ଦିଗପହଣ୍ଡି: ଗଞ୍ଜାମ ଜିଲ୍ଲା କେ. ନୂଆଗାଁ ଥାନା ଅନ୍ତର୍ଗତ ଦିଗପହଣ୍ଡି ବ୍ଲକ ଅଧୀନ ଖମ୍ବାରିଗାଁ ପଞ୍ଚାୟତର ପୂର୍ବତନ ସରପଞ୍ଚ ତଥା ଜଣାଶୁଣା ବିଜେଡି ନେତା ଲଳିତ ମୋହନ ମହାପାତ୍ରଙ୍କ ମଙ୍ଗଳବାର ବିଳମ୍ବିତ ରାତିରେ ମୃତ୍ୟୁ ହୋଇଛି। ତେବେ ଏହା ଦୁର୍ଘଟଣା ନା ତାଙ୍କୁ ଷଡ଼ଯନ୍ତ୍ର କରି ଗାଡ଼ି ଧକ୍କା ମାରି ହତ୍ୟା କରାଯାଇଛି, ତାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଲୋକଙ୍କ ମନରେ ପ୍ରଶ୍ନ ସୃଷ୍ଟି ହୋଇଛି।
ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ସଂଧ୍ୟାରେ ଖମ୍ବାରିଗାଁ ଗ୍ରାମ ନିକଟ ଶଙ୍କରଖାଳି ଛକଠାରେ ଲଳିତ ମୋହନ ଏବଂ ସେହି ଖମ୍ବାରିଗାଁ ଗ୍ରାମର ରାମକୃଷ୍ଣ ମିଶ୍ର ନାମକ ଯୁବକଙ୍କ ମଧ୍ୟରେ କୌଣସି କାରଣରୁ ଗଣ୍ଡଗୋଳ ହୋଇଥିଲା । କିଛି ସମୟ ପରେ ମୋହନ ନିଜ ବୁଲେଟ୍ ଗାଡ଼ିରେ ଘରକୁ ଫେରୁଥିବା ବେଳେ ଖମ୍ବାରିଗାଁ ସ୍କୁଲ ଏବଂ ପଞ୍ଚାୟତ ମଧ୍ୟବର୍ତୀ ସ୍ଥାନରେ ରାମକୃଷ୍ଣଙ୍କ କାର୍ ଲଳିତ ମୋହନଙ୍କ ବୁଲେଟକୁ ପଛପଟୁ ଧକ୍କା ଦେବାପରେ ସେ ରାସ୍ତାକଡ଼ରେ ଥିବା ଏକ ନଡ଼ିଆ ଗଛରେ ଜୋରରେ ପିଟିହୋଇ ଯାଇଥିଲେ। ଘଟଣାସ୍ଥଳରୁ ନିଜେ ରାମକୃଷ୍ଣ ଲଳିତ ମୋହନଙ୍କୁ ଉଦ୍ଧାର କରି ନିଜ ଗାଡ଼ିରେ ଆଣି ଦିଗପହଣ୍ଡି ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ତେବେ ଉପସ୍ଥିତ ଡାକ୍ତର ଲଳିତ ମୋହନଙ୍କୁ ମୃତ ଘୋଷଣା କରିଥିଲେ। ଏହାପରେ ରାମକୃଷ୍ଣ ସ୍ବାସ୍ଥ୍ୟକେନ୍ଦ୍ରରେ ମୋହନଙ୍କୁ ଏକାକୀ ଛାଡ଼ି ଫେରାର ହୋଇଯାଇଥିଲେ।