ବ୍ରହ୍ମପୁର: ବ୍ରହ୍ମପୁର ସହରରେ ଘଟିଥିବା ବହୁ ଚର୍ଚ୍ଚିତ ଧୀର ସାମଲ ହତ୍ୟା ମାମଲାର ଦୀର୍ଘ ୧୪ ବର୍ଷର ବିଚାରଣା ପରେ ଆଜି ଚୂଡ଼ାନ୍ତ ରାୟ ପ୍ରକାଶ ପାଇଛି। ଗଞ୍ଜାମଜିଲ୍ଲା ଓ ଦୌରାଜଜ୍‌ ରୂପଶ୍ରୀ ଚୌଧୁରୀ ମାମଲାର ଶୁଣାଣି କରି ଆବଶ୍ୟକ ସାକ୍ଷ୍ୟ ପ୍ରମାଣ ଅାଧାରରେ ୫ଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ସମସ୍ତଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ସେମାନେ ହେଲେ କାଳିଆ ସେଠୀ, ପି.କୃଷ୍ଣଚନ୍ଦ୍ର ପାତ୍ର, ପିଙ୍କୁ ପାତ୍ର, ସଞ୍ଜୟ ପ୍ରଧାନ ଓ ସନିଆ ଗୌଡ଼। ସେହିପରି ନିର୍ଦ୍ଦୋଷ ସାବ୍ୟସ୍ତ ହୋଇଥିବା ୩ଜଣ ହେଲେ ରଙ୍ଗିନ୍‌ ସନ୍ତୁ ଓରଫ୍‌ ସନ୍ତୋଷ ପାତ୍ର, ରିଙ୍କୁ ପାତ୍ର ଓ ମଙ୍ଗୁଳୁ ‌ବେହେରା।

Advertisment

ମାମଲାର ବିବରଣୀରୁ ପ୍ରକାଶ ଯେ, ୨୦୧୦ ଜୁଲାଇ ୨୨ ତାରିଖ ସକାଳେ ଧୀର ସାମଲ ବଡ଼ବଜାର ଥାନା ଶ୍ରୀରାମନଗର ଛକରେ ତାଙ୍କର ଦୁଇଜଣ ସାଙ୍ଗ ସନ୍ତୋଷ ତ୍ରିପାଠୀ ଓ ରାଜୀବ ବେହେରାଙ୍କ ସହ କଥା ହେଉଥିଲେ। ଏହି ସମୟରେ ହଠାତ ତାଙ୍କ ଉପରକୁ କିଛି ଦୁର୍ବୃତ୍ତ ବୋମାମାଡ଼ କରିଥିଲେ। ସେ ଜୀବନ ବିକଳରେ ଦୌଡ଼ି ପଳାଇବାକୁ ଉଦ୍ୟମ କରିଥିଲେ। ହେଲେ ଦୁର୍ବୃତ୍ତମାନେ ତାଙ୍କୁ ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ହାଣି ରକ୍ତାକ୍ତ କରି ଦେଇଥିଲେ। ଘଟଣା ପରେ ଦୁର୍ବୃତ୍ତମାନେ ସେଠାରୁ ଫେରାର୍‌ ହୋଇ ଯାଇଥିଲେ। ସୂଚନା ପାଇ ତାଙ୍କ ସାନଭାଇ ଭାଲୁ ସାମଲ, ମା’ ବିଜୟଲକ୍ଷ୍ମୀ ଓ ସ୍ତ୍ରୀ ଝୁଲି ସେଠାରେ ପହଞ୍ଚିଥିଲେ। ଧୀରଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ହେଲେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ମୃତ୍ୟୁ ପୂର୍ବରୁ ସେ ପୁଲିସ ନିକଟରେ ଅଭିଯୁକ୍ତଙ୍କ ନାମ ପ୍ରକାଶ କରିଥିଲେ। ବୋମାମାଡ଼ ଘଟଣାରେ ଧୀରଙ୍କ ଦୁଇବନ୍ଧୁ ସନ୍ତୋଷ ଓ ରାଜୀବ ମଧ୍ୟ ଗୁରୁତର ହୋଇଥିଲେ। ଭାଇ ଭାଲୁଙ୍କ ଅଭିଯୋଗ ପ୍ରକାରେ ବଡ଼ବଜାର ଥାନାରେ କେସ୍‌ ନମ୍ବର ୮୭/୧୦ରେ ମାମଲା ରୁଜୁ ହୋଇଥିଲା। ଏହି ଘଟଣାରେ ପୁଲିସ ପର୍ଯ୍ୟାୟ କ୍ରମେ ୮ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ପରେ ଅଭିଯୁକ୍ତଙ୍କୁ ଜାମିନ୍‌ ମିଳିଥିଲା। ମାମଲାର ବିଚାରଣା ବେଳେ ମୋଟ ୨୪ଜଣ ସାକ୍ଷୀଙ୍କ ବୟାନ ରେକର୍ଡ଼ କରାଯାଇଥିଲା। ଆବଶ୍ୟକ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି କୋର୍ଟ ୫ଜଣଙ୍କୁ ଦଣ୍ଡାଦେଶ ଶୁଣାଇଛନ୍ତି। ସରକାରଙ୍କ ତରଫରୁ କ୍ୟାଡର୍‌ ପିପି ତ୍ରିଲୋଚନ ପରିଡ଼ା ମକଦ୍ଦମା ପରିଚାଳନା କରିଥିଲେ।