କୂଅକୁ ‌ଡେଇଁଲେ ସ୍ତ୍ରୀ, ବଞ୍ଚାଇବା ପାଇଁ ସ୍ବାମୀ ବି ଡେଇଁଲେ; ଉଦ୍ଧାର କଲା ଦମକଳ ବାହିନୀ

ବ୍ରହ୍ମପୁର: ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ପାରିବାରିକ କଳହରୁ ଘଟିଛି ଅଘଟଣ । ସ୍ବାମୀଙ୍କ ସହିତ ଝଗଡ଼ା କରି ସ୍ତ୍ରୀ ଶେଷରେ କୂଅକୁ ଡେଇଁ ପଡ଼ିଛନ୍ତି। ସ୍ତ୍ରୀକୁ ବଞ୍ଚାଇବା ପାଇଁ ସ୍ବାମୀ ମଧ୍ୟ କୂଅକୁ ଡେଇଁ ପଡ଼ିବା ଭଳି ଘଟଣା ଘଟିଛି ବ୍ରହ୍ମପୁର ଟାଉନ୍‌ ଥାନା ଅନ୍ତର୍ଗତ ବିଜିପୁର ଅଞ୍ଚଳରେ। ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଭୟ ସ୍ବାମୀ-ସ୍ତ୍ରୀଙ୍କୁ ଉଦ୍ଧାର କରି ବଡ଼ ଡାକ୍ତରଖାନାରେ ଭର୍ତ୍ତି କରିଛି। ସ୍ତ୍ରୀ ସୁନିତା ସାହୁ(୨୬) ଗୁରୁତର ଥିବା ବେଳେ ସ୍ବାମୀ ରାମଚନ୍ଦ୍ର ସାହୁ(୩୨) ଆହତ ହୋଇଛନ୍ତି।

ଟାଉନ୍‌ ଥାନା ଅନ୍ତର୍ଗତ ବିଜିପୁର ଶାସ୍ତ୍ରୀନଗର ତୃତୀୟ ଲାଇନ୍‌ରେ ରାମଚନ୍ଦ୍ର ତାଙ୍କ ପତ୍ନୀ ସୁନିତାଙ୍କ ସହିତ ରହନ୍ତି। ତାଙ୍କର ଏକ ଦେଢ଼ବର୍ଷର ଝିଅ ଅଛି। ବିଭିନ୍ନ କାରଣକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହେଉଥିଲା। ଆଜି ପୁଣି ଥରେ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇ ପ୍ରବଳ ପାଟିତୁଣ୍ଡ ହୋଇଥିଲା। ଏଥିରେ ସୁନିତା ଅତିଷ୍ଠ ହୋଇ ଅପରାହ୍ଣ ପ୍ରାୟ ୪ଟା ବେଳେ ଘର କୂଅ ଭିତରକୁ ଡେଇଁ ପଡ଼ିଥିଲେ। ଏହା ଦେଖି ସ୍ବାମୀ ରାମଚନ୍ଦ୍ର ପାଟି କରିଥିଲେ। ସ୍ତ୍ରୀକୁ ବଞ୍ଚାଇବାକୁ ଯାଇ ସେ ମଧ୍ୟ କୂଅକୁ ଡେଇଁଥିଲେ। ପାଟିତୁଣ୍ଡ ଶୁଣି ପଡ଼ୋଶୀ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରିଥିଲେ। ହେଲେ ଉଦ୍ଧାର କରି ପାରି ନଥିଲେ। ଦମକଳ ବାହିନୀକୁ ଖବର କରାଯାଇଥିଲା। ଆସିଷ୍ଟାଣ୍ଟ୍‌ ଫାୟାର୍‌ ଅଫିସର୍‌ ସନାତନ ମହାପାତ୍ରଙ୍କ ନେତୃତ୍ବରେ ଏକ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା।

କୂଅର ଓସାର କମ୍‌ ଥିବା ବେଳେ ଭିତରେ ଅକ୍ସିଜେନ୍‌ ନଥିଲା। ଫାୟାର୍‌ମ୍ୟାନ୍‌ ଜ୍ୟୋତି ପ୍ରକାଶ ସାହୁ ଓ ଗୁଲୁ ପାତ୍ର ଅକ୍ସିଜେନ୍‌ ନେଇ କୂଅ ଭିତରକୁ ଓହ୍ଲାଇଥିଲେ। କୂଅରେ ପାଣି କମ୍‌ ଥିଲା। କିନ୍ତୁ ଅକ୍ସିଜେନ୍‌ ଅଭାବରୁ ଉଭୟ ସ୍ବାମୀ, ସ୍ତ୍ରୀ ଗୁରୁତର ହୋଇ ପଡ଼ିଥିଲେ। ତୁରନ୍ତ ସେମାନଙ୍କୁ ଉଦ୍ଧାର କରି ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା ବୋଲି ଆସିଷ୍ଟାଣ୍ଟ୍‌ ଫାୟାର୍‌ ଅଫିସର୍‌ ମହାପାତ୍ର ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର