ଚାରିକାନ୍ଧ ମିଳୁନି, ଚାରିଜଣ ସାହା

ଛତ୍ରପୁର : ସହରାଞ୍ଚଳ ହେଉ ଅଥବା ଗ୍ରାମାଞ୍ଚଳ, ସବୁଠି ଶବ ଏବେ ଅଛୁଆଁ। ଏପରିକି ଆତ୍ମୀୟ ଓ ବନ୍ଧୁ ପରିଜନ ବି ଚାରିକାନ୍ଧ ଦେବାକୁ ଆଗେଇ ଆସୁନାହାନ୍ତି। ଗତ ଏକ ସପ୍ତାହ ଭିତରେ ଏଭଳି ଅନେକ ଘଟଣା ଗଣମାଧ୍ୟମର ଶିରୋନାମା ପାଲଟିଛି। ହେ‌ଲେ ଏହି ଘଡ଼ିସନ୍ଧି ସମୟରେ ଆଜି ବି ଅନେକ ସଂଗଠନ ଓ ବ୍ୟକ୍ତି ମାନେ ସେମାନଙ୍କ ମଣିଷପଣିଆ ଏବଂ ମାନବିକତାର ନିଦର୍ଶନ ଦେଖାଇଛନ୍ତି। ଖାଲି ଏତିକି ନୁହେଁ, ଅନେକ ସରକାରୀ ଅଧିକାରୀ ବି ନିଜେ ପିପିଇ କିଟ୍ ପିନ୍ଧି ଶବ ସତ୍କାର ପାଇଁ ଆଗେଇ ଆସିଛନ୍ତି।

ଏଭଳି ୪ଜଣ ନିଆରା ମଣିଷ ହେଉଛନ୍ତି, ଛତ୍ରପୁର ସହରର ଅବସରପ୍ରାପ୍ତ ରାଜସ୍ବ କର୍ମଚାରୀ ନରହରି ସ୍ବାଇଁ, ଯୁବ ସମାଜସେବୀ ବଳିଆ ବେହେରା, ଟି.ଗୁରୁପ୍ରିୟ ଆଚାରୀ ଓ ଅଶୋକ କୁମାର ବେହେରା। ଏହି ଜଟିଳ ସମୟରେ ସେମାନେ ମଣିଷପଣିଆ ଦେଖାଇବା ସହ ଅନ୍ତିମ ସମୟର ପ୍ରକୃତ ବନ୍ଧୁ ଭାବେ ଉଭା ହେଉଛନ୍ତି। ଖବର ପାଇବା କ୍ଷଣି, ମୃତକଙ୍କ ପରିବାରକୁ ସବୁ ପ୍ରକାର ସହାୟତା ଯୋଗାଇଦେଉଛନ୍ତି। ସାଧାରଣ ମୃତକ ହୁଅନ୍ତୁ ଅଥବା କରୋନା ସନ୍ଦିଗ୍ଧ, ସମସ୍ତଙ୍କ ଶବକୁ ସମାନ ଦୃଷ୍ଟିରେ ଦେଖୁଛନ୍ତି। ଆଉ ସସମ୍ମାନର ସହ ଚାରି କାନ୍ଧ ଦେଇ ଶ୍ମଶାନକୁ ନେଇ ସଂସ୍କାର କରୁଛନ୍ତି। ପିପିଇ କିଟ୍ ପିନ୍ଧି କରୋନା ସନ୍ଦିଗ୍ଧଙ୍କ ଶବ ସଂସ୍କାର ଲାଗି ଆଗେଇ ଆସୁଛନ୍ତି। ଆଜି ସେମାନେ ୨ଜଣଙ୍କ ଶବ ଦାହ କରିଛନ୍ତି। ଆଉ ସପ୍ତାହକରେ ପ୍ରାୟ ଏମାନେ ୧୫ରୁ ଅଧିକ ଶବକୁ ସତ୍କାର କରିଥିବା ଜଣାପଡ଼ିଛି। ଏଥିରେ ସେମାନଙ୍କୁ ଆତ୍ମସନ୍ତୋଷ ମିଳୁଛି ବୋଲି କହିଛନ୍ତି। ତେବେ ଏମାନଙ୍କ ମଧ୍ୟରୁ ଅବସରପ୍ରାପ୍ତ ରାଜସ୍ବ କର୍ମଚାରୀ ନରହରି ସ୍ବାଇଁ ବହୁବର୍ଷ ହେଲା ଶବଦାହ ଭଳି ପବିତ୍ର ସେବାରେ ନିଜକୁ ନିୟୋଜିତ କରିଛନ୍ତି। ଆଜି ସୁଦ୍ଧା ସେ ୪୫୦୦ରୁ ଅଧିକ ଶବ ଦାହରେ ସହଯୋଗ କରିଛନ୍ତି। ସେହିପରି ୪ ବର୍ଷ ହେଲା ଏହି ସେବାରେ ସାମିଲ ହୋଇ ୧ ହଜାରରୁ ଅଧିକ, ଗୁରୁପ୍ରିୟ ୨୫୦ରୁ ଅଧିକ ଏବଂ ଅଶୋକ ୧୦୦ରୁ ଅଧିକ ଶବଦାହ କରିଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର