁ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଥିଲା।