ଭଞ୍ଜନଗର : କଣ୍ଢେଇ କିଛି ଶୁଣି ପାରେନାହିଁ ହେଲେ ଭାବରେ ବହୁତ କିଛି ପ୍ରକାଶ କରିଥାଏ। ତାର ଜୀବନ ନଥାଏ କିନ୍ତୁ ଅନେକ ଚରିତ୍ରର ଜୀବନ ସେ ଜିଇଁପାରେ। ର୍ନିଜୀବ କଣ୍ଢେଇ ଟି ଅନ୍ୟ ହାତରେ ନାଚିଥାଏ। କିନ୍ତୁ ପୌରାଣିକ ଗାଥା,କିମ୍ବଦନ୍ତି ଓ ଇତିହାସକୁ ନିଜ କାନ୍ଧରେ ବୋହି କାହାଣୀକୁ କରିଥାଏ ଜୀବନ୍ତ। ଦର୍ଶକ ମାନଙ୍କ ମନୋରଞ୍ଜନ କରିବା ସହ ବିଭିନ୍ନ ସଚେତନତା ମୂଳକ ବାର୍ତ୍ତା ମଧ୍ୟ ପହଞ୍ଚାଇଥାଏ କଣ୍ଢେଇ ନାଚ। ସତେ ଯେମିତି ଜଣେ ଜୀବନ ବୀହିନ କଳାକାର ଲୋକ ମାନଙ୍କୁ ମନୋରଞ୍ଜନ କରିବା ପାଇଁ ଆପଣାଇ ନେଇଛି ଗୁରୁ ଦାୟିତ୍ବ। ପରଦା ଆଗରେ କଣ୍ଢେଇ ଲୋକଙ୍କ ମନୋରଞ୍ଜନ କରୁଥିବା ବେଳେ ପରଦା ପଛରେ ସଞ୍ଚାଳକ ଜାରି ରଖିଥାଏ ତାର ଅହରହ ପରିଶ୍ରମ। ଗାଁ ଦାଣ୍ଡରେ ମଞ୍ଚ ଉପରେ ଲୋକ ମାନଙ୍କ ମନକୁ କ୍ଷଣିକ ମୁହୂର୍ତ୍ତରେ ଛୁଇଁ ପାରୁଥିବା କଣ୍ଢେଇ ଆଜି ନିସ୍ତବ୍ଧ ପାଲଟି ସଞ୍ଚାଳକଙ୍କ ବାକ୍ସ ଭିତରେ ପଡି ରହିଛି। ବର୍ତ୍ତମାନ କରୋନା କାଳରେ କଳାକ୍ଷେତ୍ର ସଙ୍କଟଜନକ ସ୍ଥିତି ଦେଇ ଗତି କରୁଥିବା ବେଳେ କଳାକାର ମାନଙ୍କ ଦୁର୍ଦ୍ଦଶା ବଢିବାରେ ଳାଗିଛି। କଣ୍ଢେଇ ନାଚ ପ୍ରଦର୍ଶନ କରି ଜୀବିକା ନିର୍ବାହ କରୁଥିବା କଳାକାର ମାନେ ଏଥିରୁ ବାଦ୍ ପଡି ନାହାନ୍ତି। ଆଉ ଏଭଳି ପରିସ୍ଥିତିରେ ବହୁ ପୁରାତନ ଏହି ନୃତ୍ୟ କଳା ପରମ୍ପରାକୁ ବଞ୍ଚାଇ ରଖିବାକୁ ଉଦ୍ୟମ ଚଳାଇଥିବା ନୃତ୍ୟ ଶିଳ୍ପୀ ମାନଙ୍କ ଦୁଃଖ ବଢିବାରେ ଲାଗିଛି ।
