ମୁଜାଗଡ଼ ବନାଞ୍ଚଳରେ ମାତିଛନ୍ତି ୧୮ ଟିକିଆ ହାତୀପଲ, ମଞ୍ଚାବାନ୍ଧି ଫସଲ ଜଗୁଛନ୍ତି ଚାଷୀ

ଭଞ୍ଜନଗର : ଉତ୍ତର ଘୁମୁସର ବନଖଣ୍ଡ ମୁଜାଗଡ ବନାଞ୍ଚଳରେ ଉପଦ୍ରବ କରୁଛନ୍ତି ୧୮ ଟିକିଆ ହାତୀ ପଲ। ଗତ ଦୁଇ ସପ୍ତାହ ଧରି ଏହି ହାତୀ ପଲ ବିଭିନ୍ନ ଧାନ ଖେତରେ ପଶିଥିବା ବେଳେ ଧାନ ଫସଲ ମଧ୍ୟ ନଷ୍ଟ ହୋଇଛି। ଧାନ ଫସଲକୁ ସୁରକ୍ଷା ଦେବା ପାଇଁ ରାତିରେ କିଛି ଚାଷୀ ଗଛ ଉପରେ ମଞ୍ଚା କରି କ୍ଷେତକୁ ଜଗୁଛନ୍ତି। ପରିବା ଚାଷ ପାଇଁ କରାଯାଇଥିବା ବାଡକୁ ଭାଙ୍ଗିବା ସହ ଅନେକ କ୍ଷେତକୁ ହାତୀ ପଲ ଦଳି ଦେଉଥିବା ଚାଷୀ ମାନେ ଅଭିଯୋଗ କରିଛନ୍ତି । ହାତୀକୁ ଘଉଡାଇବା ପାଇଁ ବନବିଭାଗ ପକ୍ଷରୁ ମଧ୍ୟ ତତ୍ପରତା ଦେଖିବାକୁ ମିଳିଛି। ବନପାଳ,ବନରଖି ଠାରୁ ଆରମ୍ଭ କରି ସ୍କ୍ବାର୍ଡ ଦଳ ଏହି ହାତୀପଲକୁ ଜଙ୍ଗଲକୁ ଘଉଡାଉଥିବା ନେଇ ସୂଚନା ମିଳିଛି। ଏହି ହାତୀପଲ କିଛି ଦିନ ହେବ ମୁଜାଗଡ ସେକ୍ସନରୁ ଗାଲେରୀ ସେକ୍ସନକୁ ଯାଇଥିବା ନେଇ ମୁଜାଗଡ ବନାଞ୍ଚଳ ଅଧିକାରୀ ବିମ୍ବାଧର ସାହୁ ପ୍ରକାଶ କରିଛନ୍ତି।

ମୁଜାଗଡ଼ ବନାଞ୍ଚଳରେ ଗତକିଛି ଦିନ ହେବ ହାତୀ ପଲ ସେମାନଙ୍କ ସ୍ଥିତି ଜାହିର କରିଥିବା ବେଳେ ଏହି ଅଞ୍ଚଳର ବିଭିନ୍ନ ଅଞ୍ଚଳକୁ ବର୍ତ୍ତମାନ ବୁଲି ଧାନକ୍ଷେତ ନଷ୍ଟ କରୁଛନ୍ତି। ଆଉ କିଛି ଦିନ ଗଲେ ଫସଲ ଅମଳ ହେବାକୁ ଥିବା ବେଳେ ହାତୀ ମାନଙ୍କ ଉପଦ୍ରବରୁ କ୍ଷେତକୁ ସୁରକ୍ଷିତ ରଖିବା ପାଇଁ ଚାଷୀ ମାନେ ଚିନ୍ତିତ ହୋଇପଡିଛନ୍ତି। ଏମାନଙ୍କ ମଧ୍ୟରେ ମାଇ ହାତୀ ଓ ଛୁଆ ହାତୀକୁ ମିଶାଇ ୧୭ ଟି ହାତୀ ରହିଥିବା ବେଳେ ଗୋଟିଏ ଦନ୍ତା ହାତୀ ଏକାକୀ ବୁଦୁଲି ଅଞ୍ଚଳରେ ଘୂରି ବୁଲୁଛି ।

