ଭଞ୍ଜନଗର : ବକେୟା ଅର୍ଥକୁ କେନ୍ଦ୍ରକରି ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଉପଖଣ୍ଡର ୪ଟି ଏନ୍ଏସି ଓ ବିଦ୍ୟୁତ୍ ବିତରଣ ସଂସ୍ଥା ଟିପିଏସ୍ଓଡ଼ିଏଲ୍ ମଧ୍ୟରେ ଟକରାଟକରି ଓ ଶୀତଳଯୁଦ୍ଧ ଆରମ୍ଭ ହୋଇଛି। ବକେୟା ବିଦ୍ୟୁତ ଶୁଳ୍କ ଆଦାୟ କରିବାକୁ ଟିପିଏସ୍ଓଡ଼ିଏଲ୍ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ ଭଳି କଡ଼ା ଆଭିମୁଖ୍ୟ ଗ୍ରହଣ କରୁଥିବା ବେଳେ ଏନଏସି ହୋଲ୍ଡିଂ ଟ୍ୟାକ୍ସ୍ଠୁ ଆରମ୍ଭ କରି ଗ୍ରାଉଣ୍ଡ୍ ଟ୍ୟାକ୍ସ୍ ଅସୁଲକୁ ଢାଲ କରିଛି। ଏହିକ୍ରମରେ ଭଞ୍ଜନଗର ଉପଖଣ୍ଡ ୪ଟି ଏନ୍ଏସି ଅଧୀନରେ ଥିବା ବିଦ୍ୟୁତ ଖୁଣ୍ଟ ଏବଂ ସବଷ୍ଟେସନ୍ ଗୁଡ଼ିକର ଗ୍ରାଉଣ୍ଡ୍ ଟ୍ୟାକ୍ସ୍ ବାବଦକୁ ପ୍ରାୟ ୨୪ କୋଟିରୁ ଅଧିକ ଟଙ୍କା ବକେୟା ରହିଥିବାରୁ, ଏହାକୁ ୧୫ ଦିନ ଭିତରେ ପୈଠ କରିବାକୁ ଟିପିଏସ୍ଓଡ଼ିଏଲ୍କୁ ନୋଟିସ୍ ଜାରି ହୋଇଛି। ସେପଟେ ବକେୟା ବିଲ୍ ତୁରନ୍ତ ପୈଠ ନକଲେ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ ପାଇଁ ଟିପିଏସ୍ଓଡ଼ିଏଲ୍ ପକ୍ଷରୁ ଏନ୍ଏସି କର୍ତ୍ତୃପକ୍ଷମାନଙ୍କୁ କଡ଼ା ଚେତାବନୀ ଦିଆଯାଇଛି।
ଭଞ୍ଜନଗର ଏନ୍ଏସି ଉପରେ ବିଦ୍ୟୁତ୍ ବିଲ୍ ବକେୟା ଥିବା ଦର୍ଶାଯାଇ ଟିପିଏସ୍ଓଡ଼ିଏଲ୍ ଦ୍ବାରା ଏମ୍ସିସି ଏମ୍ଆରଏଫ୍ ପ୍ଲାଣ୍ଟ୍ ତଥା ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ରର ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ କରିଦିଆଯାଇଛି। ପ୍ରାୟ ୪୦ ହଜାର ଟଙ୍କା ବିଲ୍ ବକେୟା ଥିବାରୁ ଟିପିଏସ୍ଓଡ଼ିଏଲ୍ ଏହି କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। ଏହି ପ୍ଲାଣ୍ଟ୍ ବର୍ଷେ ତଳେ ଭଞ୍ଜନଗର ବ୍ଲକ୍ ପକ୍ଷରୁ ନିର୍ମାଣ କରାଯାଇଥିବାବେଳେ ବିଡିଓଙ୍କ ନାମରେ ବିଦ୍ୟୁତ ସଂଯୋଗ ଅଣାଯାଇଥିଲା। ସେପଟେ ପ୍ଲାଣ୍ଟ୍ ଏନ୍ଏସି ଅଧୀନରେ ଥିବାରୁ ବ୍ଲକ୍ ଟଙ୍କା ପୈଠ ଉପରେ ଗୁରୁତ୍ବ ଦେଇ ନଥିଲା। ଅନ୍ୟପକ୍ଷରେ, ଏନ୍ଏସିକୁ ବିଦ୍ୟୁତ୍ ବିଲ୍ ଆସୁ ନଥିବାରୁ ଏନେଇ କର୍ତ୍ତୃପକ୍ଷ ଅବଗତ ନଥିଲେ। ଫଳରେ ଗତ ଏକ ସପ୍ତାହରେ ପ୍ଲାଣ୍ଟ୍ରୁ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ କରାଯାଇଥିଲା। ଏଥିସହ ଷ୍ଟ୍ରିଟ୍ ଲାଇଟ୍ରୁ ବି ସଂଯୋଗ ବିଚ୍ଛିନ୍ନ ପାଇଁ ଚେତାବନୀ ଦିଆଯିବା ପରେ ଏନ୍ଏସି ପକ୍ଷରୁ ତୁରନ୍ତ ବିଲ୍ ପୈଠ କରାଯାଇଥିବା ସୂଚନା ମିଳିଛି। ସେହିପରି ବୁଗୁଡ଼ା ଏନ୍ଏସି ପକ୍ଷରୁ ବିଦ୍ୟୁତ ବିଲ୍ ପୈଠ ସାମାନ୍ୟ ବିଳମ୍ବ ହେବାରୁ ଗୋଟିଏ ରାତି ଷ୍ଟ୍ରିଟ୍ ଲାଇଟ୍ ସଂଯୋଗକୁ ବିଚ୍ଛିନ୍ନ କରାଯାଇଥିଲା।
ଫଳରେ, ବକେୟା ବିଦ୍ୟୁତ୍ ବିଲ୍ ଆଦାୟ ପାଇଁ ଟାଟା ପାୱାର କଡ଼ା ଆଭିମୁଖ୍ୟ ଗ୍ରହଣ କରିଥିବା ବେଳେ ଏନ୍ଏସି ଗୁଡ଼ିକ ମଧ୍ୟ ବିଭାଗୀୟ ଟିକସ ବାବଦରେ ଅର୍ଥ ଅସୁଲ୍ କରିବାକୁ ଟିପିଏସ୍ଓଡ଼ିଏଲ୍କୁ ନୋଟିସ୍ ଜାରି କରିଛନ୍ତି। ଫଳରେ ଦୁଇ ବିଭାଗ ମଧ୍ୟରେ ଏକପ୍ରକାର ଶୀତଳଯୁଦ୍ଧ ଆରମ୍ଭ ହୋଇଯାଇଛି।