‘ଗାନ୍ଧୀ କୈଳାସ’ ପାହାଡ଼ରୁ ୨୦ ବର୍ଷ ହେଲା ହଜି ଗଲେଣି ଗାନ୍ଧୀ, ପଡି ରହିଛି ଭଗ୍ନାବଶେଷ

ଭଞ୍ଜନଗର ସହରର ପ୍ରମୁଖ ସ୍ଥାନରେ ଥାଇ ବି ଅବହେଳିତ 

ଭଞ୍ଜନଗର (ବିଶ୍ୱମ୍ବର ଜେନା): ଗଂଜାମ ଜିଲ୍ଲା ଭଞ୍ଜନଗର ସହରର ଠିକ୍‌ ମଝିରେ ରହିଛି ଐତିହ୍ୟ କୀର୍ତ୍ତିରାଜି ଭରା ଗାନ୍ଧୀ କୈଳାସ ପାହାଡ। ସହରର ମଧ୍ୟ ଭାଗରେ ରହିବା ସହ ଏହାର ଚାରିପାଖରେ ଜନବସତି ଗଢି ଉଠିଥିବାରୁ ଏହ ସମସ୍ତଙ୍କର ଆର୍କଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଏହା ଭଞ୍ଜନଗର ସହରକୁ ଏକ ସ୍ବତନ୍ତ ପରିଚୟ ପ୍ରଦାନ କରିଛି। ଭୌଗଳିକ ଦୃଷ୍ଟି କୋଣରୁ ଏହାର ସହରର ଠିକ ମଝିରେ ଥିଲେ ମଧ୍ୟ ଏହାର ରକ୍ଷଣାବେକ୍ଷଣ ଅଭାବ ଯୋଗୁଁ ପ୍ରାକୃତିକ ସମ୍ପଦଟି ଅବକ୍ଷୟ ଆଡକୁ ଗତି କରୁଛି। ଏଠାରେ କେଉଁ ପୁରାତନ କାଳରୁ ପାହାଡ ଶିଖର ଏକ ଗୁମ୍ପାରେ ଗୁପ୍ତେଶ୍ବର ନାମରେ ଭଗବାନ କୈଳାସ ବିରାଜମାନ ଥିବା ବେଳେ କିଛି ବଦାନ୍ୟ ବ୍ୟକ୍ତିଙ୍କ ଦ୍ବାରା ଏହା ଉପରେ ଏକ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ସ୍ଥାପନା ହୋଇଥିଲା। ଏହା ପରଠାରୁ ଏହା ଗାନ୍ଧୀ କୈଳାସ ନାମରେ ଜଣାଯାଇଥିଲା। କିନ୍ତୁ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିର କିଛି ଭଗ୍ନାବଶେଷ ପାହାଡ ଉପରେ ପଡ଼ି ରହିଥିବା  ବେଳେ ସନ୍ତକ ସ୍ବରୁପ ପ୍ରତିମୂର୍ତ୍ତି ସ୍ଥାନରେ କେବଳ ପାଦ ଦୁଇଟି ହିଁ ରହିଛି। ରାଜତନ୍ତ୍ର ଠାରୁ ଆରମ୍ଭ କରି ବିଟ୍ରିଶ୍‌ ଶାସନ ଏବଂ ସ୍ୱାଧୀନତାର ପ୍ରତିଟି ମୂହୁର୍ତ୍ତର ମୁକସାଖୀ ପାଲଟି ଥିବା ଏହି ଗାନ୍ଧୀ କୌଳାଶ ପାହାଡ଼ ବର୍ତ୍ତମାନ ନିଜର ସତ୍ତା ହରାଇବାକୁ ବସିଛି।

ଭଞ୍ଜନଗର ସହରର ପୁରାତନ ନାମ ରହିଥିଲା ରସଲକୋଣ୍ଡା। ସେତେବେଳେ ଏହି ଅଞ୍ଚଳ ମାଡ୍ରାସ୍‌ ପ୍ରେସିଡେନ୍ସି ଅଧିନରେ ପରିଚାଳିତ ହେଉଥିବାରୁ ଏଠାରେ ତେଲୁଗୁ ଭାଷାଭାଷୀଙ୍କ ସଂଖ୍ୟା ଅଧିକ ରହିଥିଲା। ତ‌େଲୁଗୁ ଭାଷ‌ାରେ ପାହାଡ଼କୁ ‘କୋଣ୍ଡା’ କୁହାଯାଇଥାଏ। ଆଉ ସେହି ସମୟରେ ବିଟ୍ରିଶ୍‌ ଏଡୱାର୍ଡ ରସେଲ ଏଠାକୁ ଆସି ଏହି ଅଞ୍ଚଳର ଶାସନ ଭାର ସମ୍ଭାଳୁ ଥିଲେ। ତେଣୁ ରସେଲ ସାହେବ୍‌ ଏବଂ ପାହାଡ ଶଦ୍ଦକୁ ନେଇ ଏହି ଅଞ୍ଚଳର ନାମକରଣ ରସଲକୁଣ୍ଡା କରାଯାଇଥିବା ଇତିହାସରୁ ଜଣାପଡ‌େ। ଏହି ଦୃଷ୍ଟି କ‌ୋଣରୁ ଗାନ୍ଧୀ କୌଳାସ ପାହଡ଼ର କେତେ ବିଶେଷତ୍ବ ରହିଛି ତାହା ସ୍ପଷ୍ଟ ଅନୁମାନ କରାଯାଇପାରେ।

କେଉଁ ଆବାହମାନ କାଳରୁ ଏହି ପାହଡ଼ ଛିଡା ହୋଇ ରହିଥିବା ବେଳେ ଭଞ୍ଜନଗର ଅଞ୍ଚଳର ଜଣାଶୁଣା ସମାଜସେବୀ ତଥା ବିଜ୍ଞାପିତ ଅଞ୍ଚଳର ପରିଷଦର ପୂର୍ବତନ ଅଧ୍ୟକ୍ଷ ସ୍ବର୍ଗତ ରାମନାରାୟଣ ସିଂଙ୍କ ବାପା ସ୍ବର୍ଗତ କେ ଜନାର୍ଦ୍ଦନ ସିଂ କିଛି ସହୃଦୟ ବ୍ୟକ୍ତିଙ୍କ ସହିତ ମିଶି ଏଠାରେ ଏକ ଗାନ୍ଧୀ ମୂର୍ତ୍ତି ନିର୍ମାଣ କରିଥିଲେ। ସହରରେ ବିଭିନ୍ନ ସମାଜସେବା କାର୍ଯ୍ୟ କରିବା ସହ ଗାନ୍ଧୀଙ୍କ ମାର୍ଗରେ ଅନୁପ୍ରାଣିତ ହୋଇ ଲୋକଙ୍କ ମନରେ ଅହିଂସା ଭାବ ଜାଗ୍ରତ କରୁଥିଲେ। ଏଥିପାଇଁ ସେ ଗଠନ କରିଥିଲେ ଗାନ୍ଧୀ କୈଳାଶ ସେବା ସମିତି। ଏହାର ସ୍ମୃତି ଉଦ୍ଦେଶ୍ୟରେ ଚୁନ ଓ ସିମେଣ୍ଟ୍‌ରେ ଏହି ପାହାଡ଼ ଶିଖରରେ ୮ ଫୁଟ ଉଚ୍ଚତା ବିଶିଷ୍ଟ ଏକ ଗାନ୍ଧୀ ମୂର୍ତ୍ତି ସ୍ଥାପନ କରିଥିଲେ। ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ନିକଟ ଏକ ଗୁମ୍ଫାରେ ଶିବ ଲିଙ୍ଗ ରହିଥିବାରୁ ଏହି ଗାନ୍ଧୀ କୌଳାସ ପାହାଡ଼ ସ୍ଥାନିୟ ବାସିନ୍ଦାଙ୍କ ସମେତ ବାହାର ଆଗନ୍ତୁକ ମାନଙ୍କ ପାଇଁ ଏହା ପ୍ରମୁଖ ଆର୍କଷଣର କେନ୍ଦ୍ର ବିନ୍ଦୁ ପାଲଟିଥିଲା। ଜନାର୍ଦ୍ଦନଙ୍କ ପରେ ତାଙ୍କ ପୁଅ ରାମ ନାରାୟଣ ସିଂ ଏହି ପାହାଡର ଗୁରୁତ୍ବକୁ କାଏମ୍‌ ରଖିବା ପାଇଁ ବାପାଙ୍କ ପରେ ପାହାଡ ପାଦ ଦେଶରୁ ଶିଖର ପର୍ଯ୍ୟନ୍ତ ଆଲୋକ ବ୍ୟବସ୍ଥା କରିବା ସହ ପାହାଡର କିଛି ବାଟ ପାହାଚ ନିର୍ମାଣ କରିବା ଓ ପଥର ଗୁଡିକରେ ଚୂନ ଲଗାଇ ଉପରକୁ ଯିବା ପାଇଁ ସଂକେତ କରିବା ସହ ପାହାଡ ‌ଲୋକଙ୍କ ସହାୟତାରେ  ପ୍ରବେଶ ପଥରେ ଏକ ‌ଗଣେଷ ମୂର୍ତ୍ତି ନିର୍ମାଣ କରି ଗାନ୍ଧୀ କୌଳାସ ପାହାଡ଼ର ସୌନ୍ଦର୍ଯ୍ୟ ବଜାୟ ରଖିବାକୁ ବହୁ ପ୍ରଚେଷ୍ଟା କରିଥିଲେ। କିନ୍ତୁ ଏହି ମୂଲ୍ୟବାନ ସ୍ଥାନର ଆବଶ୍ୟକ ରକ୍ଷଣାବେକ୍ଷଣା ଅଭାବ‌ ଯୋଗୁ ଶ୍ରୀହିନ ହୋଇପଡିଲାଣି। ମହାତ୍ମା ଗାନ୍ଧୀଙ୍କ ନାମ ଏହି ପାହାଡ଼ ‌ସହ ଯୋଡି ହୋଇ ରହିଥିଲେ ମଧ୍ୟ ଗାନ୍ଧୀଙ୍କ ପ୍ରତିମୂର୍ତ୍ତିର ଚିହ୍ନବର୍ଣ୍ଣ ଦେଖିବାକୁ ମିଳୁନାହିଁ।

ଗାନ୍ଧୀ ପ୍ରତିମୂର୍ତ୍ତିଟି କାଳକ୍ରମେ ଭାଙ୍ଗି ଯାଇଥିବା ବେଳେ ତାହାର ଅବଶିଷ୍ଟାଂଶ ଭାବେ କେବଳ ପାଦ ଦୁଇଟି ରହିଛି। ଆଉ ତାହର ତଳକୁ ପ୍ରତିମୂର୍ତ୍ତର ଅନ୍ୟ ଅବଶିଷ୍ଟାଂଶ ଗୁଡିକ ମଧ୍ୟ ଆଜି ବି ସେମିତି ପଡି ରହିଛି। ପୁର୍ନବାର ପ୍ରତିମୂର୍ତ୍ତି ନିର୍ମାଣ କରିବା ଦିଗରେ କେହି ମଧ୍ୟ ପ୍ରୟାଶ କରିନାହାନ୍ତି। ପାହାଡ ଉପରୁ ସହରର ମ‌ୋନରାମ ଦୃଶ୍ୟକୁ ଉପଭୋଗ କରି‌ହେଉଥିଲେ ମଧ୍ୟ ଏଠାକୁ ଯିବା ପାଇଁ ଆଉ ଭଲ ରାସ୍ତା ନାହିଁ। ସହରର ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ରହିଥିଲେ ମଧ୍ୟ ଏହ କୌଣସି ଅପହଞ୍ଚ କିମ୍ବା ଦୁର୍ଗମ ଇଲାକା ଠାରୁ କମ୍ ଭଳି ମନେ ହେଉନାହିଁ।

ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଗାନ୍ଧୀକୈଳାଶ ପାହାଡର ସୁରକ୍ଷା କରିବା ସହ ଏହାର ପୂର୍ବବତ୍ ସ୍ଥିତାବସ୍ଥା ଫେରାଇ ଆଣିବା ପାଇଁ ଏକ ଦୃଢ଼ ପଦକ୍ଷେପ ନେବା ଜରୁରୀ ହୋଇପଡିଛି ଭଞ୍ଜନଗର ସହରକୁ ଏକ ସ୍ବତନ୍ତ୍ର ପରିଚୟ ଦେଉଥିବା ସହ ଇତିହାସର ମୁକ ସାଖୀ ଗାନ୍ଧୀ କୈଳାସ ପାହାଡ ଅବକ୍ଷୟ ଆଡକୁ ଗତି କରୁଥିବାରୁ ଏଠାରେ ଗାନ୍ଧୀମୂର୍ତ୍ତି ସ୍ଥାପନ କରି ଏକ ପର୍ଯ୍ୟଟନ ସ୍ଥଳୀରେ ପରିଣତ କରିବା ଆବଶ୍ୟକ ବୋଲି ସ୍ଥାନୀୟ ଲୋକ‌େ ଦାବି କରିଛନ୍ତି।

 

 

ସମ୍ବନ୍ଧିତ ଖବର

Comments are closed.