ଟ୍ରକ୍‌ ଚଢ଼ାଇ ୨ ଜଣଙ୍କୁ ହତ୍ୟା : ବାଇକ୍‌ ସହ ଶହେ ମିଟର ଘୋଷାଡ଼ି ନେଲେ, ଡ୍ରାଇଭର୍‌, ମାଲିକ ଫେରାର

ଜଗନ୍ନାଥପ୍ରସାଦ : ରାମଚନ୍ଦ୍ର ଆଉ କୃଷ୍ଣ। ଗତକାଲି ଏହି ଦୁଇଜଣଙ୍କ ପାଇଁ ଥିଲା ଶେଷ ରାତି। ପୁଲିସ୍‌ କାହିଁକି ଆସିଲାନି ବୋଲି ଥାନାକୁ ଯାଉଥିଲାବେଳେ ଶତ୍ରୁ ପକ୍ଷ ଟ୍ରକ୍‌ ଚଢ଼ାଇ ଦୁହିଁଙ୍କୁ ହତ୍ୟା କରିଛନ୍ତି। ଦୁହେଁ ଯାଉଥିବା ବାଇକ୍‌କୁ ବି ଟ୍ରକ୍‌ ୧୦୦ ମିଟର ପର୍ଯ୍ୟନ୍ତ ଘୋଷାଡ଼ି ନେଇଛି। ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଅଞ୍ଚଳରେ ଏହି ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ଧକ୍କା ଦେଇଥିବା ଟ୍ରକ୍‌ ଡ୍ରାଇଭର୍‌ ଓ ମାଲିକ ସମେତ ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁଲିସ ଉଦ୍ୟମ ଆରମ୍ଭ କରିଛି।

ମୃତ ରାମଚନ୍ଦ୍ର ଗୌଡ଼ ଓ କୃଷ୍ଣ ନାଇକଙ୍କ ଘର ଚଢ଼ିଆପଲ୍ଲୀ ଗ୍ରାମ। ଗତକାଲି ରାତି ୯ଟା ସମୟରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗ୍ରାମର ଟୁକୁ ପାଢୀ ଏବଂ ତାଙ୍କ ଦୁଇ ଭଣଜା ଧନୁ ଦାସ ଓ ମାନସ ଦାସ, ଲୁହୁଣି ଗ୍ରାମର ଗୋପାଳ ପଣ୍ଡା ରାମଚନ୍ଦ୍ରଙ୍କ ଘର ନିକଟକୁ ଆସି ଗାଳିଗୁଲଜ କରିଥିଲେ। ଏନେଇ ରାମଚନ୍ଦ୍ର ଥାନାକୁ ଫୋନ୍‌ କରି ଜଣାଇଥିଲେ। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚିବା ବିଳମ୍ବ ହେବାରୁ ରାମଚନ୍ଦ୍ର ଏବଂ କୃଷ୍ଣ ନାଇକ ଗୋଟିଏ ପଲସର୍‌ ବାଇକ୍‌ ଏବଂ ଅନ୍ୟ ୨ ଜଣ ଲକ୍ଷ୍ମଣ ନାଇକ ଓ ଉଲ୍ଲା ଗୌଡ଼ ମିଶି ଅନ୍ୟ ଏକ ବାଇକ୍‌ରେ ପୁଲିସକୁ ଖବର ଦେବାକୁ ଥାନାକୁ ବାହାରିଥିଲେ।