ଗଞ୍ଜାମ ଜିଲ୍ଳା ଭଞ୍ଜନଗର ବ୍ଳକ୍ର ବଡକୋଦଣ୍ଡା ଗ୍ରାମ କଳା ସଂସ୍କୃତି ପାଇଁ ବେଶ ପରିଚିତ। ପଶୁମୁଖା ନୃତ୍ୟ ଠାରୁ ଆରମ୍ଭ କରି କଣ୍ଢେଇ ନାଚ ପର୍ଯ୍ୟନ୍ତ କଳା ଓ କଳାକାରରେ ପରିପୂର୍ଣ୍ଣ ଏ ମାଟି କହିଲେ ଅତ୍ୟୁକ୍ତି ହେବ ନାହିଁ। ପ୍ରସିଦ୍ଧ ଡେରା ବେଶ ପାଇଁ ସାରା ବିଶ୍ବରରେ ଏହି ଗ୍ରାମର ସ୍ବତନ୍ତ୍ର ପରିଚୟ ରହିଥିବା ବେଳେ ବର୍ତ୍ତମାନ କରେନା ତାଡନାରେ ଜର୍ଜରିତ ଏହି ମାଟିର କଳାକାର ମାନେ। କରୋନା ସମୟରେ ଯାନିଯାତ୍ରା,ଉତ୍ସବ,ମେଳା,ସଂସ୍କୃତିକ କାର୍ଯ୍ୟକ୍ରମ ବନ୍ଦ ହୋଇଯିବା ଫଳରେ ହାତବାନ୍ଧି ବସିଛନ୍ତି ଏହାର କଳାକାର ମାନେ। ଅନେକ ଦୁଃସ୍ଥିତି ସତ୍ତ୍ବେ ଏହି କଳାକୁ ଛାଡି ପାରୁନଥିବା କହିଛନ୍ତି ବଡ କୋଦଣ୍ଡା ଗ୍ରାମର କଣ୍ଢେଇ ନୃତ୍ୟ ଗୁରୁ ଉମାକାନ୍ତ ମିଶ୍ର ଶର୍ମା। ପତିତପାବନ କଣ୍ଢେଇ ଅପେରା ନାମକ ଏକ ସଂସ୍ଥା ତିଆରି କରି ବିଭିନ୍ନ ପୌରାଣିକ କାଳ୍ପନିକ,ସାମାଜିକ ଓ ଔପନ୍ୟାସିକ ବିଷୟବସ୍ତୁକୁ କଣ୍ଢେଇ ନାଚ ମାଧ୍ୟମରେ ପ୍ରଦର୍ଶନ କରିଥିବା ପ୍ରକାଶ କରିଛନ୍ତି ସେ। ପାଖାପାଖି ୪୦ ପ୍ରକାର ନାଟକ ପ୍ରଦର୍ଶନ କରାଯାଉଥିବା ବେଳେ ପ୍ରଦର୍ଶିତ ହେଉଥିବା ସମସ୍ତ ଚରିତ୍ର ଶ୍ରୀ ଶର୍ମା ନିଜେ ହିଁ ତିଆରି କରିଥାନ୍ତି। ରାମାୟଣ ମହାଭାରତ ଭଳି କାହାଣୀର ପ୍ରତିଟି ଚରିତ୍ରକୁ କଣ୍ଢେଇ ନାଚ ଦ୍ବାରା ସେ ଉପସ୍ଥାପନା କରି ଲୋକଙ୍କ ମନକୁ ଛୁଇଁ ପାରିଥିବା କହିଛନ୍ତି। କଣ୍ଢେଇ ନାଚ ପ୍ରଦର୍ଶନ କରିବା ନିମନ୍ତେ ପାଖା ପାଖି ୨୦ ରୁ ୨୫ ଜଣ କଳାକାର ଦରକାର ପଡୁଥିବା ବେଳେ ଜଣେ ନିର୍ଦ୍ଦେଶକଙ୍କ ସମେତ ନୃତ୍ୟ ଗୁରୁ, ଉଭୟ ମହିଳା ଓ ପୁରୁଷ ସଂଳାପକାରୀ, କଣ୍ଢେଇ ନଚେଇବା ପାଇଁ ମାଷ୍ଟ୍ର,ସହାୟକ,ବାଦ୍ୟଯନ୍ତ୍ରରେ ତବଲା