ଗଞ୍ଜାମ ପୁଲିସ ଅସହାୟ: ବର୍ଷକରେ ୭୪ ହତ୍ୟାକାଣ୍ତ, ୬୮ଟି ଦୁଷ୍କର୍ମ

ଛତ୍ରପୁର: ଜନସାଧାରଣଙ୍କୁ ସୁରକ୍ଷା ଦେବା ସହ ଆଇନ ଶୃଙ୍ଖଳା ବଜାୟ ରଖିବା କାର୍ଯ୍ୟ କରୁଛି ପୁଲିସ ବିଭାଗ। କିନ୍ତୁ ଗଞ୍ଜାମ ପୁଲିସ ଜିଲ୍ଲା‌ରେ କୌଣସି ନା କୌଣସି କାରଣ ଅର୍ଥାତ ପୂର୍ବଶତ୍ରୁତା, ରାଜନୈତିକ ଶତ୍ରୁତା, ଗ୍ୟାଙ୍ଗୱାର, ପ୍ରେମ ଆଦି ଘଟଣା ଲାଗି ହତ୍ୟାକାଣ୍ଡ ବୃଦ୍ଧି ପାଉଛି। ୨୦୧୮ମସିହା ମେ ମାସରେ ବଡଗଡ ଥାନା ଅର୍ନ୍ତଗତ ଗାଙ୍ଗପୁର ଠାରେ ଯୁବନେତା ସନ୍ୟାସୀ ସ୍ବାଇଁ ହତ୍ୟା, ଶେରଗଡ ଥାନାର ବ୍ରାହ୍ମଣଛାଇ ଠାରେ ପ୍ରାକ୍ତନ ସରପଞ୍ଚ ପ୍ରାର୍ଥୀ ତଥା ଯୁବନେତା ବୁଲୁ ପ୍ରଧାନଙ୍କୁ ହତ୍ୟା ଭଳି ଲୋକହର୍ଷଣକାରୀ ଘଟଣା ଘଟିଛି। ଆଉ ଡିସେମ୍ବର ୩୧ତାରିଖରେ ଆସ୍କା ଠାରେ ବାହାନ ଲେଙ୍କାଙ୍କୁ ଗୁଳି କରି ହତ୍ୟା ଘଟଣା ଜିଲ୍ଲା ଚାଞ୍ଚଲ୍ୟ ସୃଷ୍ଟି କରିଛି। ଆଉ ୨୦୧୮ ବର୍ଷ ଗଞ୍ଜାମ ପୁଲିସ ଜିଲ୍ଲାରେ ଘଟିଛି ୭୪ଟି ହତ୍ୟାକାଣ୍ଡ। ଏପରିକି ୬୮ଟି ଦୁଷ୍କର୍ମ ମାମଲା ବି ରୁଜୁ ହୋଇଛି। କିନ୍ତୁ ପୂର୍ବ ବର୍ଷର ତଥ୍ୟକୁ ଅନୁଧ୍ୟାନ କଲେ ଚଳିତ ବର୍ଷ ହତ୍ୟାକାଣ୍ଡ ବୃଦ୍ଧି ପାଇଛି। ୨୦୧୫ରେ ୬୮ଟି, ୨୦୧୬ରେ ୫୬ଟି, ୨୦୧୭ରେ ୭୨ଟି ହତ୍ୟାକାଣ୍ଡ ଘଟିଛି। ଏଥିରୁ ଜିଲ୍ଲା ହତ୍ୟାକାଣ୍ଡ ବୃଦ୍ଧି ପାଉଥିବା ବେଳେ ଏହାକୁ ରୋକିବାରେ ପୁଲିସ ପ୍ରଶାସନ ଏକରକମ ଅସହାୟ ହୋଇ ପଡିଥିବା ସ୍ପଷ୍ଟ ହେଉଛି।

ଗଞ୍ଜାମ ପୁଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ,୨୦୧୮ ମସିହାରେ ଗଞ୍ଜାମ ପୁଲିସ ଜିଲ୍ଲା ବିଭିନ୍ନ ଅପରାଧ ଘଟଣା‌‌ରେ ୫୫୨୧ ଟି ମାମଲା ରୁଜୁ ହୋଇଛି। ଏଥିରେ ୬୬୫୫ଜଣ ଅଭିଯୁକ୍ତ ଗରିଫ କରାଯାଇଥିବା ବେଳେ ସେଥିରେ ୩୦୨ ମହିଳା ରହିଛନ୍ତି। ଏହି ମାମଲା ଗୁଡିକ ମଧ୍ୟରେ ୭୪ ଟି ହତ୍ୟାକାଣ୍ତ, ୬୮ ଟି ଦୁଷ୍କର୍ମ, ୪୬ ଟି ରାହାଜାନୀ, ୪୫ ଟି ଲୁଟ୍‌, ୧୩୦ ଟି ସିନ୍ଧିଚୋରୀ, ୧୮୧ ଟି ଚୋରୀ ମାମଲା ଅର୍ନ୍ତଭୁକ୍ତ। ଗଞ୍ଜାମ ପୁଲିସ ଜିଲ୍ଲାରେ ୨୦୧୮ରେ ୫୨୩ ଟି ଦୁର୍ଘଟଣାରେ ୨୭୭ ଜଣଙ୍କ ମୃତ୍ୟୁ ଘଟିଛି। ବେପରୁଆ ଗାଡି ଚାଳନା ପାଇଁ ଯାନାବାହନ ଉପରେ ଚଢାଉ କରି ୫୨ ଲକ୍ଷ ୬୦ ହଜାର ୪୫୦ ଟଙ୍କା ଜରିମାନା ଆଦାୟ କରାଯାଇଛି। ଏଥିସହ ଗଞ୍ଜାମ ପୁଲିସ ୨୨୨୩ ଜଣ ଗାଡି ଚାଳକଙ୍କ ଡ୍ରାଇଭିଙ୍ଗ ଲାଇସେନ୍ସ ସସ୍ ପେଣ୍ତ କରିବା ପାଇଁ ପରିବହନ ବିଭାଗକୁ ସୁପାରିଶ କରିଛି। ଏହି ପୁଲିସ ଜିଲ୍ଲାରେ ଗତ ବର୍ଷ ୧୭୬୫ଟି ଅବକାରୀ ମାମଲା ରୁଜୁ ହୋଇଥିବା ବେଳେ ୩୩ ହଜାର ୩୪୯ ଲିଟିର ବେଆଇନ ରନ୍ଧାମଦ, ୯୫୯୩ ଲିଟର ଭାଟିମଦ, ୩୨୪୨ ଲିଟର ବିଦେଶୀ ମଦ ଏଭଂ ୧ ଲକ୍ଷ ୮୩ ହଜାର ୭୯୫ ଲିଟର ପୋଚମଦ ଜବତ କରାଯାଇଛି।

ଗଞ୍ଜାମ ପୁଲିସ ଜିଲ୍ଲାରେ ପୂର୍ବ ବର୍ଷ ଗୁଡିକୁ ତୁଳନାରେ ୨୦୧୮ରେ ବିଭିନ୍ନ ଅପରାଧ ମାମଲା ବୃଦ୍ଧି ପାଇଛି। ୨୦୧୫ ମସିହାରେ ମୋଟ ୪୬୨୩ ମାମଲାରେ ୬୮୨୩ ଜଣ ଗିରଫ କରାଯାଇଥିବା ବେଳେ ୨୦୧୬ରେ ୪୮୦୬ ଟି ମାମଲାରେ ୭୪୬୩ ଜଣ ଏବଂ ୨୦୧୭ରେ ୪୯୩୨ ଟି ମାମଲାରେ ୭୦୬୩ ଜଣଙ୍କୁ ଗିରଫ କରାଯାଇଛି। ୨୦୧୮ ମାର୍ଚ୍ଚ ୨୨ ତାରିଖରେ ବ୍ରିଜେଶ୍ କୁମାର ରାଏ ଗଞ୍ଜାମ ପୁଲିସ ଜିଲ୍ଲାର ଏସ୍‌ପି ଭାବେ ଦାୟିତ୍ବ ନେବା ପର ଠାରୁ ଅପରାଧ ନିୟନ୍ତ୍ରଣ ଦିଗରେ ପଦକ୍ଷେପ ହାତକୁ ନେଉଛନ୍ତି। ଗତ ବର୍ଷ ଦୁଇ ଦୁଇଟି ଜାତୀୟ ରାଜପଥରେ ଲୁଟ୍ ଘଟଣାର ପର୍ଦ୍ଦାଫାସ କରି ଅପରାଧୀମାନଙ୍କୁ ଗିରଫ କରିବାରେ ଗଞ୍ଜାମ ଏସ୍‌ପିଙ୍କ ଗୋଟି ଚାଳନା ସଫଳ ହୋଇଛି। ଏପରି କି ଭଞ୍ଜନଗର ଅଞ୍ଚଳରେ ବାବୁ ଏନ୍‌କାଉଣ୍ଟର ଗଞ୍ଜାମ ପୁଲିସର ସଫଳତା ବୋଲି କୁହାଯାଉଛି। ଚଳିତ ବର୍ଷ ସାଧାରଣ ନିର୍ବାଚନର ବର୍ଷ। ଅପରାଧ ପ୍ରବଣ ଗଞ୍ଜାମ ଜିଲ୍ଲାରେ ନିର୍ବାଚନ ସମୟରେ ଶାନ୍ତିଶୃଙ୍ଖଳା ବଜାୟ ରଖି ପୁଲିସ ପାଇଁ ପ୍ରମୁଖ ଚ୍ୟାଲେଞ୍ଜ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର