ଦିବ୍ୟାଙ୍ଗ ଚନ୍ଦ୍ରମା ସରପଞ୍ଚ ପ୍ରାର୍ଥୀ, ‘ଓଡ଼ିଶା-୫୦ ପୁରସ୍କାର’ ଦେଖାଇଲା ନୂଆ ଦିଶା

ଗୋଳନ୍ଥରା : ଦିବ୍ୟାଙ୍ଗ ହୋଇବି ଜୀବନ ସଂଗ୍ରାମରେ ହାରିନାହାନ୍ତି ଚନ୍ଦ୍ରମା। ଶତାଧିକ ମହିଳାଙ୍କୁ ଆତ୍ମନିର୍ଭଶୀଳ କରି ସେମାନଙ୍କୁ ବଞ୍ଚିବାର ରାହା ଦେଖାଇବା ଓ ସମାଜସେବା କ୍ଷେତ୍ରରେ ଅନ୍ୟମାନଙ୍କ ପାଇଁ ସେ ପ୍ରେରଣାର ଉତ୍ସ ପାଲଟିଛନ୍ତି। ଆଉ ଏହି ଧାରାକୁ ବଜାୟ ରଖିବା ଲାଗି ଚନ୍ଦ୍ରମା ବର୍ତ୍ତମାନ ରାଜନୈତିକ ମଇଦାନକୁ ଓହ୍ଲାଇଛନ୍ତି। ତୃଣମୂଳସ୍ତରର ପଞ୍ଚାୟତ ରାଜନୀତିରେ ନିଜକୁ ସେ ସାମିଲ କରି ସରପଞ୍ଚ ପଦ‌ରେ ଭାଗ୍ୟ ପରୀକ୍ଷା କରୁଛନ୍ତି। ଆତ୍ମନିର୍ଭରଶୀଳ କ୍ଷେତ୍ରରେ ‘ଓଡ଼ିଶା-୫୦’ କାର୍ଯ୍ୟକ୍ରମରେ ରାଜ୍ୟସ୍ତରରେ ଉଲ୍ଲେଖନୀୟ ଉଦ୍ୟମ ପାଇଁ ରାଜ୍ୟପାଳଙ୍କ ଦ୍ବାରା ସମ୍ମାନିତ ହେବା ତାଙ୍କୁ ବେଶ୍ ଉତ୍ସାହିତ କରିଛି। ମେଣ୍ଡରାଜପୁର ପଞ୍ଚାୟତରୁ ସେ ସରପଞ୍ଚ ପ୍ରାର୍ଥିନୀ ହୋଇଛନ୍ତି।

ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବ୍ଲକ୍ ମେଣ୍ଡରାଜପୁର ପଞ୍ଚାୟତ ପାନ୍ନାପଲ୍ଲୀ ଗ୍ରାମର ପି.ଚନ୍ଦ୍ରମା ରେଡ୍ଡୀ। ମାତ୍ର ୧୦ ମାସ ହୋଇଥିବା ବେଳେ ସେ ପୋଲିଓରେ ଆକ୍ରାନ୍ତ ହୋଇଥିଲେ। ଫଳରେ ବାପା ଦିଲେଶୁ ଭାଙ୍ଗି ପଡ଼ିଥିଲେ। ହେଲେ ଚନ୍ଦ୍ରମା ନିଜ ଇଚ୍ଛାଶକ୍ତି ଓ ଦୃଢ଼ ମନୋବଳ ଯୋଗୁଁ ମାଟ୍ରିକ୍‌ ଯାଏ ପଢ଼ିବା ସହ ପ୍ରଥମେ ସିଲେଇ ଶିଖିଥିଲେ। ନିଜେ ଗୋଟିଏ ସିଲେଇ ମେସିନ୍ ଆଣି ସିଲେଇ କରିବା ସହ ଯୁବତୀଙ୍କୁ ସିଲେଇ ଶିଖାଇବା ଆରମ୍ଭ କଲେ। ଫଳରେ ବହୁ ମହିଳା ଆତ୍ମନିର୍ଭରଶୀଳ ହୋଇପାରିଥିଲେ। ପରେ ୨୦୦୩ରେ ମାପଲ୍ଲାମା ସ୍ବୟଂ ସହାୟିକା ଗୋଷ୍ଠୀ ଗଠନ କରି ମହିଳାଙ୍କୁ ଆର୍ଥିକ ସଶକ୍ତୀକରଣ ପାଇଁ ସଚେତନ କରିଥିଲେ। ଖାଲି ଏତିକି ନୁହେଁ, ଗାଁରେ ମହିଳାଙ୍କୁ ପ୍ରସବ କରାଇବା ଓ ରୋଗରେ ପୀଡ଼ିତ ବ୍ୟକ୍ତିମାନଙ୍କୁ ସାହାଯ୍ୟ କରିବା ଆରମ୍ଭ କରିଥିଲେ।

ଇତିମଧ୍ୟରେ ୧୯ ବର୍ଷ ବିତିସାରିଛି। ଚନ୍ଦ୍ରମା ସମାଜସେବାକୁ ନିଜ ଜୀବନର ବ୍ରତ ଭାବେ ଗ୍ରହଣ କରିଛନ୍ତି। ଏହାକୁ ଜାରି ରଖିବା ଲାଗି ଚନ୍ଦ୍ରମା ପଞ୍ଚାୟତରେ ସରପଞ୍ଚ ପ୍ରାର୍ଥିନୀ ଭାବେ ଭାଗ୍ୟ ପରୀକ୍ଷା କରୁଛନ୍ତି। ନିଜ ପଞ୍ଚାୟତର ସାମାଜିକ ଓ ଆର୍ଥିକ ବିକାଶ ଲାଗି ସେ ରାଜନୀତିକୁ ମାଧ୍ୟମ କରିଥିବା ଚନ୍ଦ୍ରମା କହିଛନ୍ତି l

ସମ୍ବନ୍ଧିତ ଖବର