ଏହି ହାତୀପଲ ପ୍ରତ୍ୟେକ ଦିନ ସନ୍ଧ୍ୟାରେ ଚାଷ ଜମିକୁ ଆସି ଧାନ ଫସଲ ନଷ୍ଟ କରି ଦେଉଛନ୍ତି। ଗତମାସରେ ଏହି ବନାଞ୍ଚଳର ଦଦରଲୁଣ୍ଡା,ରମ୍ଭା ଆଦି ଇଲାକାରେ ବିଚରଣ କରୁଥିବାବେଳେ କିଛିଦିନ ହେବ ମୁଜାଗଡ,ବୁଦୁଲି,ଜୟମଙ୍ଗଳ,ବ୍ରାହ୍ମଣପଦର ଆଦି ଅଞ୍ଚଳରେ ବୁଲି ଗତକାଲି ଠାରୁ ଗାଲେରୀ ସେକସନ୍ ଆଡକୁ ପଳାରଇଛନ୍ତି। ହାତୀକୁ ଦେଇ ସ୍ଥାନୀୟ ଲୋକେ ଜଙ୍ଗଲକୁ ଯିବା ପାଇଁ ଭୟଭୀତ ହୋଇ ପଡିଛନ୍ତି। ବନବିଭାଗ ପକ୍ଷରୁ ଦୁଇଟି ଟିମ ଗୋଟିଏ ଟିମ ଦଦରାଲଣ୍ଡା ପଟୁ ଅନ୍ୟ ଟିମଟି ବ୍ରାହ୍ମଣପଦର ପଟୁ ହାତୀକୁ ଘଉଡାଉଥିଲେ। ପ୍ରତ୍ୟେକ ସନ୍ଧ୍ୟାରେ ସେହି ଅଞ୍ଚଳରେ ପେଟ୍ରୋଲିଂକୁ ମଧ୍ୟ କଡାକଡି କରାଯାଉଛି। ଲାଇଟ ଦେଖାଇବା ସହ, ବାଣ ଫୁଟାଇ ହାତୀପଲକୁ ଜଙ୍ଗଲକୁ ଘଉଡ଼ାଯାଉଛି। ଆଗକୁ ଫସଲ ଅମଳ ସମୟରେ ଧାନର ବାସ୍ନା ପାଇ ହାତୀ ପଲ ଗାଁ ମୁହାଁ ହେବାର ସମ୍ଭାବନା ରହିଛି। ହାତୀପଲ ଫସଲ ଖାଇବା ଅପେକ୍ଷା ଦଳି ନଷ୍ଟ ଅଧିକ କରୁଛନ୍ତି । ହାତୀ ଦ୍ବାରା ଫସଲ ନଷ୍ଠ ହେଲେ ବନ ବିଭାଗ ପକ୍ଷରୁ ସର୍ଭେ କରାଯାଇ କ୍ଷତି ପୂରଣ ଦିଆଯାଉଛି। କିନ୍ତୁ ଅମଳ ଫସଲରୁ ଯାହା ଲାଭ ଚାଷୀର ହୋଇ ପାରନ୍ତା ବନ ବିଭାଗ ସେହି ପରିମାଣର କ୍ଷତି ପୂରଣ ଦେଇପାରୁନାହିଁ। କଷ୍ଟାର୍ଜିତ ଫସଲକୁ ସୁରକ୍ଷା ଦେବା ପାଇଁ ଚାଷୀ ଦିନ ରାତି କ୍ଷେତ ନିକଟରେ ଜଗି ରହୁଥିବା ବେଳେ ରାତିରେ ସୁରକ୍ଷା ଦୃଷ୍ଟିରୁ ବଡ ଗଛ ଉପରେ ମଞ୍ଚା ତିଆରି କରି କ୍ଷେତର ସୁରକ୍ଷାରେ ରହୁଥିବା ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର