ସମୁଦ୍ର ବାଟରେ ଚୋରା ଡ଼ିଜେଲ୍‌ ଚାଲାଣ:ଚାପରେ ପଡ଼ି ୨ ଜଣଙ୍କ ନାମରେ ଏତଲା

ଛତ୍ରପୁର: ଗୋପାଳପୁର ପୋର୍ଟ ପରିସର ଯାନବାହନ ଗୁଡ଼ିକରୁ ସମୁଦ୍ର ବାଟରେ ଚୋରା ଡ଼ିଜେଲ୍‌ ଚାଲାଣ ଘଟଣା ପଦାରେ ପଡ଼ିବା ପରେ ସାମୁଦ୍ରିକ ଥାନା ପୁଲିସ ତନାଘନା ଆରମ୍ଭ କରିଛି । ଏନେଇ ପୁଲିସ୍‌ ସମସ୍ତ ତଥ୍ୟ ଗଣମାଧ୍ୟମ ଠାରୁ ଗୋପନ ରଖିଥଲା। ଏହି ରାକେଟ୍‌ରେ ସଂଖ୍ୟାଧିକ ବ୍ୟକ୍ତି ଜଡ଼ିତ ଥିବା ବେଳେ ଚାପରେ ପଡ଼ି କେବଳ ୨ଜଣଙ୍କ ବିରୋଧରେ ଏତଲା ଦାଏର କରାଯାଇଛି।
ସୂଚନାନୁସାରେ, ୨ ଜଣ ଅଭିଯୁକ୍ତଙ୍କ ନାମରେ ୬/୨୦୧୮ ନମ୍ବର ଏତଲା ଦାଏର କରିଛି । ଗତକାଲି ନୂଆଗାଁ ବ୍ରିଜ୍‌ ନିକଟରୁ ୪ ଶହ ଲିଟର ଡ଼ିଜେଲ ସହ ଓଡ଼ି୦୭ ୩୫୧୦ ନମ୍ବର ଏକ ପିକ୍‌ଅପ୍‌ ଭ୍ୟାନ୍‌ ଜବତ କରାଯାଇଥିଲା । ଦୀର୍ଘଦିନ ହେଲା ସମୁଦ୍ର ବାଟରେ ଚୋରା ଡ଼ିଜେଲ ଚାଲାଣ ର‍୍ୟାକଟ୍‌ ଉପରେ ପୁଲିସ ତଦନ୍ତରେ ବାଧା ସୃଷ୍ଟି ହେବ ବୋଲି ଦୁଇଜଣ ଅଭିଯୁକ୍ତଙ୍କ ନାମ ପୁଲିସ ଗୋପନ ରଖିଛି ବୋଲି ପୁଲିସ୍‌ ସ୍ପଷ୍ଟୀକରଣ ଦେଇଛି। ବିଶେଷ ସୂତ୍ରରୁ ଜଣାପଡ଼ିଛି ଛତ୍ରପୁର ବ୍ଲକ ଅଞ୍ଚଳର ଜଣେ ବ୍ୟବସାୟୀ କିଛି ଦଲାଲଙ୍କ ଜରିଆରେ ଡିଜେଲ ଚୋରି କରି ବାହାରେ ବିକ୍ରି କରାଯାଉଥିଲା । ସେମାନଙ୍କୁ କିଛି ଅର୍ଥର ଲୋଭ ଦେଖାଇ ଏଭଳି ଚୋରି କାର୍ଯ୍ୟରେ ନିୟୋଜିତ କରୁଥିଲେ । ଦୁଇଜଣ ଅଭିଯୁକ୍ତଙ୍କୁ ପୁଲିସ ଚିହ୍ନଟ କରିଥିଲେ ସୁଦ୍ଧା ଧରିବାରେ ବର୍ତ୍ତମାନ ସୁଦ୍ଧା ବିଫଳ ହୋଇଛି । ଏମାନଙ୍କ ସହ ଅନ୍ୟ କେଉଁମାନେ ଜଡ଼ିତ ଅଛନ୍ତି ତାହା ଉପରେ ପୁଲିସ ତନାଘନା ଚଲାଇଛି । ଖୁବ୍‌ ଶୀଘ୍ର ଏହି ରାକେଟ୍‌ର ପର୍ଦ୍ଦାଫାସ ହେବ ବୋଲି ଥାନା ଅଧିକାରୀ ବୈଦେହୀ ବେହେରା ସୂଚନା ଦେଇଥିଲେ ।

ସମ୍ବନ୍ଧିତ ଖବର