ବାର୍‌ହା ଶିକାର ପାଇଁ ଗୁଳି : ଚାଷୀଙ୍କ ଜୀବନ ଗଲା

ଗୋଡ଼, ହାତ ଓ କାନକୁ ତିନି ରାଉଣ୍ଡ୍‌

କୋଦଳା/ବେଗୁନିଆପଡ଼ା : ବାର୍‌ହା ଶିକାରୀଙ୍କ ଗୁଳିରେ ଜଣେ ନିରୀହ ଚାଷୀ ପ୍ରାଣ ହରାଇଥିବା ଅଭିଯୋଗ ହୋଇଛି। ଗଂଜାମ ଜିଲ୍ଲା କୋଦଳା ଥାନା ଅଧୀନ ସୁମଣ୍ଡଳ-ଭେଜିପୁଟ ରାସ୍ତା ଜଙ୍ଗଲ ନିକଟରେ ଘଟିଛି ଏହି ଅଭାବନୀୟ ଘଟଣା। ମୃତ ଚାଷୀଙ୍କ ନାମ ତ୍ରିନାଥ ବେହେରା (୪୮)। ସ୍ଥାନୀୟ ପି.ନୂଆଗାଁ ଗ୍ରାମର ତ୍ରିନାଥଙ୍କ ଗୁଳିବିଦ୍ଧ ମୃତଦେହ ବୁଧବାର ସକାଳେ ସୁମଣ୍ଡଳ-ଭେଜିପୁଟ ରାସ୍ତା ଗଡ଼ାନାଳ ସଂଲଗ୍ନ ପୋଖରୀ ନିକଟରୁ ଉଦ୍ଧାର କରାଯାଇଛି।

ତ୍ରିନାଥଙ୍କ ବାମହାତ କହୁଣୀ, ଡାହାଣ କାନ ଓ ଗୋଡ଼ରେ ଗୁଳି ବାଜିଛି। ଅତି ନିକଟରୁ ତାଙ୍କୁ ଗୁଳି କରାଯାଇଥିବା ଅନୁମାନ କରାଯାଉଛି। ଘଟଣାସ୍ଥଳରେ ପୁରୁଷୋତ୍ତମପୁର ଏସ୍‌ଡିପିଓ ଦିଲ୍ଳୀପ କୁମାର ଦାଶ, କୋଦଳା ଥାନା ଅଧିକାରୀ ଅନିଲ କୁମାର ମହାନ୍ତି, ବେଗୁନିଆପଡ଼ା ଫାଣ୍ଡି ଅଧିକାରୀ ପ୍ରକାଶ ଚନ୍ଦ୍ର ପାତ୍ର ପହଞ୍ଚି ତଦନ୍ତ କରିଥିଲେ। ଏନେଇ କୋଦଳା ଥାନାରେ କେସ.ନଂ ୨୭୮ ଅନୁସାରେ ଏକ ହତ୍ୟା ମାମଲା ରୁଜୁ ହୋଇଥିବା ବେଳେ ପୁଲିସ ପକ୍ଷରୁ ତଦନ୍ତ ଜାରି ରହିଛି। ବୁରୁଝରୀ ପଞ୍ଚାୟତ ପି.ନୂଆଗାଁ ବାସିନ୍ଦା ତ୍ରିନାଥ ସବୁଦିନ ଭଳି ଗତକାଲି ଅପରାହ୍ନ ପ୍ରାୟ ୪ଟା ବେଳେ ସୁମଣ୍ଡଳ ବାଣିଆବାଡ଼ିଠାରୁ ଭେଜିପୁଟ ରାସ୍ତା ଗଡ଼ାନାଳ ପାଖରେ ଥିବା ଜମିକୁ ଜଗିବା ପାଇଁ ଯାଇଥିଲେ। କିନ୍ତୁ ସନ୍ଧ୍ୟାରେ ଆଉ ଘରକୁ ଫେରି ନଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ମଧ୍ୟ ତାଙ୍କୁ ଠାବ କରାଯାଇ ପାରି ନଥିଲା। ଆଜି ସକାଳେ ପରିବାର ଲୋକେ ଗଡ଼ାନାଳକୁ ଲାଗି ରହିଥିବା ପୋଖରୀ ନିକଟରେ ତ୍ରିନାଥଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ। ତାଙ୍କ କାନରୁ ପ୍ରବଳ ରକ୍ତ ବାହାରୁଥିଲା। ପରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା।

ତେବେ ବାର୍‌ହା ଶିକାରୀଙ୍କ ଗୁଳିରେ ତ୍ରିନାଥଙ୍କ ମୃତ୍ୟୁ ହୋଇଥିବା ନେଇ ପ୍ରାଥମିକ ତଦନ୍ତରୁ ଅନୁମାନ କରାଯାଉଥିବା ବେଳେ ବିଭିନ୍ନ ଦିଗରୁ ପୁଲିସ ତଦନ୍ତକୁ ତ୍ୱରାନ୍ଵିତ କରିଛି। ଏହି ଘଟଣା ପରେ ପି.ନୂଆଗାଁ ଗ୍ରାମ ସଂପୂର୍ଣ୍ଣ ସ୍ତବ୍ଧ ପାଲଟିଯାଇଥିବା ବେଳେ ମୃତକଙ୍କ ଦୁଇ ପୁଅ ଏବଂ ପତ୍ନୀ ବେସାହାରା ପାଲଟିଛନ୍ତି। ଅନ୍ୟପକ୍ଷରେ ସୁମଣ୍ଡଳ ନିକଟ ଜଙ୍ଗଲରେ ଅବାଧରେ ବନ୍ତ୍ୟଜନ୍ତୁ ଶିକାର ଚାଲିଥିବା ବେଳେ ଏଦିଗରେ ବନବିଭାଗ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନଥିବା ଅଭିଯୋଗ ହୋଇଛି।

ସମ୍ବନ୍ଧିତ ଖବର