ଚାଷୀଙ୍କ ଦୁଃଖ ବ୍ରିଟିସ୍‌ ଅମଳର ‘ଜୟମଙ୍ଗଳ କେନାଲ’

ପୁନରୁଦ୍ଧାରରେ ଖର୍ଚ୍ଚ ହେବ ୧୦୦କୋଟି

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ହିଞ୍ଜିଳି, ପୁରୁ‌ଷୋତ୍ତମପୁର, ଛତ୍ରପୁର ଓ ଗଞ୍ଜାମ ବ୍ଲକର ଜମିକୁ ଜଳସେଚନ ସହିତ ଉଦ୍‌ବୃତ୍ତ ଓ ବନ୍ୟା ଜଳ ନିଷ୍କାସନ ଲାଗି ବ୍ରିଟିସ୍‌ ଶାସନ ଅମଳରେ ଜୟମଙ୍ଗଳ କେନାଲର ପରିକଳ୍ପନା କରାଯାଇଥିଲା। ୧୨୦ ବର୍ଷ ତଳେ ନିର୍ମିତ ଏହି କେନାଲ ଏବେ ଚାଷୀଙ୍କ ଦୁଃଖ ପାଲଟି ଯାଇଛି।

୨୦୧୯ ଲଗାଣ ବର୍ଷାରେ ଏହି କେନାଲ ସଂଲଗ୍ନ ଇଲାକାରେ ପାଣି ଜମି ବ୍ୟାପକ ଫସଲ ନଷ୍ଟ ହେବା ପରେ ଜଳସେଚନ ବିଭାଗର ଉଚ୍ଚସ୍ତରୀୟ ଟିମ୍‌ କେନାଲ ସ୍ଥିତି ଅନୁଧ୍ୟାନ କରିଥିଲେ। ଜଳସମ୍ପଦ ବିଭାଗର ୧୨୯ ବୈଷୟିକ ପରାମର୍ଶଦାତା କମିଟି ବୈଠକରେ ଜୟମଙ୍ଗଳ କେନାଲର ପୁନରୁଦ୍ଧାର ଲାଗି ନିଷ୍ପତ୍ତି ହୋଇଛି। ୯୯କୋଟି ୫୪ଲକ୍ଷ ୨୦ହଜାର ଅର୍ଥାତ ପ୍ରାୟ ୧ଶହ କୋଟି ଟଙ୍କା ଅଟକଳରେ କେନାଲର ପୁନରୁଦ୍ଧାର ପ୍ରସ୍ତାବ ଅନୁମୋଦିତ ହୋଇଛି। ପୁଙ୍ଖାନୁପୁ୍ଙ୍ଖ ସର୍ଭେ କରି ଡିପିଆର୍‌ ପ୍ରସ୍ତୁତ ଲାଗି ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ବ୍ରହ୍ମପୁର ଜଳସେଚନ ବିଭାଗ ପକ୍ଷରୁ ସର୍ଭେ ଆରମ୍ଭ ହୋଇଥିବା ନିର୍ବାହୀ ଯନ୍ତ୍ରୀ ଜୟଦୀପ ପଣ୍ଡା କହିଛନ୍ତି।

୧୮୮୪ ମସିହାରେ ଜୟମଙ୍ଗଳ କେନାଲ ଖନନ କାର୍ଯ୍ୟ ଆରମ୍ଭ ହୋଇଥିଲା। ୧୯୦୧ ମସିହାରେ ଏହି କେନାଲ କାର୍ଯ୍ୟକ୍ଷମ‌ ହୋଇଥିଲା। ଏହି କେନାଲ ଇତିମଧ୍ୟରେ ୧୨୦ ବର୍ଷ ବିତିଛି।

