ବ୍ୟବସାୟୀଙ୍କୁ ଗୁଳିମାଡ଼

ଶେରଗଡ଼ : ଗ˚ଜାମ ଜିଲ୍ଲା ଶେରଗଡ଼ ଥାନା କୁରୁଳା-ମହିରିକଣା ରାସ୍ତାରେ ଆଜି ରାତି ପ୍ରାୟ ସାଢେ ୮ଟାରେ ହିଞ୍ଜିଳିକାଟୁ ଅଞ୍ଚଳର ଲକ୍ଷ୍ମୀ ଦାଶ ନାମକ ବ୍ୟବସାୟୀଙ୍କୁ ଗୁଳି ମାଡ଼ ସହ ଓ ଖଣ୍ତାରେ ଆକ୍ରମଣ ହୋଇଛି। ହେଲେ ଲକ୍ଷ୍ମୀ ଆହତ ଅବସ୍ଥାରେ ହଠାତ୍‌ ନିଖୋଜ ହୋଇଯିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ଘଟଣାସ୍ଥଳରୁ ପୁଲିସକୁ କେବଳ ଏକ ବାଇକ୍‌ (ଓଆର୦୭କେ-୨୪୨୫) ଓ ମୋବାଇଲ୍‌ ଜବତ କରିଛି। ଏହା ସହ ଲକ୍ଷ୍ମୀଙ୍କୁ ଠାବ କରିବାକୁ ତନାଘନା ଜାରି ରହିଛି ବୋଲି ଆସିକା ଏସଡିପିଓ ସୁବାସ ଚନ୍ଦ୍ର ପଣ୍ତା ସୂଚନା ଦେଇଛନ୍ତି।

ମିଳିଥିବା ସୂଚନାନୁସାରେ, ଟ୍ରାକ୍ଟରରେ ବାଲି ଓ ମୋରମ ଚାଲାଣ ବ୍ୟବସାୟ କରୁଥିବା ଲକ୍ଷ୍ମୀ ଆଜି ରାତିରେ ବାଇକରେ କୁରୁଳା-ମହିରିକଣା ରାସ୍ତାରେ ଫେରୁଥିଲେ। ଏହି ସମୟରେ ହିଞ୍ଜିଳିକାଟୁ ପଟୁ ଦୁଇ ବାଇକ୍‌ରେ ୪ଜଣ ଯୁବକ ଆସି ତାଙ୍କୁ ଅଟକାଇବା ସହ ଧମକଚମକଦେଇଥିଲେ। ଏହା ପରେ ଗୁଳିମାଡ଼ କରିଥିଲେ। ହେଲେ ସୌଭାଗ୍ୟବଶତଃ ଗୁଳି ଲକ୍ଷ୍ମୀଙ୍କ ଦେହରେ ବାଜି ନଥିଲା। ପରେ ସେମାନେ ତାଙ୍କୁ ଖଣ୍ତାରେ ଆକ୍ରମଣ କରିବାରୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଲକ୍ଷ୍ମୀ ଦୌଡ଼ିଥିବା ବେଳେ ଆକ୍ରମଣକାରୀ ମାନେ ତାଙ୍କୁ ଗୋଡ଼ାଇ ଥିଲେ। କିନ୍ତୁ ବର୍ତମାନ ସୁଦ୍ଧା ଲକ୍ଷ୍ମୀଙ୍କ ପତ୍ତା ମିଳି ନଥିବା ବେଳେ କୌଣସି ଡାକ୍ତରଖାନାରେ ବି ନାହାନ୍ତି। ଫଳରେ ତାଙ୍କୁ ଠାବ କରିବାକୁ ଏକ ଟିମ୍‌ ଉଦ୍ୟମ ଆରମ୍ଭ କରିଛନ୍ତି।

ସମ୍ବନ୍ଧିତ ଖବର