ନାବାଳିକାକୁ କାଜୁବଗିଚାରେ ଗଣଦୁଷ୍ମର୍ମ: ମୋବାଇଲ ଫୋନରେ ଭିଡିଓ ରେକର୍ଡିଂ ଅଭିଯୋଗ

ଜଣକୁ ଗ୍ରାମବାସୀ ଧରି ପୁଲିସରେ ଜିମା ଦେଲେ, ଅଭିଯୁକ୍ତଙ୍କୁ ଧରିବାକୁ ପୁଲିସର ଚଢ଼ାଉ

ଭଂଜନଗର: ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଅର୍ନ୍ତଗତ ତାମନାଡ ଗାଁର କାଜୁବଗିଚା( ବାଲିଆ ବାଢ଼) ମଧ୍ୟରେ ଶୌଚ କରିବାକୁ ଏହି ଗାଁର ଜଣେ ନାବାଳିକା (୧୫) ଶୁକ୍ରବାର ଗଣଦୁଷ୍କର୍ମର ଶିକାର ହୋଇଛନ୍ତି। ତାଙ୍କୁ ତିନି ଜଣ ଗଣଦୁଷ୍କର୍ମ କରିବା ସହ ମୋବାଇଲ ଫୋନରେ ଭିଡିଓ ରେକର୍ଡିଂ କରିଥିବା ପୀଡ଼ିତା କହିଛନ୍ତି। ପୀଡିତା ଜଣକ ତିନି ଅଭିଯୁକ୍ତଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ଚିହ୍ନିଛନ୍ତି। ତେବେ ଜଣେ ପରେ ଜଣେ ତିନି ଜଣ ଯାକ ଅଭିଯୁକ୍ତ ନାବାଳିକାକୁ ଗଣଦୁଷ୍କର୍ମ କରିଥିବା ପିଡୀତା ନାବାଳିକା ଜଣକ କହିଛନ୍ତି। ରିପୋର୍ଟ ଲେଖାଯିବା ବେଳକୁ ପୀଡ଼ିତା ଓ ତାଙ୍କ ମାଆ ଥାନାରେ ବସିଥିଲେ।

ଅନ୍ୟପକ୍ଷରେ ପୁଲିସକୁ ଏତଲା ମିଳିନଥିଲେ ହେଁ ଖବର ପାଇ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି ବୋଲି ଜଗନ୍ନାଥପ୍ରସାଦ ଆଇଆଇସି ଅନିରୁଦ୍ଧ ମୁଦୁଲି କହିଛନ୍ତି। ମିଳିଥିବା ସୂଚନା ମୁତାବକ ନାବାଳିକା ଜଣକ ଆଜି ଦିନ ଗୋଟାଏ ବେଳେ ଘରୁ ଶୌଚ କରିବାକୁ କହି ଘର ପଛ ପଟେ ଥିବା କାଜୁ ବଗିଚାକୁ ଯାଇଥିଲେ। ସେ ଶୌଚ କରୁଥିବା ସମୟରେ ଅଭିଯୁକ୍ତ ତିନି ଜଣ ନାବାଳିକାକୁ ମାଡି ବସି ଗଣ ଦୁଷ୍କର୍ମ କରିଥିଲେ। ନାବାଳିକା ଜଣକ ଫେରିବାରେ ବିଳମ୍ବ ହେବାରୁ ତାଙ୍କ ମା ଗାଁର ଅନ୍ୟ ଦୁଇ ମହିଳାଙ୍କୁ ଧରି କାଜୁ ବଗିଚାକୁ ଯାଇ ଦେଖିବା ବେଳେ ସେଠାରେ ଅଭିଯୁକ୍ତ ମାନେ ନାବାଳିକାକୁ ଦୁଷ୍କର୍ମ କରୁଥିଲେ।

ମହିଳାମାନଙ୍କୁ ଦେଖିକି ତିନି ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ଦୁଇ ଜଣ ଘଟଣାସ୍ଥଳରୁ ଚମ୍ପଟ ମାରିଥିବା ବେଳେ ଜଣକୁ ମହିଳା ମାନେ ଧରିଥିଲେ। ଏହା ପରେ ଗ୍ରାମବାସୀଙ୍କୁ ଖବର ଦେବା ପରେ ଗ୍ରାମବାସୀ ଦଉଡିରେ ବାନ୍ଧି ରଖିବା ସହ ଅଭିଯୁକ୍ତଙ୍କୁ ମାଡ ମାରିଥିଲେ। ଗ୍ରାମବାସୀମାନେ ପୁଲିସକୁ ଖବର ଦେଇ ଜଣେ ଅଭିଯୁକ୍ତଙ୍କୁ ଜିମାରେ ଦେଇଥିଲେ। ପୁଲିସ ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଛି। ଏଥିରେ ସେହି ଗାଁର ଜଣେ ଅଭିଯୁକ୍ତ ରହିଥିବା ବେଳେ ଅନ୍ୟ ଦୁଇ ଅଭିଯୁକ୍ତ ଅନ୍ୟ ଦୁଇ ଗାଁର ବୋଲି ସୂଚନା ମିଳିଛି। ଏହି ମାମଲାକୁ ନେଇ ଅଂଚଳରେ ଉତ୍ତେଜନା ଦେଖାଦେଇଛି। ତୁରନ୍ତ ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ତାମନାଡ ଗ୍ରାମବାସୀ ମାନେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର