ବ୍ରହ୍ମପୁର ବନମଣ୍ଡଳରେ ଏବେ ୧୦ ହାତୀ

୧୦ ବର୍ଷରେ କମିଛନ୍ତି, ୨୭ ହାତୀ

ବ୍ରହ୍ମପୁର: ବ୍ରହ୍ମପୁର ବନମଣ୍ଡଳରେ ଗତ କିଛି ବର୍ଷର ସ୍ଥିତିକୁ ପରଖିଲେ ହାତୀ ସଂଖ୍ୟା ଯଥେଷ୍ଟ ମାତ୍ରାରେ ହ୍ରାସ ପାଇଛି। ୧୦ ବର୍ଷରେ ୨୭ଟି ହାତୀ କମିଛନ୍ତି। ବର୍ତ୍ତମାନ ବ୍ରହ୍ମପୁର ବନମଣ୍ଡଳ ଇଲାକାରେ ମାତ୍ର ୨ଟି ମାଖନା ସମେତ କେବଳ ୧୦ଟି ହାତୀ ରହିଛନ୍ତି। ଖାଦ୍ୟ ଓ ବାସସ୍ଥଳୀ ଚିନ୍ତାରେ ହାତୀ ବ୍ରହ୍ମପୁର ବନମଣ୍ଡଳ ଇଲାକା ଛାଡ଼ୁଥିବା ବେଳେ ହାତୀଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠୁଛି।

ଦିନଥିଲା ବ୍ରହ୍ମପୁର ବନମଣ୍ଡଳ ହାତୀଙ୍କ ପାଇଁ ଭୂସ୍ବର୍ଗ ଥିଲା। ପ୍ରତିବର୍ଷ ଖାଦ୍ୟ ଅନ୍ବେଷଣରେ ବିଭିନ୍ନ ଅଞ୍ଚଳରୁ ହାତୀ ଏହି ଅଞ୍ଚଳକୁ ଆସୁଥିଲେ। ୨୦୦୭ ହାତୀ ଗଣନା ଅନୁଯାୟୀ ବ୍ରହ୍ମପୁର ବନମଣ୍ଡଳରେ ମାତ୍ର ୯ଟି ହାତୀ ରହିଥିଲେ। ସେଥିରେ ଏକ ୪ବର୍ଷରୁ କମ ଶିଶୁହାତୀ ରହିଥିଲା। କିନ୍ତୁ ୨୦୧୦ ହାତୀ ଗଣନା ବେଳେ ହାତୀ ସଂଖ୍ୟା ୪ଗୁଣ ବଢ଼ି ୩୭ରେ ପହଞ୍ଚିଥିଲା। ୨୦୧୨ ଜୁନ ୧ ତାରିଖ ଠାରୁ ୩ ତାରିଖ ଯାଏ ହାତୀ ଗଣନା ହୋଇଥିଲା। ବ୍ରହ୍ମପୁର ବନମଣ୍ଡଳ ଅଞ୍ଚଳରେ ହାତୀ ସଂଖ୍ୟା ଟିକେ ହ୍ରାସ ଘଟି ୩୫ରେ ପହଞ୍ଚିଲା। ଏହି ହାତୀଙ୍କ ମଧ୍ୟରେ ୪ଟି ଦନ୍ତା, ୧୪ଟି ବୟସ୍କ, ୬ଟି ମଧ୍ୟ ବୟସ୍କ, ୬ଟି ଶିଶୁ ୫ଟି ୪ବର୍ଷରୁ କମ୍‌ ଛୁଆ ହାତୀ ରହିଥିଲେ। ହେଲେ ସେହି ବର୍ଷ ଡିସେମ୍ବର ୩୦ ତାରିଖ ରାତି ଥିଲା ବ୍ରହ୍ମପୁର ବନମଣ୍ଡଳ ହାତୀଙ୍କ ପାଇଁ କାଳରାତ୍ରୀ। ବ୍ରହ୍ମପୁର ବନମଣ୍ଡଳ ଖଲ୍ଲିକୋଟ ରେଞ୍ଜ୍‌ ଅନ୍ତର୍ଗତ ରମ୍ଭା-ହୁମ୍ମା ଷ୍ଟେସନ‌୍ ମଧ୍ୟବର୍ତ୍ତୀ ସାବୁଳିଆ ଠାରେ ଡିସେମ୍ବର ୩୦ତାରିଖ ବିଳମ୍ବିତ ରାତିରେ ରେଳ ଧାରଣା ପାର ହେଉଥିବା ହାତୀ ପଲକୁ କରମଣ୍ଡଳ ସୁପରଫାଷ୍ଟ୍‌ ଧକ୍କା ଦେଇଥିଲା। ଏକ ଗର୍ଭବତୀ ହାତୀ ସମେତ ୭ଟି ହାତୀଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣା ସମଗ୍ର ଦେଶରେ ଆଲୋଡ଼ନ ସୃଷ୍ଟି କରିଥିଲା। ଆଉ ଏହି ଦୁର୍ଘଟଣା ପରଠାରୁ ବ୍ରହ୍ମପୁର ବନମଣ୍ଡଳ ଇଲାକାରେ ହାତୀ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି।

୨୦୧୫ ହାତୀ ଗଣନାରେ ହାତୀ ସଂଖ୍ୟା ୨୦କୁ ଖସି ଆସିଥିଲା। ୨୦୧୭ରେ ସଂଖ୍ୟା ୧୬କୁ ଖସିଥିଲା। ବର୍ତ୍ତମାନ ବ୍ରହ୍ମପୁର ବନମଣ୍ଡଳ ଇଲାକାରେ ଦିଗପହଣ୍ଡି ରେଞ୍ଜ୍‌ ପାଟପୁର ଅର୍ନ୍ତଗତ ଉତ୍ତମା ଓ ବ୍ରହ୍ମପୁର ରେଞ୍ଜ୍‌ ରାମଗୁଡ଼ା ଜଙ୍ଗଲର କୁମ୍ଭଝରି ଠାରେ ୧୦ଟି ହାତୀ ରହିଥିବା ଜଙ୍ଗଲ ବିଭାଗ ପକ୍ଷରୁ ସୂଚନା ମିଳିଛି।

ସମ୍ବନ୍ଧିତ ଖବର