ତେବେ, ରାମଚନ୍ଦ୍ରଙ୍କ ବାଇକ୍‌ ଚଢ଼ିଆପଲ୍ଲୀ ଗ୍ରାମ ପାର ହେବା ପରେ ପରେ ପଛରୁ ଦ୍ରୁତ ବେଗରେ ଟ୍ରକ ନେଇ ଆସିଥିଲେ ଅଭିଯୁକ୍ତ ଟୁକୁ ଗୌଡ଼ ଏବଂ ଦୁଇ ଭଣଜା ଧନୁ ଓ ମାନସ। କୁଶାପଲ୍ଲୀ କୁକୁଡ଼ା ଫାର୍ମ ସାମ୍ନା ରାସ୍ତା ଉପରେ ବାଇକ୍‌କୁ ସିଧା ଧକ୍କା ଦେବା ସହିତ ଚଢ଼ାଇ ଦେଇଥିଲେ। ଫଳରେ ବାଇକଟି ପ୍ରାୟ ୧୦୦ ମିଟର ଦୂର ଟ୍ରକ୍‌ ସହ ଘୋଷାଡ଼ି ହୋଇ ଯାଇଥିଲା। ଘଟଣାସ୍ଥଳରେ ହିଁ ରାମଚନ୍ଦ୍ର ଓ କୃଷ୍ଣଙ୍କ ଶୋଚନୀୟ ମୃତ୍ୟୁ ହୋଇଥିଲା। ଏହି ସମୟରେ ଅନ୍ୟ ବାଇକ୍‌ରେ ଆସୁଥିବା ଲକ୍ଷ୍ମଣ ଓ ଉଲ୍ଲା ପ୍ରାଣ ଭୟରେ  ବାଇକ୍‌ ପଛକୁ ବୁଲାଇ ଗ୍ରାମ ଅଭିମୁଖେ ଚାଲି ଯାଇଥିଲେ।

ଜଗନ୍ନାଥପ୍ରସାଦ ଥାନା ଅଧିକାରୀ ଯୁବରାଜ ସ୍ୱାଇଁଙ୍କ କହିବା ଅନୁସାରେ, ରାତି ସାଢେ ୧୦ଟା ବେଳେ ଚ‌େଢ଼ଆପଲ୍ଲୀ ଗ୍ରାମରେ ଗଣ୍ଡଗୋଳ ହେଉଥିବା ଖବର ପାଇ ପୁଲିସ୍‌ ଯାଉଥିବାବେଳେ କୁଶାପଲ୍ଲୀ ରାସ୍ତା ଉପରେ ଦୁଇଟି ମୃତଦେହ ପଡ଼ିଥିବା ଦେଖିଥିଲା। ସ୍ଥାନୀୟ ଦମକଳବାହିନୀ ସହାୟତାରେ ଜଗନ୍ନାଥପ୍ରସାଦ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲା। ସେଠାରେ ଡାକ୍ତର ଦୁହିଁଙ୍କୁ ମୃତ ଘୋଷଣା କରିଥିଲେ। ତେବେ , ମୃତକ ଦୁଇ ଜଣ ରାମଚନ୍ଦ୍ର ଗୌଡ଼ ଓ କୃଷ୍ଣ ନାଇକ ବୋଲି ଜାଣିବା ପରେ ପୁଲିସ ସେମାନଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲା। ପରିବାର ଲୋକେ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ କେସ ନଂ ୧୧୧/୧୯ରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି ବୋଲି ଶ୍ରୀ ସ୍ବାଇଁ କହିଛନ୍ତି।

ଖବର ପାଇ ଭଞ୍ଜନଗର ଏସ୍‌ଡିପିଓ ଜଗନ୍ନାଥପ୍ରସାଦ ମେଡିକାଲ ଓ ଘଟଟଣାସ୍ଥଳକୁ ଯାଇ ଅନୁଧ୍ୟାନ କରିଥିଲେ। ଦୁର୍ଘଟଣା ଘଟାଇଥିବା ଟ୍ରକ୍‌ ଓ ଏଥିରେ ସାମିଲ ଥିବା ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ତନାଘନା କରିଥିଲେ ମଧ୍ୟ ସେମାନଙ୍କୁ ଧରିବାରେ ସକ୍ଷମ ହୋଇନାହିଁ। ପୁଲିସ୍‌ ସେଥିପାଇଁ ଉଦ୍ୟମ କରୁଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର