ପ୍ରଦୀପଙ୍କ ଗିରଫଦାରି ପରେ ଫୁଟିଲା ବାଣ

ଟାଟା ମୋଟର୍ସରେ ଚାକିରି ନାଁରେ ଠକେଇ ମାମଲାରେ ପ୍ରଦୀପ ପାଣିଗ୍ରାହୀ ଛନ୍ଦି ହୋଇ ପରେ ବିଜେଡିରୁ ବହିଷ୍କୃତ ହେଲେ। ଏଥିରେ ବିରୋଧୀ ଗୋଷ୍ଠୀ ତାଙ୍କର ଗିରଫଦାରି ଦାବି କରିଥିଲେ। ଖୋଦ୍‌ ତାଙ୍କ ନିର୍ବାଚନମଣ୍ଡଳୀରେ କଂଗ୍ରେସ ବିକ୍ଷୋଭ ପ୍ରଦର୍ଶନ କରିଥିବା ବେଳେ ଏସ୍‌.ପି. ଅଫିସ୍‌ ଆଗରେ ବିଜେପି ବିକ୍ଷୋଭ କରି ପ୍ରଦୀପଙ୍କ ଗିରଫ ପାଇଁ ଦାବି କରିଥିଲା। ସେ ସମୟରେ ସାନମେଖୁଣ୍ଡି ନିର୍ବାଚନମଣ୍ଡଳୀର ଆଡ଼ପଡ଼ାରେ ବିରୋଧୀ ଗୋଷ୍ଠୀ ବାଣ ଫୁଟାଇଥିଲେ। ଗୋପାଳପୁର ବିଧାୟକ ଡ. ପ୍ରଦୀପ ପାଣିଗ୍ରାହୀଙ୍କ ଗିରଫଦାରି ପରେ ତାଙ୍କ ବିରୋଧୀ ଗୋଷ୍ଠୀ ଏବେ ବେଶ୍‌ ଖୁସି। ଗତକାଲି ରାତିରେ ଗୋପାଳପୁର ନିର୍ବାଚନମଣ୍ଡଳୀର ବିଭିନ୍ନ ଅଞ୍ଚଳରେ ବିରୋଧୀ ଗୋଷ୍ଠୀ ବାଣ ଫୁଟାଇ ନବୀନ ବାବୁ ଜିନ୍ଦାବାଦ ନାରା ଦେଇଥିଲେ। ଏପରିକି ପ୍ରଦୀପଙ୍କ ବିରୋଧରେ ମଧ୍ୟ ନାରାବାଜି କରିଥିଲେ। ଇଂଜିନିୟରିଂ ସ୍କୁଲ ଛକରେ ମଧ୍ୟ ବହୁ ଲୋକ ଏକାଠି ହୋଇ ବାଣ ଫୁଟାଇ ଖୁସି ମନାଇଥିଲେ। ମୁଖ୍ୟମନ୍ତ୍ରୀ ନବୀନ ବାବୁ ନେଇଥିବା ପଦକ୍ଷେପକୁ ସମସ୍ତେ ସ୍ବାଗତ କରିଥିଲେ। ଗୋସାଇଁ ନୂଆଗାଁରେ ମଧ୍ୟ ବାଣ ଫୁଟିଥିବା ଦେଖିବାକୁ ମିଳିଥିଲା।

ଲାଭବାନ ଇଭେଣ୍ଟ୍‌ ମ୍ୟାନେଜମେଣ୍ଟ୍‌ ସଂସ୍ଥା
ଟାଟା ମୋଟର୍ସରେ ଚାକିରି ନାଁରେ ହୋଇଥିବା ଠକେଇ ଘଟଣାରେ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସମ୍ପୃକ୍ତିକୁ ନେଇ ବ୍ରହ୍ମପୁରରେ କ୍ରାଇମ୍‌ବ୍ରାଞ୍ଚ ଖୋଳତାଡ଼ ଜାରି ରଖିଛି। କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ପ୍ରଦୀପଙ୍କ ଆର୍ଥିକ କାରବାର ଓ ତାଙ୍କର ଅନୁଗତଙ୍କ ଉପରେ ନଜର ରଖିଛି। ପ୍ରଦୀପଙ୍କ ନିକଟରେ ରହିଥିଲେ ଜଣେ ଇଭେଣ୍ଟ୍‌ ମ୍ୟାନେଜମେଣ୍ଟ୍‌ ସଂସ୍ଥା ମାଲିକ। ସେ ଲଗାତାର ଗୋପଳପୁର ବେଳାଭୂମି ମହୋତ୍ସବ ଆୟୋଜନ କରି ଆସୁଥିଲେ। ଏପରିକି ସେ ସୁରତରେ ହୋଇଥିବା ଓଡ଼ିଆ ମହୋତ୍ସବ ଓ କିଛିବର୍ଷ ତଳେ ଭଞ୍ଜବିହାରେ ହୋଇଥିବା କାଳିଆ ଯୋଜନା ସମାବେଶ ମଧ୍ୟ ଆୟୋଜନ କରିଥିଲେ। ପ୍ରଦୀପଙ୍କ ଆଶୀର୍ବାଦରେ ସେ ବିଜେଡିର ସମସ୍ତ କାର୍ଯ୍ୟକ୍ରମ ହାତେଇ ବେଶ୍‌ ଲାଭବାନ ହୋଇଥିବା କୁହାଯାଉଛି। ଗଞ୍ଜାମ ଜିଲ୍ଲାରେ ହେଉଥିବା ମୁଖ୍ୟମନ୍ତ୍ରୀଙ୍କ ପ୍ରତ୍ୟେକ କାର୍ଯ୍ୟକ୍ରମ ସେହି ନିର୍ଦ୍ଦି‌ଷ୍ଟ ଇଭେଣ୍ଟ୍‌ ମ୍ୟାନେଜ୍‌ମେଣ୍ଟ୍‌ ସଂସ୍ଥା ଆୟୋଜନ କରୁଥିଲା। କିନ୍ତୁ ଗତବର୍ଷ ତାଙ୍କୁ ବେଳାଭୂମି ମହୋତ୍ସବ ଆୟୋଜନ ପାଇଁ ଅନୁମତି ମିଳି ନଥିଲା। ଏହା ପରଠାରୁ ବିଧାୟକ ପ୍ରଦୀପ ଓ ସମ୍ପୃକ୍ତ ସଂସ୍ଥାର ମୁଖ୍ୟଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା। କ୍ରାଇମ୍‌ବ୍ରାଞ୍ଚ୍‌ ବ୍ରହ୍ମପୁର ଆସି ଖୋଳତାଡ଼ ଆରମ୍ଭ କରିବା ପରେ ସମ୍ପୃକ୍ତ ସଂସ୍ଥାର ମୁଖ୍ୟଙ୍କୁ ମଧ୍ୟ ଡକାଇଥିଲା। ତାଙ୍କୁ ବିଭିନ୍ନ ଦିଗରୁ ପ୍ରଶ୍ନ ପଚାରି ଜେରା କରିଥିଲା। ଠିକ୍‌ ସେହିପରି ପ୍ରଦୀପଙ୍କ ନିକଟତମ ଥିବା ବହୁ ଲୋକ ଜେରାର ସମ୍ମୁଖୀନ ହୋଇଛନ୍ତି।

ସମ୍ବନ୍ଧିତ ଖବର