ଚାରି ଦିନ ପରେ ମିଳିଲା ଶବ

Advertisment

ଆସିକା : ଜେଲ୍‌ ଫେରନ୍ତା ସାନଭାଇ ବାପା ସହ ମିଶି ବଡ଼ ଭାଇକୁ ନିର୍ମମ ହତ୍ୟା। ଗଂଜାମ ଜିଲ୍ଳା ଆସିକା ଥାନା କୋଟିନଡ଼ା ଫାଣ୍ଡି ଅଧୀନ ଜୟପୁର ଗ୍ରାମରେ ଏଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିବା ପରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ମୃତକ ଜୟପୁର ଗ୍ରାମର ବାବୁଲା ପାତ୍ର (୩୮)। ତାଙ୍କୁ ତାଙ୍କ ସାନଭାଇ ସନ୍ତୋଷ ଓ ବାପା ବନମାଳୀ ନିର୍ମମ ଭାବେ ହତ୍ୟା କରିବା ପରେ ଶରୀରକୁ ଏକ ବିଦ୍ୟୁତ ଚାଳିତ ମେସିନ୍‌ କରତରେ ୧୦ ଖଣ୍ଡ କରି କାଟିବା ପରେ ପାଇଖାନା ଟାଙ୍କିରେ ପକାଇ ଦେଇଥିବା ଅଭିଯୋଗ ହୋଇଛି। ଗତ ମଙ୍ଗଳବାର ଦିନ ବାବୁଲାଙ୍କୁ ହତ୍ୟା କରାଯାଇଥିବା ଅନୁମାନ କରାଯାଉଥିବା ବେଳେ ଗତକାଲି ତାଙ୍କ ଖଣ୍ଡବିଖଣ୍ଡିତ ଶବ ପାଇଖାନା ଟାଙ୍କିରୁ ଉଦ୍ଧାର ହୋଇଛି। ଶରୀରକୁ ମୋଟ ୧୦ ଖଣ୍ଡ କରାଯାଇଛି। ଟାଙ୍କି ଭିତରୁ ମୁଣ୍ଡ ସମେତ ଦୁଇ ହାତର ଚାରିଖଣ୍ଡ, ୨ ଗୋଡ଼ର ୪ ଖଣ୍ଡ ଓ ଗଣ୍ଡି ମିଳିଛି।

ମୃତକ ବାବୁଲାଙ୍କ ପତ୍ନୀ ଭାଗ୍ୟଲତାଙ୍କ ଏତଲା କ୍ରମେ ଆସିକା ଥାନାରେ କେସ୍‌.ନଂ ୩୫ ଆଇପିସି ୩୦୨/୨୦୧/୩୪ ଅନୁସାରେ ମାମଲା ରୁଜୁ ହୋଇଛି। ସନ୍ତୋଷ ଓ ବନମାଳୀ ଫେରାର୍‌ ଅଛନ୍ତି। ଖୁବ୍‌ ଶୀଘ୍ର ଉଭୟଙ୍କୁ ଗିରଫ କରାଯିବ ବୋଲି ଥାନା ଅଧିକାରୀ ସନ୍ତୋଷ କୁମାର ଜେନା ସୂଚନା ଦେଇଛନ୍ତି। ସେହିପରି ଏହି ଘଟଣାରେ ଆଉ କିଛି ଲୋକଙ୍କ ସଂପୃକ୍ତିକୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରାଯାଇଛି।

ମିଳିଥିବା ସୂଚନାନୁସାରେ ବନମାଳୀ ଜଣେ ଅବସରପ୍ରାପ୍ତ ସ୍କୁଲ ପିଅନ। ପରିବାର କହିଲେ ପତ୍ନୀ, ଦୁଇ ପୁଅ ବାବୁଲା ଓ ସନ୍ତୋଷ ଏବଂ ଗୋଟିଏ ଝିଅ। ବଡ଼ପୁଅ ବାବୁଲା ସୁରତରେ ରହୁଥିବା ବେଳେ ତାଙ୍କ ପତ୍ନୀ ବାପଘରେ ନିଜ ପିଲାଙ୍କ ସହ ରହୁଛନ୍ତି। ଜୟପୁର ଗ୍ରାମରେ ବନମାଳୀ ତାଙ୍କ ସାନପୁଅ ସନ୍ତୋଷ ଓ ପତ୍ନୀ ସହ ରହି ଆସୁଛନ୍ତି। ବାବୁଲା ବେଳେ ବେଳେ ଗାଁକୁ ଆସି ଅଲଗାରେ ଏକ ଘରେ ରହୁଥିଲେ। ଏହା ମଧ୍ୟରେ କିଛି ବର୍ଷ ତଳେ ସନ୍ତୋଷ ନିଜ ପତ୍ନୀଙ୍କୁ ଯୌତୁକଜନିତ ହତ୍ୟା ମାମଲାରେ ଜେଲ୍‌ ଯାଇଥିଲା। ସର୍ତମୂଳକ ଜାମିନରେ କିଛି ଦିନ ପୂର୍ବରୁ ମୁକୁଳି ଥିଲା। ଦୁଇ ଭାଇ ବାବୁଲା ଓ ସନ୍ତୋଷଙ୍କ ମଧ୍ୟରେ ପୂର୍ବରୁ ବିବାଦ ଲାଗି ରହିଥିଲା। ବୁଧବାର ରାତିରୁ ପାଇଖାନା ଟାଙ୍କିରୁ ଦୁର୍ଗନ୍ଧ ବାହାରିବା ପରେ ଲୋକଙ୍କ ମନରେ ସନ୍ଦେହ ହୋଇଥିଲା। ପୁଲିସ ବି ସେଠାରେ ପହଞ୍ଚିଥିଲା। ଗତକାଲି ସକାଳେ ଥାନା ଅଧିକାରୀ ସନ୍ତୋଷ କୁମାର ଜେନାଙ୍କ ଉପସ୍ଥିତିରେ ଏନ୍‌ଏସି କର୍ମଚାରୀଙ୍କ ସହାୟତାରେ ଖଣ୍ଡବିଖଣ୍ଡିତ ଶବକୁ ଉଦ୍ଧାର କରାଯାଇଥିଲା। ସନ୍ତୋଷ ଓ ବାପା ବନମାଳୀଙ୍କୁ ଧରିବା ପାଇଁ ପୁଲିସ ଛାନ୍‌ଭିନ୍‌ ଜାରି ରଖିଛି।