ଜଳ‌େସଚନ ଓ ବର୍ଷାଜଳ ନିଷ୍କାସନକୁ ଦୃଷ୍ଟିରେ ରଖି ଏହି କେନାଲ କରାଯାଇଥିଲା। କେନାଲଟି ହିଞ୍ଜଳିକାଟୁ ଘୋଡ଼ାହାଡ଼ ଆନିକଟ ନିକଟରୁ ବାହାରି ହିଞ୍ଜିଳି, ପୁରୁଷୋତ୍ତମପୁର, ଛତ୍ରପୁର ବ୍ଲକ୍‌ ଇଲକା ଦେଇ ଗଞ୍ଜାମ ବ୍ଲକ୍‌ ଋଷିକୁଲ୍ୟା ବ୍ରିଜ ନିକଟରେ ଋଷିକୁଲ୍ୟା ନଦୀରେ ମିଶିଛି। ମୁଖ୍ୟ କେନାଲର ଲମ୍ବ ପ୍ରାୟ ୩୫.୮୦ କିମି। ଏହାର ଶାଖା, ପ୍ରଶାଖା ଓ କ୍ଷୁଦ୍ର କେନାଲ ମିଶି ସମୁଦାୟ କେନାଲର ଲମ୍ବ ୧୧୪ କିମି। କେନାଲ ଦ୍ବାରା ଖରିଫ୍‌ରେ ହିଞ୍ଜଳି, ପୁରୁଷୋତ୍ତମପୁର, ଛତ୍ରପୁର ଓ ଗଞ୍ଜାମ ବ୍ଲକର ୭୩୫୦ ହେକ୍ଟର ଏବଂ ରବିରେ ୨ଶହ ହେକ୍ଟର ଜମି ଜଳସେଚିତ ହୋଇପାରୁଛି। ଏହାଦ୍ବାରା ୪ଟି ବ୍ଲକ୍‌ର ୨୦ ରୁ ୨୫ ହଜାର ଚାଷୀ ଉପକୃତ ହୋଇ ପାରୁଥିଲେ। କିନ୍ତୁ ଉପଯୁକ୍ତ ମରାମତି ଓ ରକ୍ଷଣାବେକ୍ଷଣ ଅଭାବ ଏବଂ ତଳମୁଣ୍ଡରେ କେନାଲ ଜବରଦଖଲ ଯୋଗୁଁ ସଙ୍କୁଚିତ ହୋଇପଡ଼ିଛି। ସାଧାରଣତଃ କେନାଲଗୁଡ଼ିକରେ ଉପରମୁଣ୍ଡରେ ଚାଷ ଜମିରେ ଠିକ୍‌ ଭାବେ ପାଣି ପହଞ୍ଚୁଥିବାବେଳେ ତଳମୁଣ୍ଡ ବେଳକୁ ପାଣି କମିଯାଇଥାଏ। କିନ୍ତୁ ଜଳମଙ୍ଗଳ କେନାଲ କ୍ଷେତ୍ରରେ ଦୀର୍ଘ ବର୍ଷ ହେଲା ବିଚିତ୍ର ସ୍ଥିତି ଦେଖିବାକୁ ମିଳିଛି। ଏହି କେନାଲରେ ଉପରମୁଣ୍ଡରେ ଯେତିକି ପାଣି ମିଳୁଛି ତଳମୁଣ୍ଡ ବହୁ ଅଧିକ ପାଣି ଜମିକୁ ମିଳୁଛି। ସ୍ବଳ୍ପ ବର୍ଷା ସମୟରେ ଏହି କେନାଲ ଉପରେ ନିର୍ଭର କରୁଥିବା ଚାଷୀ ଉପଯୁକ୍ତ ପାଣି ପାଉଥିବାରୁ ଫସଲ ଭଲ ହେଉଛି। ‌କିନ୍ତୁ ଯେତେବେଳେ ଚାଷୀର ଧାନ କ୍ଷେତରେ ସୁନା ଫଳୁଛି (ପାଚିଲା ଧାନ) ସେହି ସମୟରେ ଏହି କେନାଲ ଜଳ ଫସଲ ପାଇଁ ପ୍ରତିକୂଳ ସ୍ଥିତି ସୃଷ୍ଟି କରୁଛି। ଜମିରେ ଜଳଜମି ରହୁଛି। ଏହାର କାରଣ ହେଉଛି ଉପରମୁଣ୍ଡରେ ଋଷିକୁଲ୍ୟା ଜଳସେଚନ ପ୍ରକଳ୍ପର କେନାଲ ଥିବାବେଳେ ତଳମୁଣ୍ଡରେ ଜୟମଙ୍ଗଳ ରହିଛି।

ଋଷିକୁଲ୍ୟା କେନାଲ ଆୟକଟ ଜମିର ଉଦବୃତ୍ତ ଜଳ ଓ ବର୍ଷାଜଳ ଜୟମଙ୍ଗଳ ଦ୍ବାରା ନିଷ୍କାସିତ ହେଉଛି। ଅସରାଏ ବର୍ଷା ହେଲେ କିମ୍ବା ଉପରମୁଣ୍ଡରେ ବର୍ଷା ହୋଇ ଋଷିକୁଲ୍ୟାରେ ବନ୍ୟାଜଳ ଆସିଲେ ଜୟମଙ୍ଗଳ କେନାଲ ଅର୍ନ୍ତଗତ ଚାଷୀଙ୍କ ପାଇଁ ଦୁଃଖ ପାଲଟିଯାଉଛି। ଜୟମଙ୍ଗଳ ମୁଖ୍ୟ କେନାଲ ବିଭିନ୍ନ ସ୍ଥାନରେ ପୋତି ହୋଇପଡ଼ିବା ସହିତ ସଙ୍କୁଚିତ ହୋଇପଡ଼ିଛି।

ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ମୁଖ୍ୟ କେନାଲର ମରାମତି ଦୀର୍ଘବର୍ଷ ହେଲା ହୋଇନାହିଁ। ଜଳସେଚନକୁ ଦୃ‌ଷ୍ଟିରେ ରଖି ଶାଖା କେନାଲର ମରାମତି କରାଯାଇଛି। ବର୍ଷାଜଳ ନିଷ୍କାସନକୁ ପାଇଁ କେବେ ବି ମରାମତି ହୋଇନାହିଁ। ଜଳସେଚନ ବିଭାଗ ପକ୍ଷରୁ ୧୯୯୫-୯୬ ମସିହାରେ ଜୟମଙ୍ଗଳର କେନାଲର ମରାମତିରେ ୮କୋଟି ଟଙ୍କା ଖର୍ଚ୍ଚ କରା ଯାଇଥିଲା। ମରାମତି କାର୍ଯ୍ୟ ୨୦୦୧ରେ ସରିଥିଲା। ଏହାପର ଠାରୁ ଆଉ ବଡ଼ଧରଣ ମରାମତି ହୋଇନାହିଁ। ପ୍ରତିବର୍ଷ‌ କେବଳ ଘାସ ସଫେଇ ଓ କ୍ଷୁଦ୍ର ମରାମତି କାର୍ଯ୍ୟ କରାଯାଉଛି।

ସମ୍ବନ୍ଧିତ ଖବର