ବାଦକ, ହାରମୋନିୟମ, ଢୁକ, ଝୁମୁକା ବାଦକର ଆବଶ୍ୟକତା ହେଉଛି। କଣ୍ଢେଇ ନୃତ୍ୟ ସର୍ବସାଧାରଣରେ ପରିବେଷଣ ପୂର୍ବରୁ ସମସ୍ତ କଳାକାର ମାନଙ୍କୁ ଅଭ୍ୟାସ କରିବାକୁ ପଡୁଥିବା ଶ୍ରୀ ଶର୍ମା କହିଛନ୍ତି। ଏହି ସବୁ କଣ୍ଢେଇ ପାଳଦୁଆ,ଗମ୍ଭାରୀ ଏବଂ କାକପୋଇ କାଠରେ ନିର୍ମିତ ହୋଇଥାଏ ବୋଲି ସେ କହିଛନ୍ତି। ଏହି କାଠ ଗୁଡ଼ିକ ହାଲ୍କା ରହିବା ସହ କଣ୍ଢେଇ ଗୁଡ଼ିକର ଯୋଡ ପ୍ରସ୍ତୁତ କରିବା ପାଇଁ ଗମ୍ଭାରି କାଠର ବ୍ୟବହାର ହେଉଥିବା ସେ ପ୍ରକାଶ କରିଛନ୍ତି। କାହାଣୀର ଗୋଟିଏ ଚରିତ୍ର ନିର୍ମାଣ କରିବା ପାଇଁ ପାଖାପାଖି ୧୦ରୁ ୧୫ ଦିନ ସମୟ ଲାଗୁଥିବା ସେ କହିଛନ୍ତି। ଏଥିସହ କଣ୍ଢେଇ ମାନେ ପରିଧାନ କରୁଥିବା ପୋଷାକ,ନାଟକ ପ୍ରଦର୍ଶନ ହେଉଥିବା ପୁଷ୍ଠଭୂମିରେ ଲାଗୁଥିବା କପଡ଼ା ପ୍ରାୟ ୧୫୦ ପ୍ରକାରର ଥାଏ ବୋଲି ସେ କହିଛନ୍ତି। ଗୋଟିଏ ଯାଗାରେ ନାଟକ ପ୍ରଦର୍ଶନ ପାଇଁ ୭ ରୁ ୧୦ ହଜାର ଟଙ୍କା ପୂର୍ବରୁ ମିଳୁଥିବା ବେଳେ ସମସ୍ତ କଳାକାରଙ୍କ ସ୍ବଳ୍ପ ଅର୍ଥ ଦେଇ ଏହି ନାଟକ ବଞ୍ଚାଇ ରଖିବା କଷ୍ଟକର। ପ୍ରବଳ ଆର୍ଥିକ ଅନଟନ ସତ୍ତ୍ବେ ଏହି ପାରମ୍ପରିକ କଳାକୁ ବଞ୍ଚାଇ ଆସୁଥିବା ବେଳେ ବର୍ତ୍ତମାନ କରୋନା ପାଇଁ ସବୁକିଛି ଦୋହଲି ଯାଇଛି। କଳା ମାଧ୍ୟମରେ ସମସ୍ତଙ୍କର ମନୋରଞ୍ଜନ ସହ ସଚେତନ କରିଆସୁଥିବା କଳାକାର ମାନେ ସବୁବେଳେ ବଞ୍ଚିବା ପାଇଁ ସଂଗ୍ରାମ କରିଆସୁଛନ୍ତି। କଳା ବଞ୍ଚିଲେ ସଂସ୍କୃତି ପରମ୍ପରା ବଞ୍ଚିବ ଏଣୁ ଲୋପ ପାଇବା ପୂର୍ବରୁ ଏହି କଣ୍ଢେଇ ନୃତ୍ୟ କଳାକୁ ସୁରକ୍ଷା ଦେବା ପାଇଁ ଆବଶ୍ୟକ ପଦକ୍ଷେପ ନେବା ଜରୁରୀ ବୋଲି ମତ ପ୍ରକାଶ ପାଇଛି।